ସମସ୍ତଙ୍କ ନଜର ଆସନ୍ତାକାଲି ସକାଳ ୮ ଟାକୁ  । ସମୟ ଯେତିକି ପାଖଉଛି, ହାର୍ଟବିଟ୍ ସେତିକି ବଢୁଛି । କିଏ ଉଡାଇବ ବିଜୟ ଧ୍ୱଜା । କିଏ ପିନ୍ଧିବ ବିଜୟ ଟିକା । କାହିଁକି ନା ଆସନ୍ତାକାଲି ବାହାରିବ ବହୁ ଚର୍ଚ୍ଚିତ ପାଟକୁରା ରେଜଲ୍ଟ । ପାଟକୁରା ବିଧାନସଭା ନିର୍ବାଚନ ଫଳାଫଳ ଉପରେ ନଜର ରଖିଛି ସାରା ଓଡିଶା । କାରଣ ପାଟକୁରା ବିଧାନସଭା ନିର୍ବାଚନ ଏକ ଭିନ୍ନ ମାହୋଲ ସୃଷ୍ଟି କରିଥିଲା । ବିଜେପିର ବରିଷ୍ଠ ନେତା ତଥା ବିଜେପିର ପାଟକୁରା ପ୍ରାର୍ଥୀ ବିଜୟ ମହାପାତ୍ରଙ୍କୁ କଡା ଟକ୍କର ଦେବାପାଇଁ ପାଟକୁରା ବିଜେଡି ପ୍ରାର୍ଥୀ ସାବିତ୍ରୀ ଅଗ୍ରୱାଲଙ୍କ ପ୍ରଚାର ମଙ୍ଗ ଧରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସାରା ଓଡିଶାରେ ସାଧାରଣରେ ଏକ ଚର୍ଚ୍ଚା ଯୋର ଧରିଥିଲା । ପାଟକୁରା ନିର୍ବାଚନ ମଇଦାନକୁ ସାବିତ୍ରୀ ଅଗ୍ରୱାଲ ଓହ୍ଲାଇଥିଲେ ମଧ୍ୟ ଅସଲ ଲଢେଇ ହେଉଥିଲା ବିଜୟ ମହାପାତ୍ର ଏବଂ ନବୀନ ପଟ୍ଟନାୟକଙ୍କ ମଧ୍ୟରେ । ଉଭୟ ବିଜେଡି ଏବଂ ବିଜେପି କଳେବଳେ କୌଶଳେ ପାଟକୁରା ହାତେଇବାକୁ ପ୍ରୟାସ କରୁଥିବା ବେଳେ କଂଗ୍ରେସ ଫଳ ବାହାରିବା ପୂର୍ବରୁ ନିଜ ପରାଜୟ ମାନି ନେଇଛି । କଂଗ୍ରେସର ବରିଷ୍ଠ ନେତା ସୁର ରାଉତରାୟ କହିଛନ୍ତି ବିଜେଡିର ପ୍ରବଳ ଟଙ୍କା ଆଗରେ ତିଷ୍ଠିବା ମୁସ୍କିଲ୍ । ପାଟକୁରାରେ ବିଜୟ ମହାପାତ୍ର ମଧ୍ୟ ପରାଜୟ ବରଣ କରୁଥିବା ସୁର କହିଛନ୍ତି । ସେପଟେ ପାଟକୁରା ବିଜେପି ପ୍ରାର୍ଥୀ  ବିଜୟ ମହାପାତ୍ର କହିଛନ୍ତି ଆସନ୍ତାକାଲିର ଫଳାଫଳ ମୋ ପାଇଁ ସ୍ମରଣୀୟ ହୋଇ ରହିବ । ବିଜେଡି ପାଟକୁରା ବାସୀଙ୍କୁ ପ୍ରଲୋଭନ ଦେଖାଇଥିଲେ ମଧ୍ୟ ପାଟକୁରା ବାସୀ ଉଚିତ ନିଷ୍ପତି ନେଇଥିବେ । ବିଜେଡି କିନ୍ତୁ ଛାତି ବାଡେଇ କହୁଛି ସେ ପାଟକୁରା ନିର୍ବାଚନରେ ପୁଣି ବିଜୟର ବାନା ଉଡାଇବେ । ପାଟକୁର ବାସୀ ନବୀନଙ୍କ ନେତୃତ୍ୱ ଓ ବିକାଶକୁ ଗ୍ରହଣ କରିବେ ବୋଲି ପାଟକୁରା ବିଜେଡି ପ୍ରାର୍ଥୀ ସାବିତ୍ରୀ ଅଗ୍ରୱାଲ କହିଛନ୍ତି । କାରଣ ଇଭିଏମ୍ ରେ ସିଲ୍ ଥିବା ବିଜେପି ପ୍ରାର୍ଥୀ ସାବିତ୍ରୀ ଅଗ୍ରୱାଲ ,ବିଜେପି ପ୍ରାର୍ଥୀ ବିଜୟ ମହାପାତ୍ର ଏବଂ କଂଗ୍ରେସ ପ୍ରାର୍ଥୀ ଜୟନ୍ତ ମହାନ୍ତି ସମେତ ୧୦ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବ ଆସନ୍ତାକାଲିର ସକାଳ । କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟର ୨ ନମ୍ବର ହଲରେ ସକାଳ ୮ ଟାରୁ ଭୋଟ ଗଣତି ହେବ । ମୋଟ ୧୮ ରାଉଣ୍ଡରେ ଭୋଟ ଗଣତି ହେବ । ଗଣତି କେନ୍ଦ୍ରରେ ସୁରକ୍ଷା ବ୍ୟବସ୍ତାକୁ କଡାକଡି କରାଯାଇଥିବା ଏସପି ନୀତିଶେଖର କହିଛନ୍ତି ।

LEAVE A REPLY

Please enter your comment!
Please enter your name here