ପଞ୍ଚମ ଥର ପାଇଁ ଶପଥ ନେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏଥିପାଇଁ ଭୁବନେଶ୍ୱର ପ୍ରଦର୍ଶନୀ ପଡ଼ିଆରେ ଆୟୋଜିତ ହୋଇଥିଲା ବର୍ଣ୍ଣାଢ୍ୟ ସମାରୋହ । ଏଥିପାଇଁ ପ୍ରାୟ ପାଞ୍ଚ ହଜାର ଲୋକ ବସିବା ଭଳି ସୁଦୃଶ୍ୟ ମଣ୍ଡପ ଓ ବାତାନୁକୁଳିତ ପ୍ରେକ୍ଷାଳୟ ନିର୍ମାଣ କରାଯାଇଥିଲା । ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ ପ୍ରଥମେ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇବା ପରେ ଅନ୍ୟ ମନ୍ତ୍ରୀମାନେ ଶପଥ ଗ୍ରହଣ କରିଥିଲେ । କ୍ୟାବିନେଟ ମନ୍ତ୍ରୀ ଭାବେ ପ୍ରଫୁଲ୍ଲ ମଲ୍ଲିକ, ବିକ୍ରମ କେଶରୀ ଆରୁଖ, ନିରଞ୍ଜନ ପୂଜାରୀ, ଟୁକୁନି ସାହୁ, ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ଡାକ୍ତର ଅରୁଣ କୁମାର ସାହୁ, ପ୍ରତାପ ଜେନା, ସୁଦାମ ମାରାଣ୍ଡି, ପଦ୍ମନାଭ ବେହେରା, ନବ କିଶୋର ଦାସ ଓ ସୁଶାନ୍ତ ସାହୁ ସିଂହ ଇଶ୍ୱରଙ୍କ ନାମରେ ପଦ ଓ ଗୋପନୀୟତାର ଶପଥ ନେଇଥିଲେ । ରାଷ୍ଟ୍ରମନ୍ତ୍ରୀ ଭାବେ ଶପଥ ନେଇଥିଲେ ଅଶୋକ ପଣ୍ଡା, ସମୀର ଦାଶ, ପଦ୍ମିନୀ ଦିଆନ, ଜ୍ୟୋତି ପ୍ରକାଶ ପାଣିଗ୍ରାହୀ, ଦିବ୍ୟଶଙ୍କର ମିଶ୍ର, ପ୍ରେମାନନ୍ଦ ନାୟକ, ରଘୁନନ୍ଦନ ଦାସ, ତୁଷାରକାନ୍ତି ବେହେରା ଓ ଜଗନ୍ନାଥ ସାରକା ।
ଏହି ଭବ୍ୟ ସମାରୋହରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବଡ଼ଭାଇ ପ୍ରେମ ପଟ୍ଟନାୟକ ଓ ଭଉଣୀ ଗୀତା ମେହେଟ୍ଟା ଉପସ୍ଥିତ ଥିଲେ । ନବୀନ ଜିନ୍ଦଲଙ୍କ ସମେତ ବହୁ ପ୍ରମୁଖ ଶିଳ୍ପପତି ଓ ପ୍ରତିଷ୍ଠିତ ବ୍ୟକ୍ତି ଶପଥ ସମାରୋହ ଉତ୍ସବରେ ଯୋଗ ଦେଇଥିଲେ । ଏଥିସହ ବିଜୁ ଜନତା ଦଳର ନବ ନିର୍ବାଚିତ ବିଧାୟକ ଓ ସାଂସଦମାନେ ମଧ୍ୟ ଯୋଗ ଦେଇଥିଲେ । କଂଗ୍ରେସ ନେତା ନରସିଂହ ମିଶ୍ର ଓ ତାରା ପ୍ରସାଦ ବାହିନୀପତି ମଧ୍ୟ ସମାରୋହରେ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here