ମୁଦା ଲଫାଫା ଭିତରେ ଏକ ସୁନ୍ଦର ରାକ୍ଷୀ. ଠିକଣା- କୁଲଦୀପ ଯାଦବ, କୋଟ୍ ଲଖପତ୍ ଜେଲ୍, ପାକିସ୍ତାନ. 1997 ମସିହା ପରଠାରୁ ପାକିସ୍ତାନ ଜେଲରେ ଥିବା ଭାଇ ପାଖକୁ ପ୍ରତିବର୍ଷ ଏମିତି ରାକ୍ଷୀ ପଠାଇ ଆସୁଛନ୍ତି ରେଖା ଯାଦବ. ଜେଲରେ ଭାଇ ଜୀବିତ ଅଛି କି ନାହିଁ, ସେ ଜାଣନ୍ତିନି କି ରାକ୍ଷୀ ଭାଇ ପାଖରେ ପହଞ୍ଚୁଛି ନା ନାହିଁ, ସେକଥା ବି ତାଙ୍କୁ ଜଣା ନାହିଁ. କିନ୍ତୁ ଭାଇ ପ୍ରତି ଥିବା ଅତୁଟ ବନ୍ଧନ ଭିତରେ ସେ ପ୍ରତିବର୍ଷ ବଜାରରୁ ରାକ୍ଷୀ କିଣୁଛନ୍ତି, ଲଫାଫା ଭିତରେ ରଖି ଜେଲ୍ ଠିକଣାରେ ପୋଷ୍ଟ କରୁଛନ୍ତି. ଭାଇର ଶୁଭ ମନାସୁଛନ୍ତି ଏବଂ ଅପେକ୍ଷା କରିଛନ୍ତି ଭାଇ କେବେ ଘରକୁ ଫେରିବ. ଅହମ୍ମଦାବାଦରେ ରହୁଥିବା ରେଖା ଯାଦବଙ୍କ କହିବା ଅନୁଯାୟୀ, 1994ରେ ତାଙ୍କ ଭାଇ କୁଦୀପ ଯାଦବଙ୍କୁ ଭାରତ ପାଇଁ ଗୁପ୍ତଚର ବୃଦ୍ଧି କରୁଥିବା ଅଭିଯୋଗରେ ପାକିସ୍ତାନ ସେନା ଗିରଫ କରିଥିଲା. 1997ରେ ସେମାନେ ଖବର ପାଇଲେ ଭାଇ ପାକିସ୍ତାନର କୋଟ୍ ଲଖପତ୍ ଜେଲରେ ଅଛି. ପାକିସ୍ତାନର ମିଲିଟାରୀ କୋର୍ଟ 25 ବର୍ଷ ଜେଲ୍ ଦଣ୍ଡ ଦେଇଛି. କିନ୍ତୁ 2011ରେ ସେମାନେ କୁଲଦୀପଙ୍କ ପାଖରୁ ଶେଷ ଚିଠି ପାଇଥିଲେ. ତା ପରଠୁ କୁଲଦୀପଙ୍କ ସଂପର୍କରେ ତାଙ୍କ ପାଖରେ କିଛି ବି ଖବର ନାହିଁ. ତଥାପି ରେଖା ଅପେକ୍ଷା କରିଛନ୍ତି, ତାଙ୍କ ଭାଇ ପାକିସ୍ତାନ ଜେଲରୁ ମୁକ୍ତ ହୋଇ ତାଙ୍କ ପାଖକୁ ଫେରିଆସିବେ.