ବିଜେଡିରେ ଭୟ । କେହି କାହାକୁ କିଛି କହୁନାହାଁନ୍ତି । ପାଟିରୁ କଥା ବାହାରିଗଲେ କିଏ ଯାଇ ଚୁଗୁଲି କରିଦେବାର ଡର । ନବୀନଙ୍କ ଉତ୍ତରାଧିକାରୀ ପଦକୁ ତାମିଲ ପୁତ୍ର ଏମିତି ଚକମା ଦେଖାଇ ନେଇଯିବ, କେହି ବିଶ୍ବାସ କରିପାରୁନାହାଁନ୍ତି । ଯେଉଁ ନେତାମାନେ ନିଜକୁ ଦଳ ଭିତରେ ଖୁବ୍ ପ୍ରଭାବଶାଳୀ ବୋଲି ଦେଖେଇ ହେଉଥିଲେ, ସେମାନେ ବି ଚୁପ୍ । ଅସଲ କଥା ହେଉଛି, 2019 ପରଠୁ ଯେଉଁ ନେତାମାନେ ନିଜକୁ ନବୀନଙ୍କ ପାଖ ଲୋକ ବୋଲି ସାଧାରଣରେ ବିଶ୍ବାସ ଜନ୍ମାଇଥିଲେ, ତା ମିଛ ଥିଲା । ଅସଲରେ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ପଦରେ ଥାଇ ଭି.କେ. ପାଣ୍ଡିୟାନ ହିଁ ସବୁ ନିୟନ୍ତ୍ରଣ କରୁଥିଲେ । ବ୍ୟୁରୋକ୍ରାଟ ଓ ପଲିଟିସିଆନଙ୍କୁ ହ୍ୟାଣ୍ଡେଲ୍ କରୁଥିଲେ । ଚାକିରୀରେ ଥିବାରୁ ବବି ଦାସଙ୍କୁ ମାଧ୍ୟମ କରି ରାଜନୀତି ଗୋଟି ଚଳାଉଥିଲେ । ଏହା ଭିତରେ ବବିଙ୍କ ପତିଆରା ଏମିତି ବଢିଯାଇଥିଲା ଯେ ସମସ୍ତେ ଭାବୁଥିଲେ ବବି ହିଁ ନବୀନଙ୍କ ଉତ୍ତରାଧିକାରୀ ହେବେ । 2019 ନିର୍ବାଚନ ପୂର୍ବରୁ ନିଜେ ମନ୍ତ୍ରୀ ପଦ ଛାଡିବା ସହ ସଞ୍ଜୟ ଦାସବର୍ମା ଓ ଅରୁଣ ସାହୁଙ୍କୁ ମଧ୍ୟ ମନ୍ତ୍ରୀ ପଦ ଛାଡିବାକୁ ଏକ ପ୍ରକାର ବାଧ୍ୟ କରିଥିଲେ ବବି । ଚତୁର ବବି ଏମିତି ଗୋଟି ଚଳାଇଥିଲେ ଯେ ପ୍ୟରୀଙ୍କ ତିନି ପ୍ରିୟ ଶିଷ୍ୟଙ୍କୁ ସାଇଡ୍ କରି ତୃତୀୟ କ୍ଷମତା କେନ୍ଦ୍ର ପାଲଟି ଯାଇଥିଲେ । କିଏ ଟିକଟ ନେବ, କିଏ ମନ୍ତ୍ରୀ ହେବ, ତାଲିକା ପ୍ରସ୍ତୁତ କରି ମୁଖ୍ୟମନ୍ତ୍ରୀଙ୍କ ମୋହର ମାରୁଥିଲେ । ଏପରିକି ଗୋଟିଏ ସମୟରେ ବବି ଉପମୁଖ୍ୟମନ୍ତ୍ରୀ ହେବା ନିଶ୍ଚିତ ହୋଇଥିଲା । ମାତ୍ର କୌଣସି ନା କୌଣସି କାରଣରୁ ବବିଙ୍କ ଉପମୁଖ୍ୟମନ୍ତ୍ରୀ ହେବା ସମ୍ଭବ ହୋଇ ନ ଥିଲା । ଏବେ ପାଣ୍ଡିଆନ ସିଧାସଳଖ ରାଜନୀତିକୁ ଆସିବା ପରେ ବବିଙ୍କୁ ସାଇଡ୍ କରିଦେଇଥିବା କୁହାଯାଉଛି । ଏବଂ ବବି ଯେଉଁମାନଙ୍କୁ କୋଣଠେସା କରି ଦେଇଥିଲେ ପାଣ୍ଡିଆନ ସେମାନଙ୍କୁ ଦାୟିତ୍ବ ଦେବା ଆରମ୍ଭ କଲେଣି । 2021ରୁ ଦଳୀୟ ସଂଗଠନରୁ ଦୂରେଇ ରଖାଯାଇଥିବା ବରିଷ୍ଠ ନେତା ସଞ୍ଜୟ ଦାସବର୍ମାଙ୍କୁ ଆଜି ନୂଆ ଦାୟିତ୍ବ ମିଳିଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସଞ୍ଜୟଙ୍କୁ ଭଦ୍ରକ ଜିଲ୍ଲା ପର୍ଯ୍ୟବେକ୍ଷକ ଦାୟିତ୍ବ ଦେଇଛନ୍ତି । ସେହିପରି ପ୍ରତାପ ଜେନାଙ୍କୁ କେନ୍ଦ୍ରାପଡା ଜିଲ୍ଲା ପର୍ଯ୍ୟବେକ୍ଷକ ଦାୟିତ୍ବ ମିଳିଛି । ଏକଦା ପାଣ୍ଡିଆନଙ୍କ କୋଟେରୀରେ ପ୍ରଭାବଶାଳୀ ଥିବା ସଞ୍ଜୟ ବବିଙ୍କ ଗୋଟି ଚାଳନାରେ ସଂଗଠନରୁ ଦୂରେଇ ରହିଥିଲେ । ଏବେ ସଞ୍ଜୟଙ୍କୁ ସଂଗଠନରେ ସକ୍ରୀୟ କରିବା ଅର୍ଥ ବବିଙ୍କୁ ଚେକ୍ ଦେବା ଆରମ୍ଭ ହୋଇଛି । ବିଜେଡିରେ ସମୀକରଣ ବଦଳିବା ଆରମ୍ଭ ହୋଇଛି ।

LEAVE A REPLY

Please enter your comment!
Please enter your name here