ମନ୍ କୀ ବାତ୍ ର ଶହେତମ ସଂସ୍କରଣରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଓଡିଶାର ଡି. ପ୍ରକାଶ ରାଓଙ୍କୁ ମନେ ପକାଇଛନ୍ତି । ସ୍ବର୍ଗତଃ ଡି. ପ୍ରକାଶ ରାଓ ଚା ବିକ୍ରି କରି ଉପାର୍ଜିତ ଅର୍ଥରେ ଗରିବ ପିଲାମାନଙ୍କୁ ପାଠ ପଢାଉଥିବା ସଂପର୍କରେ ପୂର୍ବରୁ ପ୍ରଧାନମନ୍ତ୍ରୀ ମନ୍ କୀ ବାତରେ କହିଥିଲେ । ଏପରିକି ମୋଦୀ ଡି. ପ୍ରକାଶ ରାଓଙ୍କୁ ଭେଟିବା ସହ ପଦ୍ମ ସମ୍ମାନରେ ସମ୍ମାନୀତ କରିଥିଲେ । କେବଳ ଡି. ପ୍ରକାଶ ରାଓ ନୁହଁନ୍ତି, ସମାଜ ପାଇଁ ଉତ୍ସର୍ଗିକୃତ ଭାବେ କାର୍ଯ୍ୟ କରି ଆସୁଥିବା ଅନେକ ବ୍ୟକ୍ତିଙ୍କୁ ପ୍ରଧାନମନ୍ତ୍ରୀ ତାଙ୍କ ମନ୍ କୀ ବାତ୍ କାର୍ଯ୍ୟକ୍ରମରେ ପ୍ରଶଂସା କରିବା ସହ ଉତ୍ସାହିତ କରିଆସିଛନ୍ତି ।

ଅଲ୍ ଇଣ୍ଡିଆ ରେଡିଓରେ ପ୍ରସାରିତ ଏହି କାର୍ଯ୍ୟକ୍ରମର ଶହେତମ ସଂସ୍କରଣକୁ ଆଜି ଦେଶର ଚାରିଲକ୍ଷ ସ୍ଥାନରେ ଲୋକମାନେ ଦେଖିଛନ୍ତି । ଏହା ଏକ ଅଭିନବ କାର୍ଯ୍ୟକ୍ରମ । ପ୍ରଧାନମନ୍ତ୍ରୀ ଦେଶବାସୀଙ୍କ ସହ ଯୋଡି ହୋଇ ରହିବା ଏବଂ ମନ୍ କୀ ବାତରେ ନିଜର ଭାବନା ବ୍ୟକ୍ତ କରିବାକୁ ଦେଶବାସୀଙ୍କୁ ଉତ୍ସାହିତ କରିଛି । 2014ରେ ବିଜେପି କ୍ଷମତାକୁ ଆସିବା ପର ଠାରୁ 2014 ଅକ୍ଟୋବର 3 ତାରିଖରୁ ମନ୍ କୀ ବାତ୍ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ଆଜିର ଶହେତମ ସଂସ୍କରଣକୁ ବିଜେପି ଶାସିତ ରାଜ୍ୟରେ ଖୁବ୍ ବଡ ଆକାରରେ ପ୍ରଚାର ପ୍ରସାର କରାଯାଇଛି । ସେହିପରି ଲଣ୍ଡନରେ ମଧ୍ୟ ଭାରତୀୟ ହାଇକମିଶନର ସ୍କ୍ରିନିଂ କରିଛନ୍ତି । 11 ଟି ବିଦେଶୀ ଭାଷାରେ ଆଜିର କାର୍ଯ୍ୟକ୍ରମ ପ୍ରସାରଣ କରାଯାଇଛି ।

ଆଜି ଶହେତମ ସଂସ୍କରଣରେ ମୋଦି ମଣିପୁରର ବିଜୟାଶାନ୍ତି ଦେବୀଙ୍କ ସହ କଥା ହୋଇଛନ୍ତି । ବିଜୟାଶାନ୍ତି ପ୍ରାକୃତିକ ଉପାୟରେ ଲୋଟସ୍ ଫାଇବରରୁ କପଡା ତିଆରି କରୁଛନ୍ତି । ସେହିପରି ସେଲଫି ଉଇଥ୍ ଡଟର୍ କ୍ୟାମ୍ପେନରେ ଲାଗି ରହିଥିବା ସୁନୀଲ ଜଗଲନ୍, ହିମାଳୟ ଅଞ୍ଚଳର ଗ୍ରାମାଞ୍ଚଳକୁ ପରିଷ୍କାର ପରିଚ୍ଛନ୍ନ କରିବା ପାଇଁ ହିଲିଙ୍ଗ ହିମାଳୟ ମିଶନରେ ଲାଗିଥିବା ପ୍ରଦୀପ ସାଙ୍ଗଓାନ ଏବଂ ଜମ୍ମୁ କାଶ୍ରୀରର ପୁଲଓ୍ବାମା ଜିଲ୍ଲାର ଏକ ଗାଁରେ ପେନସିଲ୍ କାରଖାନା କରି ଦୁଇଶହ ଲୋକଙ୍କୁ ରୋଜଗାର ଦେଇଥିବା ମନଜୁର୍ ଅହମ୍ମଦଙ୍କ ସହ କଥା ହୋଇ ସେମାନଙ୍କ କାର୍ଯ୍ୟକୁ ପ୍ରଶଂସା କରିଛନ୍ତି ।

LEAVE A REPLY

Please enter your comment!
Please enter your name here