ମନ୍ତ୍ରୀ ନବ କିଶୋର ଦାସଙ୍କୁ ଗୁଳିକରି ହତ୍ୟା କରାଯାଇଥିବା କ୍ରାଇମସ୍ପଟକୁ ଯାଇ ଆଜି ସ୍ଥିତି ଅନୁଧ୍ୟାନ କରିଛନ୍ତି ପୋଲିସ ଡିଜିପି ସୁନୀଲ ବଂଶଲ । ଗତ ଜାନୁଆରୀ ମାସ 29 ତାରିଖରେ ମନ୍ତ୍ରୀ ନବ କିଶୋର ଦାସଙ୍କୁ ଝାରସୁଗୁଡା ଜିଲ୍ଲା ବ୍ରଜରାଜନଗରର ଗାନ୍ଧୀ ଛକରେ ପୋଲିସ ଏଏସଆଇ ଗୋପାଳ ଦାସ ଗୁଳି କରି ହତ୍ୟା କରିଥିଲା । ଜଣେ ମନ୍ତ୍ରୀଙ୍କୁ ପୋଲିସ ଅଧିକାରୀ ଗୁଳି କରି ହତ୍ୟା କରିବା ଭଳି ସ୍ପର୍ଶକାତର ଘଟଣାର ସ୍ଥିତି ଅନୁଧ୍ୟାନ ପାଇଁ କ୍ରାଇମସ୍ପଟକୁ ଯିବାକୁ ଡିଜିପିଙ୍କୁ ଦଶଦିନ ଲାଗିଗଲା ।
ମନ୍ତ୍ରୀ ନବ କିଶୋର ଦାସଙ୍କୁ ଜଣେ ପୋଲିସ ଏଏସଆଇ କାହିଁକି ହତ୍ୟା କଲେ, ତାର କାରଣ ଖୋଜୁଛି କ୍ରାଇମବ୍ରାଞ୍ଚ । ମନ୍ତ୍ରୀଙ୍କ ମୃତ୍ୟୁ ପଛରେ କ୍ଷମତାର ଶୀର୍ଷସ୍ତରୀୟ ଷଡଯନ୍ତ୍ର ହୋଇଛି ବୋଲି ବିରୋଧୀ ଅଭିଯୋଗ କରିଛନ୍ତି । କେହି କେହି ଏହାକୁ ରାଜନୈତିକ ଓ ବ୍ୟାବସାୟିକ ହତ୍ୟାକାଣ୍ଡ ବୋଲି କହୁଛନ୍ତି । ଏହାସତ୍ତ୍ବେ ପୋଲିସ ବିଭାଗୀୟ ମୁଖିଆ କ୍ରାଇମସ୍ପଟକୁ ଯିବାରେ ଏତେ ବିଳମ୍ବ କରିବା ପଛରେ କି କାରଣ ରହିଛି, ତାହା ବଡ ପ୍ରଶ୍ନବାଚୀ ସୃଷ୍ଟି କରିଛି ।