ସମସ୍ତେ ଚୋର । କଂଗ୍ରେସ, ବିଜେପି ଓ ବିଜେଡି ସମସ୍ତେ ଦେଶକୁ ଲୁଟୁଛନ୍ତି । ଲୋକଙ୍କ ବିକାଶ କଥା କେହି ଚିନ୍ତା କରୁନାହାନ୍ତି । କେନ୍ଦ୍ରରେ ବିଜେପି ସରକାର ଓ ରାଜ୍ୟରେ ବିଜେଡି ସରକାର ଏବଂ ଦେଶକୁ ଦୀର୍ଘବର୍ଷ ଧରି ଶାସନ କରୁଥିବା କଂଗ୍ରେସ, ସମସ୍ତଙ୍କୁ ଦାୟୀ କରିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓାଲ । ଆମ ଆଦମୀ ପାର୍ଟି ନେତା କେଜ୍ରିଓାଲ ଆଜି ଭୁବନେଶ୍ୱରର ଲୋୟର ପିଏମଜି ସମାବେଶରେ ତିନି ଦଳକୁ ସମାଲୋଚନା କରିଛନ୍ତି । ସ୍ୱାଧୀନତାର ସତୁରୀ ବର୍ଷ ପରେ ଦେଶ ବିକାଶ ଲାଭ କରିନାହିଁ ଏବଂ ସେଥିପାଇଁ ସମସ୍ତଙ୍କୁ ଦାୟୀ କରିଛନ୍ତି କେଜ୍ରିଓାଲ । ଓଡିଶାରେ ମିଳିତ ସରକାର ଚାଲିଛି ବୋଲି ଆକ୍ଷେପ କରି କେଜ୍ରିଓାଲ କହିଲେ, ବିଜେପି ପକେଟରେ ବିଜେଡି ଏବଂ ବିଜେଡି ପକେଟରେ କଂଗ୍ରେସ ଅଛି । ଶାସନ ଦେଖିବାର ଅଛି ତ ଦିଲ୍ଲୀ ଆସ ବୋଲି କହିଛନ୍ତି କେଜ୍ରିଓାଲ । ସରକାରୀ ସ୍କୁଲ କେମିତି ଚାଲିଛି, ଦିଲ୍ଲୀ ଆସି ଦେଖିବାକୁ ସେ କହିଥିଲେ । ଦିଲ୍ଲୀରେ ଆପ୍ ସରକାର ଆସିବା ପରଠାରୁ ବିକାଶ ହୋଇଛି ଏବଂ ଓଡିଶାରେ ପରିବର୍ତ୍ତନ ଆଣିବାକୁ ସେ ସମାବେଶକୁ ଆହ୍ୱାନ ଦେଇଥିଲେ । ସାମାଜିକ ନ୍ୟାୟ ଅଭିଯାନ ପକ୍ଷରୁ ଆୟୋଜିତ ଏହି ସମାବେଶରେ କଂଗ୍ରେସରୁ ବହିଷ୍କୃତ ହୋଇଥିବା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନା ମଧ୍ୟ ତିନି ଦଳ ବିଜେପି, ବିଜେଡି ଓ କଂଗ୍ରେସକୁ ସମାଲୋଚନା କରିଥିଲେ ।

LEAVE A REPLY

Please enter your comment!
Please enter your name here