ଆଜି କଂଗ୍ରେସ ଘୋଷଣା କରିଥିବା ପ୍ରାର୍ଥୀ ତାଲିକାରେ ନିମାପଡା ବିଧାନସଭା ନିର୍ବାଚନମଣ୍ଡଳୀରେ ଦଳରୁ ବହିଷ୍କୃତ ସୁର ରାଉତରାୟଙ୍କ ବଡପୁଅ ସିଦ୍ଧାର୍ଥ ରାଉତରାୟଙ୍କୁ ପ୍ରାର୍ଥୀ କରିଛି ।

ନିର୍ବାଚନର ବହୁ ଆଗରୁ ବରିଷ୍ଠ କଂଗ୍ରେସ ନେତା ସୁର ରାଉତରାୟ ନବୀନ ନିବାସ ଯାଇଥିଲେ । ସାଙ୍ଗରେ ସାନପୁଅ ମନ୍ମଥକୁ ନେଇ ମୁଖ୍ୟମନ୍ତ୍ରୀଙ୍କ ଆଶୀର୍ବାଦ ନେଇଥିଲେ । କଂଗ୍ରେସରେ ଥିଲେ ବି ବଦଳୁଥିବା ରାଜନୀତିରେ ସୁର ଦୁଇ ପୁଅଙ୍କୁ ରାଜନୀତିକୁ ଆଣିବାକୁ ଚାହୁଁଥିଲେ । କିନ୍ତୁ ଗୋଟିଏ ଦଳରୁ ଦୁଇ ପୁଅଙ୍କୁ ଟିକଟ ମିଳିବା ସମ୍ଭବ ନୁହେଁ ବୋଲି ସେ ଜାଣିଥିଲେ । କଂଗ୍ରେସ ଟିକଟ ପାଇବାରେ କିଛି ଅସୁବିଧା ନ ଥିଲା । ମାତ୍ର ବିଜେଡି ଟିକଟ ପାଇଁ ତାଙ୍କୁ ବହୁ ଆଗରୁ ନବୀନ ନିବାସ ସହ ସଂପର୍କ ଯୋଡିବାକୁ ପଡିଥିଲା । ଭି.କେ. ପାଣ୍ଡିୟାନଙ୍କ ସହ କଥାବାର୍ତ୍ତା ବି ହୋଇଥିଲା । ସବୁ ମୂଲଚାଲ ଚୂଡାନ୍ତ ହେବା ପରେ ଭୁବନେଶ୍ବର ପାଇଁ ଲୋକସଭା ବିଜେଡି ଲୋକସଭା ଟିକଟ ସାନପୁଅ ମନ୍ମଥଙ୍କୁ ମିଳିଗଲା । ମନ୍ମଥଙ୍କୁ ବିଜେଡି ଟିକଟ ମିଳିବା ପରେ ପାରିବାରିକ ନାଟକ ଦେଖିବାକୁ ମିଳିଲା । ପୁଅ ପାଇଂ ନିର୍ବାଚନ ପ୍ରଚାର କରୁଥିବା ଦର୍ଶାଇ କଂଗ୍ରେସ ପ୍ରଥମେ କାରଣ ଦର୍ଶାଅ ନୋଟିସ ଦେବା ପରେ ଦଳରୁ ବହିଷ୍କୃତ କଲା । ତେବେ ଏସବୁ କାର୍ଯ୍ୟ ସୁରଙ୍କ ସମ୍ମତିରେ ହିଁ ହୋଇଥିବା କୁହାଯାଉଛି । ଜଣେ ଦଳୀୟ ନେତା କହିବା କଥା, ସୁରଙ୍କୁ ବହିଷ୍କାର କରି ନ ଥିଲେ ତାଙ୍କ ବଡପୁଅ ସିଦ୍ଧାର୍ଥଙ୍କୁ ନିମାପଡା ଟିକଟ ଦେବାରେ ସମସ୍ୟା ହୋଇଥାନ୍ତା । ତେଣୁ ଉପରକୁ ଦେଖିବା ପାଇଁ ଦଳ ସୁରଙ୍କୁ ପାର୍ଟିରୁ ବହିଷ୍କାର କରିବା ପରେ ବଡପୁଅ ସିଦ୍ଧାର୍ଥଙ୍କୁ ନିମାପଡା ଆସନରୁ ପ୍ରାର୍ଥୀ କଲା । ସୁର ରାଉତରାୟ କଂଗ୍ରେସରୁ ବହିଷ୍କୃତ ହୋଇଥିବା କାରଣରୁ ଭୁବନେଶ୍ବର ଲୋକସଭା ଆସନରେ ବିଜେଡି ପ୍ରାର୍ଥୀ ସାନପୁଅ ମନ୍ମଥ ନିମନ୍ତେ ପ୍ରଚାର କରିବେ । ନିମାପଡାରେ ବଡପୁଅ ପାଇଁ ପ୍ରଚାର କରିବେ । ଏଥିରେ ଆଉ କାହାର ଅସୁବିଧା ରହିବ ନାହିଁ । ତେବେ ଦୁଇ ପୁଅଙ୍କୁ ଟିକଟ ଦେବା ପାଇଁ ସଂପୂର୍ଣ୍ଣ ନାଟକ ସୁର ହିଁ ଲେଖିଥିଲେ ଏବଂ ଶେଷରେ ତାଙ୍କ ମିଶନ ସଫଳ ହୋଇଛି ବୋଲି ଚର୍ଚ୍ଚା ହେଉଛି ।

LEAVE A REPLY

Please enter your comment!
Please enter your name here