ରଥ ଯାତ୍ରାର ପ୍ରଥମ ପର୍ଯ୍ୟାୟର କାର୍ଯ୍ୟ ଶେଷ ହୋଇଛି । ଗୋଟି ପହଣ୍ଡିରେ ଆସି ରଥାରୂଢ଼ ହୋଇଛନ୍ତି ଚତୁର୍ଦ୍ଧାମୂର୍ତ୍ତି । ପ୍ରଥମେ ଚକ୍ରବୀର ସୁଦର୍ଶନଙ୍କ ପହଁଣ୍ଡି ହୋଇଛି । ଏହା ପରେ ବଡ଼ ଭାଇ ବଳଭଦ୍ର, ପରେ ଦେବୀ ସୁଭଦ୍ରା ଓ ଶେଷରେ ବଡ଼ ଦେଉଳରୁ ବାହାରି ଆସିଛନ୍ତି ଜଗତର ନାଥ ପ୍ରଭୁ ଶ୍ରୀଜଗନ୍ନାଥ । ତିନି ଠାକୁରଙ୍କୁ ବଡ଼ଦାଣ୍ଡରେ ଦେଖି ଭାବବିହ୍ୱଳ ହୋଇପଡ଼ିଛନ୍ତି ଭକ୍ତମାନେ ।
ପ୍ରଥମେ ମଙ୍ଗଳ ଆଳତି, ତଡ଼ପ ଲାଗି, ମଇଲମ ଓ ଅବକାଶ ପରେ ଖେଚେଡି଼ ଭୋଗ ଶେଷ ହୋଇଥିଲା । ଏହା ପରେ ନିର୍ଦ୍ଧାରିତ ସମୟ ଅନୁସାରେ ଗୋଟି ପହଁଣ୍ଡି ଆରମ୍ଭ ହୋଇଥିଲା । ଘଣ୍ଟ, ଖୋଳ, କାହାଳୀର ତାଳେ ଶ୍ରୀମନ୍ଦିରରୁ ବାହାରିଥିଲେ ଶ୍ରୀଜୀଉ । ଜଣକ ପରେ ଜଣେ ପହଣ୍ଡିରେ ଆସି ରଥରେ ବୀଜେ କରିଛନ୍ତି । ଏହା ପରେ ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା ତଥା ଆଦ୍ୟ ସେବକ ଗଜପତି ଶ୍ରୀ ଦିବ୍ୟସିଂହ ଦେବ ଛେରା ପହଁରା କରିବେ । ମଧ୍ୟାହ୍ଣ ୧୨ଟା ୩୦ରୁ ଅପରାହ୍ଣ ୧ଟା ମଧ୍ୟରେ ରଥ ଉପରେ ମଦନ ମୋହନ ବିଜେ ହେବୋ ପରେ ଅପରାହ୍ଣ ୨ଟାରୁ ୩ଟା ମଧ୍ୟରେ ଗଜପତି ମହାରାଜଙ୍କ ରଥ ଉପରେ ଛେରାପହଁରା କରିବେ। ଅପରାହ୍ଣ ୩ଟାରୁ ୪ଟା ପର୍ୟ୍ୟନ୍ତ ଚାରମାଳ ଫିଟାଯିବା ପରେ ଘୋଡା ଓ ସାରଥୀ ଲାଗିବ। ଶେଷରେ ଶରଧାବାଲି ଅଭିମୁଖେ ତିନି ରଥ ଗଡ଼ିବ। ପ୍ରଥମେ ବଳଭଦ୍ରଙ୍କ ତାଳଧ୍ୱଜ ରଥ ଗଡ଼ିବ। ତା’ ପରେ ଦେବୀ ସୁଭଦ୍ରାଙ୍କ ଦର୍ପଦଳନକୁ ଭକ୍ତ ଟାଣିବେ। ଶେଷରେ କାଳିଆ ଠାକୁରଙ୍କୁ ନନ୍ଦିଘୋଷ ରଥରେ ଭକ୍ତମାନେ ଟାଣିଟାଣି ନେବେ।

LEAVE A REPLY

Please enter your comment!
Please enter your name here