ଦାନା ବାନ୍ଧୁଛି ବର୍ଷ ବର୍ଷ ଧରି ଅବହେଳା ବିରୋଧରେ ଅସନ୍ତୋଷ । ମୁହଁ ଖୋଲିବା ପାଇଁ ଏକଜୁଟ ହେଉଛନ୍ତି ମାଲକାନଗିରି ଜିଲ୍ଲାର ଶହ ଶହ ଆଦିବାସୀ । ବଡଧରଣର ଆନ୍ଦୋଳନ କରିବାକୁ ପିଲାଛୁଆ ଧରି ମାଲକାନଗିରି ଅଭିମୁଖେ ମୁହାଁଇଥିଲେ ସ୍ବାଭିମାନ ଅଞ୍ଚଳର ଆଦିବାସୀ ଲୋକ । ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରିବା ସହ ସ୍ୱାଭିମାନ ଅଞ୍ଚଳର ବିକାଶ ପାଇଁ ପ୍ରଶାସନ ନିକଟରେ ଗୁହାରୀ କରିବାକୁ କରିଥିଲେ ଯୋଜନା । ବିଚ୍ଛିନ୍ନାଞ୍ଚଳକୁ ସରକାର ସ୍ବାଭିମାନ ଅଞ୍ଚଳ ଘୋଷଣା କରିଥିଲେ ମଧ୍ୟ ଶିକ୍ଷା, ସ୍ୱାସ୍ଥ୍ୟ, ପାନୀୟ ଜଳ ଓ ଗମନାଗମନ ଆଦି କ୍ଷେତ୍ରରେ ମୌଳିକ ସୁବିଧା ଯୋଗାଇ ଦେବାପାଇଁ କୌଣସି ପଦକ୍ଷେପ ନେଉ ନଥିବା ସେମାନେ ଅଭିଯୋଗ କରିଛନ୍ତି । ଯନ୍ତ୍ରି, ପଣସପୁଟ, ଯୋଡାମ୍ବ, ଅଣ୍ଡରାପାଲି ଏବଂ ଗାଜଲବାଡ଼ିର ପାଖାପାଖି ୧୫୦୦ ଲୋକ ମାଲକାନଗିରି ଅଭିମୁଖେ ବାହାରିଥିଲେ । ରବିବାର ଦିନ ସେମାନେ ୪ଟି ଲଞ୍ଚ୍ ଓ ଦେଶୀ ଡଙ୍ଗାରେ ପାରି ହୋଇ ଚିତ୍ରକୋଣ୍ଡାରେ ରାତ୍ରି ଯାପନ କରିଥିଲେ । ତେବେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରି ନିଜର ଦାବି ଉପସ୍ଥାପନ କରିବା ଆଗରୁ ଚିତ୍ରକୋଣ୍ଡା ଘାଟ ନିକଟରେ ପହଞ୍ଚିଥିଲେ ଉପଜିଲ୍ଲାପାଳ । ସ୍ବାଭିମାନ ଅଞ୍ଚଳର ସମସ୍ୟା ସଂପର୍କରେ ଲୋକଙ୍କଠୁ ଶୁଣିବା ସହ ପ୍ରଶାସନ ବିକାଶମୂଳକ କାର୍ଯ୍ୟକୁ ଖୁବଶୀଘ୍ର ତ୍ବାରାନ୍ବୀତ କରିବ ବୋଲି ପ୍ରତିଶ୍ରୁତି ଦେଇଥିଲେ । ଉପଜିଲ୍ଲାପାଳଙ୍କଠୁ ପ୍ରତିଶ୍ରୁତି ପାଇଁ ନିଜ ଗାଁକୁ ଫେରିଯାଇଛନ୍ତି ସେମାନେ । ଗତ ଜୁନ୍ ୫ ତାରିଖରେ ବିକାଶ ଆଉ ଅଧିକାର ଦାବିରେ ସ୍ୱର ଉତ୍ତୋଳନ ପାଇଁ ଏକଜୁଟ୍ ହୋଇଥିଲେ ସମସ୍ତେ । ସେତେବେଳେ ବି ସରକାର ଓ ପ୍ରଶାସନ ବିରୋଧରେ ଆର ପାର ଲଢେଇ ପାଇଁ ଚେତାବନୀ ଦେଇଥିଲେ । ତଥାପି ସରକାରଙ୍କ ପକ୍ଷରୁ କୌଣସି ପଦକ୍ଷେପ ନିଆ ନଯିବାରୁ ଏଭଳି ବଡ ଧରଣର ବିଦ୍ରୋହ ଓ ଜନଆନ୍ଦୋଳନ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଥିଲା । ଏଥର ଯଦି ସରକାର ପ୍ରତିଶ୍ରୁତି ପୂରା କରିବାରେ ବିଫଳ ହୁଅନ୍ତି, ତାହେଲେ ପୁଣି ଆନ୍ଦୋଳନକୁ ଓହ୍ଲାଇବାକୁ ଚେତାବନୀ ଦେଇଯାଇଛନ୍ତି ।

LEAVE A REPLY

Please enter your comment!
Please enter your name here