ଏହା କୌଣସି ଅନଲାଇନ୍ ଫେଷ୍ଟିଭ୍ ସେଲ୍ ନୁହେଁ, ବରଂ ପାକିସ୍ତାନର ତାଜା ସତ୍ୟ । ପାକିସ୍ତାନର ହେଲିକପ୍ଟର, ବିଳାସପୂର୍ଣ୍ଣ କାର୍ ଓ ସରକାରୀ ଜମି ସହ ବିଳାସପୂର୍ଣ୍ଣ ସାମଗ୍ରୀ ମଧ୍ୟ ସେଲରେ ଲାଗିଛି । ଏପରିକି ସରକାରୀ ମଇଁଷି ମଧ୍ୟ ବାଦ୍ ପଡ଼ିନି ଏହି ସେଲରୁ । ଆଜ୍ଞା ହଁ… ବିଶ୍ୱ ବଜାରରେ ନିଲାମ ହେଉଛି ପଡୋଶୀ ଦେଶ ପାକିସ୍ତାନ । ଭାରତର ସବୁଠାରୁ ପୁରୁଣା ସୀମାନ୍ତ ଶତ୍ରୁ ପାକିସ୍ତାନର ଆର୍ଥିକ ଅବସ୍ଥା ଦିନକୁ ଦିନ ଶୋଚନୀୟ ହେବାରେ ଲାଗିଛି । ପରିସ୍ଥିତି ଏତେ ଗମ୍ଭୀର ଯେ ପାକିସ୍ତାନ ପିଏମଓ ର ସମସ୍ତ ବିଳାସପୂର୍ଣ୍ଣ ସାମଗ୍ରୀଗୁଡିକୁ ବିକ୍ରି କରିବାର ପ୍ରସ୍ତାବ ରଖିଛନ୍ତି ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମରାନ୍ ଖାନ୍ । ଏକ କାଙ୍ଗାଳ ଦେଶ ଭାବେ ନିଜକୁ ଉପସ୍ଥାପିତ କରିଛି ପାକିସ୍ତାନ । ଦେଖିବାକୁ ଗଲେ ପାକିସ୍ତାନ କେତେବେଳେ ଚୀନ ତ କେତେବେଳେ ଆମେରିକାର ଦୟାର ପାତ୍ର ହୋଇଛି । ତଥାପି ହିଂସାର ରାସ୍ତା ଛାଡୁନି । ଚାରିପଟୁ କରଜରେ ବୁଡ଼ିଛି ପାକିସ୍ତାନ । କିଛି ଦିନ ପୂର୍ବରୁ ଚୀନର ବ୍ୟବସାୟିକ ବ୍ୟାଙ୍କରୁ ପ୍ରାୟ 16 ହଜାର କୋଟି ଋଣ ନେଇଛି ପାକ୍। ଆଉ ଏଥର ଆର୍ଥିକ ସହାୟତା ଦିଗରେ ଚୀନ ବି ହାତ ଟେକିଦେଇଛି । ଚୀନ ସହ ସଂପର୍କକୁ ସୁଧାରିବା ପାଇଁ ଏବେ ସବୁ ରାସ୍ତା ବନ୍ଦ । ଆତଙ୍କବାଦକୁ ନିପାତ କରିବା ପାଇଁ ବିଗତ 15 ବର୍ଷ ମଧ୍ୟରେ ଆମେରିକାଠାରୁ 2.30 ଲକ୍ଷ କୋଟି ଟଙ୍କା ନେଇଛି ପାକିସ୍ତାନ । ହେଲେ କିଛି ଦିନ ତଳେ ଆମେରିକା ମଧ୍ୟ ତିନି ହଜାର ଶହେ କୋଟି ଟଙ୍କା ଆର୍ଥିକ ସହାୟତା ଦେବା ପାଇଁ ମନା କରିଦେଇଛି । ତେଣୁ ଏବେ ମୁଣ୍ଡରେ ହାତ ଦେଇ ବସିଛି ପାକିସ୍ତାନ । ଫ୍ରାନ୍ସ, କୁଏତ୍, ଜାପାନ, ସାଉଦି ଆରବ, ଆମେରିକା  ଓ ଚୀନର ଋଣ ଭାରରେ ଅଣନିଶ୍ୱାସୀ ପାକ୍ ।

ଦାରିଦ୍ର୍ୟତାରୁ ନିସ୍ତାର ପାଇବା ପାଇଁ ସବୁ କିଛି ବିକିବା ପାଇଁ ପ୍ରସ୍ତୁତି ଚାଲିଛି । ପାକିସ୍ତାନର ହେଲିକାପ୍ଟର, ବିଳାସପୂର୍ଣ୍ଣ କାର ଓ ସରକାରୀ ଜମି ସହ ପ୍ରଧାନମନ୍ତ୍ରୀ ଆବାସରେ ଥିବା ବିଳାଶପୂର୍ଣ୍ଣ ସାମଗ୍ରୀ ମଧ୍ୟ ସେଲରେ ଲାଗିଛି । ଏମିତିକି ପୂର୍ବତନ ପ୍ରଧାନମନ୍ତ୍ରୀ ନବାବ ସରିଫ୍ ଙ୍କ 8ଟି ମଇଁଷି ମଧ୍ୟ ନିଲାମ ହେଉଛି । 4ଟି ହେଲିକାପ୍ଟରକୁ ମଧ୍ୟ ବିକ୍ରି କରାଯିବ ବୋଲି ସୂଚନା ମିଳିଛି ।  ସେପ୍ଟେମ୍ବରରେ 17 ରେ ଇସଲାମାବାଦରେ ସରକାରଙ୍କ 102ଟି ଦାମି କାର ପାଇଁ ନିଲାମି ଡକା ଯାଇଥିଲା । ଏଥିରୁ 70ଟି କାର ପ୍ରଥମ ଦିନରେ ହିଁ ବିକ୍ରି ହୋଇଗଲା । ଏହି ନିଲାମରୁ ଯାହା ଅର୍ଥ ଆସିବ ସେଥିରେ ସରକାର ଚଳିବ ବୋଲି ଆଶା ରଖିଛି ପାକ୍ ।

ପାକିସ୍ତାନ ଉପରେ 30 ହଜାର ଅୟୁତ ଋଣ ଭାର ଆଉ ପାକିସ୍ତାନର ଜନସଂଖ୍ୟା 21 କୋଟି । ଏଥିରୁ  7 କୋଟି ଲୋକ ଦାରିଦ୍ର୍ୟ ସୀମା ରେଖା ତଳେ । ଅର୍ଥାତ୍ 10 ଭାଗରୁ 4 ଭାଗ ପାକିସ୍ତାନୀଙ୍କ ପାଖରେ ଖାଇବାକୁ ମୁଠେ ଦାନା ନାହିଁ । ଏପଟେ ସରକାର ବି ବେହାଲ । ଏଭଳି ସମୟରେ ନିଜ ସ୍ଥିତି ସମ୍ଭାଳିବା ପରିବର୍ତ୍ତେ ଭାରତ ସହ ଲଢିବାକୁ ସର୍ବଦା ଚେଷ୍ଟିତ ରହୁଛି ପାକିସ୍ତାନ । କେବଳ ଆତଙ୍କବାଦ ଓ ନିଜ ସେନା ପାଇଁ ଟଙ୍କାକୁ ପାଣି ଭଳି ବୁହାଉଥିବା ପାକ୍ ନିଜ ଜନତାଙ୍କ ଆର୍ଥିକ ଅବସ୍ଥା ସୁଧାରିବାରେ କିନ୍ତୁ ଅସମର୍ଥ ।

ଏଠି ପ୍ରଶ୍ନ ଉଠୁଛି, ଯେଉଁ ପାକିସ୍ତାନ ଉପରେ କୋଟି କୋଟି ଟଙ୍କାର ଋଣ ସେ ଏଭଳି ସେଲରୁ କେତେ ଋଣ ପରିଶୋଧ କରିପାରିବ । 70 ବର୍ଷ ହେବ ପଡୋଶୀ ଭାରତକୁ ନିଚା ଦେଖେଇବାକୁ ଚେଷ୍ଟା କରୁଥିବା  ପାକ୍ ଏବେ ନିଜେ ଦାରିଦ୍ର୍ୟ ସୀମା ରେଖା ତଳେ । ଏପରି ପକ୍ଷେ ପାକ୍ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍ ଏହି ସ୍ଥିତି ସହ ଲଢିବା ପାଇଁ ଅହରହ ଚେଷ୍ଟା ଚଳାଇଛନ୍ତି । ଇମ୍ରାନଙ୍କ ପୂର୍ବରୁ ଥିବା ସରକାର ଓ ମନ୍ତ୍ରୀମାନେ ବେଶ ବିଳାଶପୂର୍ଣ୍ଣ ଜୀବନ ଅତିବାହିତ କରୁଥିଲେ । ମାତ୍ର ଇମ୍ରାନ ପ୍ରଧାନମନ୍ତ୍ରୀ ହେବା ପରେ ପ୍ରଥମେ ସରକାରୀ ଖର୍ଚ୍ଚ କାଟ୍ କରିଛନ୍ତି । ନିଜେ ପ୍ରଧାନମନ୍ତ୍ରୀ ଆବାସରେ ରହିବାକୁ ମନା କରିବା ସହ ବୁଲେଟ୍ ପ୍ରୁଫ୍ କାର ଚଢିବା ବାରଣ କରିଛନ୍ତି ଇମ୍ରାନ୍ । ଏକ ତିନି ବଖରା ବିଶିଷ୍ଟ ଘରେ ରହିବା ସହ ଘରେ ମାତ୍ର ଦୁଇଟି ଚାକର ରଖିଛନ୍ତି । ନିଜ ବ୍ୟବହାର ପାଇଁ ମାତ୍ର 2ଟି ସାମାନ୍ୟ ଗାଡ଼ି ରଖିଛନ୍ତି ସେ । ପୂର୍ବରୁ ପିଏମ୍ ଆବାସରେ 524 କର୍ମଚାରୀ କାମ କରୁଥିଲେ । କେବଳ ଏତିକି ନୁହେଁ ପିଏମ୍ ସଂପୂର୍ଣ୍ଣ ମନ୍ତ୍ରୀମଣ୍ଡଳର ଖର୍ଚ୍ଚ ଉପରେ କଟକଣା ଲଗାଇଛନ୍ତି । ଏଥର ମନ୍ତ୍ରୀମଣ୍ଡଳର ବୈଠକରେ କେବଳ ଚା ପିଇବାକୁ ଦିଆଯିବ ମନ୍ତ୍ରୀମାନଙ୍କୁ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ।  ନା ଦିଆଯିବ ବିସ୍କୁଟ ନା ଜଳଖିଆ ।

ଭାରତ ସହ ଅନ୍ୟ ଦେଶ ସହ ସଂପର୍କ ସୁଧାରିବା ପାଇଁ ପାକିସ୍ତାନକୁ ପ୍ରଥମେ ଆତଙ୍କବାଦକୁ ହଟାଇବାକୁ ପଡ଼ିବ । ସରକାରଙ୍କୁ ସେନାର ଇଙ୍ଗିତରେ କାମ କରିବା ବନ୍ଦ କରିବାକୁ ହେବ । ଆତଙ୍କବାଦୀଙ୍କ ପାଇଁ ହେଉଥିବା ଫଣ୍ଡିଂକୁ ବନ୍ଦ କରିବା ସହ ହତିଆର କିଣାରେ ରୋକ ଲଗାଇବା ଦରକାର । ଏଭଳି ବହୁ ଗୁରୁତ୍ୱପୂର୍ଣ୍ଣ ଦିଗରେ ନଜର ରଖି ସଦବୁଦ୍ଧି ଦ୍ୱାରା କାର୍ଯ୍ୟ କଲେ ସଂପୂର୍ଣ୍ଣ ନହେଲେ ମଧ୍ୟ ଅଳ୍ପ ମାତ୍ରାରେ ବର୍ତ୍ତି ଯାଇପାରେ ପାକିସ୍ତାନ । ନିର୍ଭର କରେ ହିଂସା ନା ପ୍ରେମର ମାର୍ଗ ବାଛିବ ପାକିସ୍ତାନ ।

( ରିପୋର୍ଟ : ସୁନୀତା ପଟ୍ଟନାୟକ )

LEAVE A REPLY

Please enter your comment!
Please enter your name here