ବିଜେଡିରୁ ଇସ୍ତଫା ଦେଲେ ଦଳର ପୁରୁଖା ନେତା ତଥା ପୂର୍ବତନ ମନ୍ତ୍ରୀ ରଘୁନାଥ ମହାନ୍ତି । ଦଳର ପ୍ରାଥମିକ ସଦସ୍ୟ ପଦ ଓ ଉପସଭାପତି ପଦରୁ ସେ ଇସ୍ତଫା ଦେଇଛନ୍ତି । ଶନିବାର ଉଠାଜଳସେଚନ ନିଗମ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଥିଲେ । ସେ ତାଙ୍କ ଇସ୍ତଫା ପତ୍ରରେ ବ୍ୟକ୍ତିଗତ କାରଣ ଦର୍ଶାଇଥିଲେ ମଧ୍ୟ ବିଜେଡ଼ିର ଟିକେଟ ବଣ୍ଟନ କାର୍ଯ୍ୟରେ ଅସନ୍ତୁଷ୍ଟ ଥିବା ଜଣାପଡ଼ିଛି । ଗୋଟିଏ ସମୟରେ ନବୀନଙ୍କ ସରକାରରେ ରଘୁନାଥ ଖୁବ୍ ପ୍ରଭାବଶାଳୀ ମନ୍ତ୍ରୀ ଥିଲେ. ଶିଳ୍ପ, ପଞ୍ଚାୟତିରାଜ, ସଂସଦୀୟ ବ୍ୟାପାର ଭଳି ତିନି ତିନିଟି ବିଭାଗ ତାଙ୍କୁ ଦିଆଯାଇଥିଲା. ମାତ୍ର 2014 ନିର୍ବାଚନ ପୂର୍ବରୁ ତାଙ୍କ ବିରୋଧରେ ବୋହୁ ବର୍ଷାସୋନୀଙ୍କ ଯୌତୁକ ନିର୍ଯାତନା ଅଭିଯୋଗ ରଘୁନାଥଙ୍କ ରାଜନୀତିକ ଜୀବନକୁ ଧୂଳିସାତ କରିଦେଲା. ରଘୁନାଥଙ୍କୁ ମନ୍ତ୍ରୀ ପଦ ଛାଡିବାକୁ ପଡିଲା. 2014ରେ ରଘୁନାଥଙ୍କୁ ଦଳ ଟିକଟ ଦେଲା ନାହିଁ. ବାଲେଶ୍ବର ରାଜନୀତିରେ ଖୁବ ପ୍ରଭାବଶାଳୀ ଥିବା ରଘୁନାଥଙ୍କୁ ଦଳ ଏକଘରକିଆ କରିଦେଲା ପରେ ରବୀନ୍ଦ୍ର ଜେନା ପ୍ରଭାବ ବିସ୍ତାର କଲେ. ଏହା ଭିତରେ ରଘୁନାଥ ବୋହୁ ବର୍ଷାସୋନୀଙ୍କ ସହ ବିବାଦର ଆପୋଷ ସମାଧାନ କରି ଏକାଠି ରହୁଥିଲେ ମଧ୍ୟ ରାଜନୀତି କ୍ଷେତ୍ରରେ ପଛରେ ପଡିଯାଇଛନ୍ତି. ତାଙ୍କୁ ଦଳ ଟିକଟ ନଦେବା ତାଙ୍କୁ ମର୍ମାହତ କରିଛି. ଦଳ ନିର୍ଦ୍ଧିଷ୍ଟ ଗୋଷ୍ଠୀ ଦ୍ବାରା ପରିଚାଳିତ ହେଉଛି ବୋଲି ଆକ୍ଷେପ କରି ସେ ଦଳ ଛାଡିଛନ୍ତି.

ବିଜେଡ଼ିରୁ ଇସ୍ତଫା ଦେବା ପରେ ରଘୁନାଥ କହିଛନ୍ତି, ଦଳ ପଥଭ୍ରଷ୍ଟ ହୋଇଛି ଏବଂ କିଛି ନ୍ୟସ୍ତସ୍ୱାର୍ଥ ଗୋଷ୍ଠୀଙ୍କ ଚକ୍ରାନ୍ତରେ ଦଳ ପରିଚାଳିତ ହେଉଛି । ବିଜୁଙ୍କ ଆଦର୍ଶରେ ଅନୁପ୍ରାଣିତ ବରିଷ୍ଠ ନେତାମାନେ ଦଳ ତିଆରି କରିଥିଲେ, ସେ ଦଳର ପ୍ରତିଷ୍ଠାତା ସଦସ୍ୟ ଥାଇ ଶୃଙ୍ଖଳିତ ଭାବେ କାମ କରୁଥିଲେ, ମାତ୍ର ଏବେ ଦଳର ସ୍ଥିତି ତାଙ୍କୁ ଖୁବ୍ ଆଘାତ ଦେଇଛି ବୋଲି ସେ କହିଛନ୍ତି. ବାଲେଶ୍ୱର ଜିଲ୍ଳାର ସ୍ୱାଭିମାନ ଦୃଷ୍ଟିରୁ ସେ ଇସ୍ତଫା ଦେଇଛନ୍ତି ବୋଲି ପ୍ରକାଶ କରି ରଘୁନାଥ କହିଛନ୍ତି, ନିର୍ବାଚନ ଲଢିବେ କି ନାହିଁ, ଏପର୍ଯ୍ୟନ୍ତ ସେ ସ୍ଥିର କରିନାହାନ୍ତି. ଅନ୍ୟ କେଉଁ ଦଳରେ ଯୋଗ ଦେବେ, ତାହା ମଧ୍ୟ ସେ ସ୍ଥିର କରିନାହାଁନ୍ତି ବୋଲି କହିଛନ୍ତି ।

LEAVE A REPLY

Please enter your comment!
Please enter your name here