ମେ ୨୯ ବୁଧବାରଠାରୁ ଆରମ୍ଭ ହେଲା ନବୀନଙ୍କ ପଂଚମ ଇନିଂସ ।  ବିଜୁ ଜନତା ଦଳର ସଭାପତି ନବୀନ ପଟ୍ଟନାୟକ ୫ମ ଥର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି । ରାଜଧାନୀ ଭୁବନେଶ୍ୱରର ୟୁନିଟ-୩ସ୍ଥିତ ଇଡକୋ ପ୍ରଦର୍ଶନୀ ପଡ଼ିଆରେ ଆୟୋଜିତ ସମାରୋହରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ବିଜେଡି ମୁଖ୍ୟ ନବୀନଙ୍କୁ ଗୋପନୀୟତାର ସହ ଶପଥ ଗ୍ରହଣ କରାଇଛନ୍ତି । ଶପଥ ଗ୍ରହଣ ସମାରୋହ ଆଜି ୧୦ଟା ୫୦ରେ ଅନୁଷ୍ଠିତ ହୋଇଥିଲା ।  ନବୀନ ଶପଥ ଗ୍ରହଣ କରିବା ସହ ୧୧ ଜଣ କ୍ୟାବିନେଟ ମନ୍ତ୍ରୀ ଓ ୯ ଜଣ ରାଷ୍ଟ୍ରମନ୍ତ୍ରୀ ମଧ୍ୟ ଶପଥ ଗ୍ରହଣ କରିଛନ୍ତି ।

ପ୍ରଥମେ କ୍ୟାବିନେଟ୍‌ ମନ୍ତ୍ରୀଗଣ ଶପଥ ନେଇଥିଲେ । କ୍ୟାବିନେଟ୍‌ ମନ୍ତ୍ରୀଭାବେ ପ୍ରଫୁଲ୍ଲ ମଲ୍ଲିକ ଶପଥ ନେଇଥିଲେ । ଏହା ପରେ ବିକ୍ରମ କେଶରୀ ଆରୁଖ, ନିରଞ୍ଜନ ପୂଜାରୀ, ଟୁକୁନି ସାହୁ, ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ଡାକ୍ତର ଅରୁଣ କୁମାର ସାହୁ, ପ୍ରତାପ ଜେନା, ସୁଦାମ ମାରାଣ୍ଡି, ପଦ୍ମନାଭ ବେହେରା, ନବ କିଶୋର ଦାସ ଓ ସୁଶାନ୍ତ ସିଂହ ଇଶ୍ୱରଙ୍କ ନାମରେ ପଦ ଓ ଗୋପନୀୟତାର ଶପଥ ଗ୍ରହଣ କରିଛନ୍ତି ।

କ୍ୟାବିନେଟ୍‌ ମନ୍ତ୍ରୀଙ୍କ ପରେ ରାଷ୍ଟ୍ର ପାହ୍ୟା ମନ୍ତ୍ରୀମାନେ ଶପଥ ଗ୍ରହଣ କରିଛନ୍ତି । ରାଷ୍ଟ୍ର ମନ୍ତ୍ରୀଭାବେ ଅଶୋକ ପଣ୍ଡା, ସମୀର ଦାଶ, ପଦ୍ମିନୀ ଦିଆନ, ଜ୍ୟୋତି ପ୍ରକାଶ ପାଣିଗ୍ରାହୀ, ଦିବ୍ୟଶଙ୍କର ମିଶ୍ର, ପ୍ରେମାନନ୍ଦ ନାୟକ, ରଘୁନନ୍ଦନ ଦାସ, ତୁଷାରକାନ୍ତି ବେହେରା, ଜଗନ୍ନାଥ ସାରକା ଶପଥ ନେଇଛନ୍ତି ।

ଏହି ଶପଥ ଗ୍ରହଣ ଉତ୍ସବରେ ନବୀନଙ୍କ ବଡଭାଇ ପ୍ରେମ ପଟ୍ଟନାୟକ ଏବଂ ଉଭଣୀ ଗୀତା ମେହେଟା ଉପସ୍ଥିତ ରହିଥିଲେ । ନବୀନଙ୍କ ଶପଥ ଗ୍ରହଣ ସମାରୋହ ପାଇଁ ହାଉସିଂ ବୋର୍ଡ କାର୍ଯ୍ୟାଳୟ ଠାରୁ ରାମମନ୍ଦିର ରାସ୍ତାରେ ଟ୍ରାଫିକ କଟକଣା  ଦିଆଯାଇଛି ।

LEAVE A REPLY

Please enter your comment!
Please enter your name here