ବିଜେପି ଓ କଂଗ୍ରେସରୁୁ ଆସିଥିବା ନେତାଙ୍କ ଉପରେ ନବୀନଙ୍କ ବିଶ୍ୱାସ । ନିର୍ବାଚନରେ ପ୍ରାର୍ଥୀ କରି ବିଧାୟକ ଭାବେ ଜିତାଇବା ପରେ ନବୀନ ତାଙ୍କ ମନ୍ତ୍ରୀମଣ୍ଡଳରେ ଅନ୍ୟ ଦଳରୁ ଆସିଥିବା ତିନିଜଣ ବିଧାୟକଙ୍କୁ ମନ୍ତ୍ରୀ କରିଛନ୍ତି । ସେମାନେ ହେଲେ ଝାରସୁଗୁଡା ବିଧାୟକ ନବକିଶୋର ଦାସ, ବାଲିକୁଦା ଏରସମା ବିଧାୟକ ରଘୁନନ୍ଦନ ଦାସ ଓ କାକଟପୁର ବିଧାୟକ ତୁଷାରକାନ୍ତି ବେହେରା । ନିର୍ବାଚନ ପୂର୍ବରୁ ନବକିଶୋର କଂଗ୍ରେସ ଦଳରୁ ଆସିଥିବା ବେଳେ ରଘୁନନ୍ଦନ ଓ ତୁଷାରକାନ୍ତି ବିଜେପିରୁ ଆସି ବିଜେଡିରୁ ପ୍ରାର୍ଥୀ ହୋଇଥିଲେ । ସବୁଠୁ ଗୁରୁତ୍ୱପୂର୍ଣ କଥା ହେଉଛି, ମନ୍ତ୍ରୀମଣ୍ଡଳରେ ନବୀନ ସେମାନଙ୍କୁ ସନ୍ତୁଷ୍ଟ କରିବା ପାଇଁ ଖାଲି ମନ୍ତ୍ରୀ କରିନାହାଁନ୍ତି, ବରଂ ଗୁରୁତ୍ୱପୂର୍ଣ ପଦବୀ ଦେଇଛନ୍ତି । ଏହି ତିନିଜଣଙ୍କ ମଧ୍ୟରୁ ରଘୁନନ୍ଦନ ଓ ତୁଷାରକାନ୍ତି ପ୍ରଥମଥର ବିଧାନସଭାକୁ ନିର୍ବାଚିତ ହୋଇଥିବା ବେଳେ ରଘୁନନ୍ଦନଙ୍କୁ ଜଳସଂପଦ ଭଳି ଗୁରୁତ୍ୱପୂର୍ଣ ପଦବୀ ମିଳିଛି । ଅବଶ୍ୟ ରଘୁନନ୍ଦନ ବିଜେପିରୁ ଆସିଥିଲେ ମଧ୍ୟ ଦାମୋଦର ରାଉତଙ୍କ ଭଳି ପୁରୁଖା ନେତାଙ୍କୁ ହରାଇ ସେ ନିର୍ବାଚିତ ହୋଇଥିବାରୁ ତାଙ୍କର ଗୁରୁତ୍ୱ ବଢିଯାଇଛି । ସେହିପରି କଂଗ୍ରେସରୁ ଆସିଥିଲେ ମଧ୍ୟ ନବ ଦାସଙ୍କୁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ଭଳି ଗୁରୁତ୍ୱପୂର୍ଣ ପଦବୀ ମିଳିଛି । ସବୁଠୁ ଆଶ୍ଚର୍ଯ୍ୟର କଥା ହେଉଛି, ଏଥରକ ବିଧାନସଭାକୁ ବିଜେଡିରୁ ଉଷା ଦେବୀ, ଅମର ଶତପଥୀ, ସୌମ୍ୟରଂଜନ ପଟ୍ଟନାୟକ, ଦେବୀ ମିଶ୍ର, ଭୂପିନ୍ଦର ସିଂ, ପ୍ରତାପ ଦେବ, ଶଶୀଭୂଷଣ ବେହେରା, ପ୍ରଦୀପ ଅମାତ, କିଶୋର ମହାନ୍ତିଙ୍କ ଭଳି ବହୁ ପ୍ରମୁଖ ନେତା ନିର୍ବାଚିତ ହୋଇଥିଲେ ମଧ୍ୟ ନବୀନ ସେମାନଙ୍କୁ ମନ୍ତ୍ରୀମଣ୍ଡଳରେ ସାମିଲ କରିନାହାଁନ୍ତି । ଏପରିକି ଏକାଧିକ ଥର ବିଧାନସଭାକୁ ନିର୍ବାଚିତ ହୋଇ ଆଦୌ ମନ୍ତ୍ରୀ ହୋଇପାରି ନଥିବା ଅନେକ ବିଧାୟକ ମଧ୍ୟ ରହିଛନ୍ତି ।

LEAVE A REPLY

Please enter your comment!
Please enter your name here