ଓଡିଶାରେ ପଶିଲା ବିହାରର ଡର । ବିହାରରେ ଜର ଓଡିଶାରେ ଘାରିଲାଣି ଭୟ । ଏବେ ସବୁଠି ଚର୍ଚ୍ଚା ଲିଚୁ ଫଳକୁ ନେଇ । ଲିଚୁ କୋଳି ଦେଖି ଗ୍ରାହକ ବି ଡରିବା ଆରମ୍ଭ କଲେଣି । ଲିଚୁ କୋଳି ଖାଇ ବିହାରରେ ୧୦୦ରୁ ଅଧିକ ଶିଶୁଙ୍କ ମୃତ୍ୟୁ ହେବାପରେ ଓଡିଶା ସରକାରଙ୍କ ଚେତା ପଶିଛି । ରାଜ୍ୟର ବିଭିନ୍ନ ମାର୍କେଟକୁ ପଶ୍ଚିମବଙ୍ଗ ଓ ବିହାରରୁ ଲିଚୁ ଓ ଅନ୍ୟ ଫଳ ଆସିଥାଏ । ବିହାରରେ ପିଲାଙ୍କ ମୃତ୍ୟୁ ପରେ ରାଉରକେଲା ବଜାରରୁ ଲିଚୁ ଗାଏବ ହୋଇଯାଇଛି । ଭୁବନେଶ୍ୱର ବଜାରରୁ ମଧ୍ୟ ଉଭାନ ହୋଇଯାଇଛି ଲିଚୁ । କୌଣସି ଫଳ ଦୋକାନରେ ଲିଚୁ ଦେଖିବାକୁ ମିଳୁନି । ବଜାରରେ ବିକ୍ରି ହେଉଥିବା ଲିଚୁ ଖାଇବା ଯୋଗୁ ମସ୍ତିଷ୍କ ଜନିତ ରୋଗରେ ପିଡୀତ ହୋଇ ଶିଶୁମାନେ ପ୍ରାଣ ହରାଉଥିବା ସନ୍ଦେହ କରାଯାଉଛି । ସେଥିପାଇଁ ରାଜ୍ୟ ସରକାର ଓଡିଶାରେ ବିକ୍ରି ହେଉଥିବା ଲିଚୁ ନମୁନା ସଂଗ୍ରହ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ରାଜ୍ୟ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ କିଶୋର ଦାସ ଫୁଡ୍ ସେଫ୍ଟି କମିଶନରଙ୍କୁ ବଜାରରେ ବିକ୍ରି ହେଉଥିବା ଲିଚୁର ନମୁନା ସଂଗ୍ରହ କରି ସେଥିରେ ବିଷାକ୍ତ ଉପାଦାନ ରହିଛି କି ନାହିଁ ତାହା ପରୀକ୍ଷା କରି ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି । ତେବେ କାଁ ଭାଁ ଅନେକ ସ୍ଥାନରେ ଲିଚୁ ବିକ୍ରୀ ଚାଲିଛି । ତେବେ ଏଠାରୁ କେବେ ନମୁନା ସଂଗ୍ରହ କରାଯିବ ସିଏ ହେଉଛି ବଡ ପ୍ରଶ୍ନ ।
ବ୍ୟୁରୋ ରିପୋର୍ଟ, ତକ୍ଷକ ନ୍ୟୁଜ୍

LEAVE A REPLY

Please enter your comment!
Please enter your name here