ରାତି ପାହିଲେ ଆରମ୍ଭ ହେବ ପଞ୍ଚମ ପାଳି । ଶପଥ ନେବେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଏବଂ ତାଙ୍କ ଟିମ୍ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ନୂଆ ମନ୍ତ୍ରୀମଣ୍ଡଳର ଶପଥ ଗ୍ରହଣ ପାଇଁ ସଜେଇ ହେଉଛି ପୁରା ପ୍ରଦର୍ଶନୀ ପଡିଆ । ୧୧୨ଟି ବିଧାନସଭା ଆସନ ଦଖଲ କରି ୫ମଥର ପାଇଁ ରାଜ୍ୟ ଶାସନ ମଙ୍ଗ ଧରିବେ ବିଜେଡି ସୁପ୍ରିମୋ । ଭୁବନେଶ୍ୱର ପ୍ରଦର୍ଶନୀ ପଡିଆରେ ଦିନ ସାଢେ ୧୦ଟାରେ ଶପଥ ଗ୍ରହଣ ଉସôବ ଅନୁଷ୍ଠିତ ହେବ । ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ପଦ ଓ ଗୋପନୀୟତାର ଶପଥ ପାଠ କରାଇବେ । ଏଥିପାଇଁ ଚାଲିଛି ଜୋରଦାର ପ୍ରସ୍ତୁତି । ବାତ୍ୟା ଫନୀ ପରେ ପ୍ରଦର୍ଶନୀ ପଡ଼ିଆରେ ଗଦାହୋଇ ରହିଥିବା ଭଙ୍ଗାକାଠ ଏବଂ କୁଢ଼କୁଢ଼ ଅଳିଆକୁ ଯୁଦ୍ଧକାଳୀନ ଭିତ୍ତିରେ ସଫା କରାଯାଇ ତିଆରି ହେଉଛି ମଞ୍ଚ । ମୁଣ୍ଡଫଟା ଖରା ସାଙ୍ଗକୁ ପ୍ରଚଣ୍ଡ ଗରମରେ ଶ୍ରମିକମାନେ ଦିନରାତି ମଞ୍ଚ ତିଆରିରେ ଲାଗିଛନ୍ତି। ଶାନ୍ତି ଶୃଙ୍ଖଳା ଭିତରେ ଶପଥ ପାଠ ଉତ୍ସବ କରିବା ପାଇଁ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି । ସୁରକ୍ଷା ଦାୟିତ୍ୱରେ ରହିବେ ୨୫ ପ୍ଲାଟୁନ ପୋଲିସ ଫୋର୍ସ, ୧୦୦ ଅଫିସର । ସିସିଟିଭି ନଜରରେ ରହିବ ପୁରା ପ୍ରଦର୍ଶନୀ ପଡିଆ । ପ୍ରବେଶ ବେଳେ ଅତିଥି ଏବଂ ଦର୍ଶକ ସମସ୍ତେ ଚେକିଂ ବଳୟରେ ରହିବେ । ସମାରୋହରେ ୫ରୁ ୭ ହଜାର ଲୋକଙ୍କ ସମାଗମ ହେବାର ସମ୍ଭାବନା ରହିଛି । ପାର୍କିଂ ଏବଂ ଟ୍ରାଫିକ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରିଛି ପୋଲିସ । ମଧୂସୁଦନନଗର କ୍ୟାପିଟାଲ ହାଇସ୍କୁଲ ପଡିଆ ଏବଂ ହାଉସିଂ ବୋର୍ଡ କଲୋନି ଅଞ୍ଚଳରେ ପାର୍କିଂ ବ୍ୟବସ୍ତା କରାଯାଇଛି । କେଶରୀ ହଲ ପଟ ରାସ୍ତା ଦେଇ ଶପଥ ସମାରୋହକୁ ରାଜ୍ୟପାଳ, ମୁଖ୍ୟ ବିଚାରପତି, ମୁଖ୍ୟମନ୍ତ୍ରୀ ଏବଂ ମନ୍ତ୍ରୀ ହେବାକୁ ଯାଉଥିବା ବିଧାୟକମାନେ ଆସିବେ । ସାଂସଦ ଓ ଅନ୍ୟ ବିଧାୟକମାନେ ହାଉସିଂ ବୋର୍ଡ ପଟ ରାସ୍ତା ଗେଟ୍ ଦେଇ ଆସିବେ । ଅନ୍ୟ ନିମନ୍ତ୍ରିତ ଅତିଥି ରାମ ମନ୍ଦିର ପଟ ରାସ୍ତାର ଗେଟ୍ ଦେଇ ଭିତରକୁ ପ୍ରବେଶ କରିବେ । ଶପଥ ଉସôବ ସ୍ଥଳର ଚାରିପଟେ ପ୍ରତି ୧୦୦ ମିଟର ପରିଧିରେ ଲାଗିବ ସିସିଟିଭି । ପ୍ରଦର୍ଶନୀ ପଡିଆକୁ ୨୪ ଘଣ୍ଟା ନଜରରେ ରଖିଛି କମିଶନରେଟ ପୋଲିସ । ତେବେ ଶପଥ ଗ୍ରହଣ କରିବା ପୂର୍ବରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୁଧବାର ସକାଳୁ ପୁରୀ ଯାଇ ମହାପ୍ରଭୁଙ୍କ ଦର୍ଶନ କରିବା କାର୍ଯ୍ୟକ୍ରମ ରହିଛି। ସେଠାରୁ ଫେରି ସିଧା ପ୍ରଦର୍ଶନୀ ପଡ଼ିଆରେ ଶପଥ ଗ୍ରହଣ ଉତ୍ସବରେ ଯୋଗଦେବେ।

LEAVE A REPLY

Please enter your comment!
Please enter your name here