ଢେଙ୍କାନାଳ ଜିଲ୍ଲା ସଦର ଥାନା ଅନ୍ତର୍ଗତ ବେଲଟିକିରିସ୍ଥିତ ‘ଗୁଡ୍‌ ନିୟୁଜ୍‌ ଇଣ୍ଡିଆ ଡ୍ରିମ୍ସ ସେଣ୍ଟର” ପରିଚାଳିତ ସେଲଟର୍ ହୋମ୍ ବେଆଇନ. ଅର୍ଥାତ ସରକାରୀ ଅନୁମତି ନ ଥିଲା. ସେଲଟର ହୋମରେ ନିର୍ଯାତନା ଖବର ଆସିବା ପରେ ଏକଥା ସଫେଇ ଦେଇଛନ୍ତି ବିଭାଗୀୟ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ. ସଂସ୍ଥାର ମାଲିକ ଓ କେୟାର ଟେକରଙ୍କୁ ଗିରଫ କରାଯାଇଛି ଏବଂ 62 ଜଣ ଅନ୍ତେବାସିନୀଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରିବାକୁ ନିର୍ଦ୍ଦେଶ ଦିଆଯାଇଛି. ମନ୍ତ୍ରୀ ପ୍ରଫୁଲ୍ଲ ସାମଲଙ୍କ ଏହି ବକ୍ତବ୍ୟ ସ୍ପଷ୍ଟ କରିଦେଇଛି, ସରକାରୀ ବିନା ଅନୁମତିରେ ଚାଲିଥିଲା ସେଲଟର ହୋମ୍. ଆଶ୍ଚର୍ଯ୍ୟର ବିଷୟ ହେଉଛି, ଗତ 6 ବର୍ଷ ହେଲାଣି ସେଲଟର ହୋମ୍ ଚାଲିଛି. ବିରାଟ ଜମି ଉପରେ ଦୁଇ ମହଲା ଘର ନିର୍ମିତ ହୋଇ ସେଲଟର ହୋମ ଚାଲିଥିଲେ ବି ସରକାରୀ ଦୃଷ୍ଟି ଆଢୁଆଳରେ ରହିଲା କେମିତି ? ଏଥିରୁ ଜିଲ୍ଲା ପ୍ରଶାସନ କେମିତି କାମ କରୁଛି, ତାହା ଅନୁମେୟ. ଛ ବର୍ଷ ଧରି ସେଲଟର ହୋମରେ ଚାଲିଥିବା ଯୌନ ନିର୍ଯାତନା ପାଇଁ ପ୍ରଶାସନିକ ଅଧିକାରୀଙ୍କୁ କାହିଁକି ଦାୟୀ କରାଯିବନାହିଁ. ବିଭାଗୀୟ ବଡବାବୁମାନେ କରୁଥିଲେ କଣ ?  ବିଭାଗୀୟ ଅଧିକାରୀ ଓ ଜିଲ୍ଲା ପ୍ରଶାସନିକ କଳ ସହ ଭିତିରି ସଂପର୍କ ନ ଥିଲା ଯେ ଏକଥାକୁ ଏଡାଇ ଦେଇ ହେବ ନାହିଁ. କେବଳ ସଂସ୍ଥାର କେୟାର ଟେକର ଓ ମାଲିକଙ୍କୁ ଗିରଫ କରି ହାତ ସଫା କଲେ ହେବ ନାହିଁ, ସରକାରୀ ଦରମା ନେଉଥିବା ବାବୁମାନଙ୍କ ଅବହେଳାରୁ ବର୍ଷ ବର୍ଷ ଧରି ସେଲଟର ହୋମରେ ଅନ୍ତେବାସିନୀ ନିର୍ଯାତିତା ହୋଇ ଆସୁଥିଲେ. ତେଣୁ ସରକାରୀ ବାବୁଙ୍କ ବିରୋଧରେ ବି କାର୍ଯ୍ୟାନୁଷ୍ଠାନ ହେବା ଦରକାର.

LEAVE A REPLY

Please enter your comment!
Please enter your name here