‘ମୁଁ ଜଣେ ବିଧାୟକ, ମୋର କ୍ଷମତା କେତେ ତମେ ଜାଣିନାହଁ’ । ଫତେପୁର ସିକ୍ରିର ବିଜେପି ବିଧାୟକ ଉଦୟଭାନ ଚୌଧରି ଆଗ୍ରାର ସବଡିଭିଜନାଲ ମାଜିଷ୍ଟ୍ରେଟ୍ ଗାରିମା ସିଂଙ୍କୁ ଏମିତି ଢଙ୍ଗରେ ଧମକ୍ ଦେଉଥିବା କ୍ୟାମେରାରେ ରେକର୍ଡ ହୋଇଛି । ବିଧାୟକଙ୍କ ଧମକ ପରେ ତାଙ୍କ ସମର୍ଥକମାନେ ଏସଡିଏମ ମୁର୍ଦ୍ଦାବାଦ ସ୍ଲୋଗାନ ଦେଇଥିଲେ । ତେବେ ବିଧାୟକଙ୍କ ଏଭଳି ବ୍ୟବହାର ନେଇ ଏସଡିଏମ ଗାରିମା ସିଂ ଆପତ୍ତି ଉଠାଇଛନ୍ତି । ଜଣେ ପ୍ରଶାସନିକ ସେବା ଅଧିକାରୀଙ୍କ ସହ ଜଣେ ଲୋକ ପ୍ରତିନିଧି ଯେଉଁଭଳି ବ୍ୟବହାର କରିବା କଥା, ଉଦୟଭାନ ତାହା କରିନାହାଁନ୍ତି ବୋଲି କହିଛନି । ଆଇଏସ ଅଫିସର ସଂଘ ଏହି ଘଟଣାକୁ ନିନ୍ଦା କରିଛନ୍ତି । ବିଜେପି ବିଧାୟକଙ୍କ ଅହଂକାର ଶୋଭନୀୟ ନୁହେଁ ବୋଲି ସଂଘ କହିଛି । ଉଦୟଭାନ କିଛି ଚାଷୀଙ୍କୁ ସାଙ୍ଗରେ ଧରି ଏସଡିଏମଙ୍କ କାର୍ଯ୍ୟାଳୟକୁ ଆସିଥିଲେ । ଚାଷୀଙ୍କ ବ୍ୟାଙ୍କ ଋଣ ପରିଶୋଧ ସମ୍ପର୍କରେ ସେ ଆଲୋଚନା କରୁନାହାଁନ୍ତି ବୋଲି ଗାରିମାଙ୍କ ବିରୋଧରେ ବିଧାୟକ ଅଭିଯୋଗ କରିଥିଲେ ।