ରାଜନୀତି ମଇଦାନରେ କିଏ ଉଡେଇବ ବିଜୟ ଧ୍ୱଜା  । ବହୁ ହେଭିୱେଟଙ୍କର ଚାଲିଛି ଗୋଟି ଚାଳନା । ଏହାଭିତରେ ଆଜି ୧୯ ମହାଯୁଦ୍ଧର ଶେଷ ହୋଇଛି ଦ୍ୱିତୀୟ ପର୍ଯ୍ୟାୟ ଭୋଟିଂ  । ଘମାଘୋଟ ପ୍ରଚାର ପରେ ଆଜି ଥିଲା ବହୁ ହେଭିୱେଟଙ୍କ ଭାଗ୍ୟ ପରୀକ୍ଷା । ଭୋଟରଙ୍କୁ ମନେଇବାକୁ ରାତିଦିନ ଏକ କରି ପ୍ରଚାର କରିଥିଲେ ନେତା  । କେଉଁଠି ଷ୍ଟାର ପ୍ରଚାରକ ତ ଆଉ କେଉଁଠି ହାଇଭୋଲ୍ଟେଜ ପ୍ରଚାର । ଇଭିଏମ ମେସିନ ତ୍ରୁଟି ବିଚ୍ୟୁତକୁ ବାଦ ଦେଲେ ସୁରୁଖୁରୁରେ ସଂପନ୍ନ ହୋଇଛି ଲୋକସଭା ନିର୍ବାଚନର ଦ୍ଵିତୀୟ ପର୍ୟ୍ୟାୟ ମତଦାନ। ସନ୍ଧ୍ୟା ୫ଟା ସୁଦ୍ଧା ରାଜ୍ୟରେ ୬୪ ପ୍ରତିଶତ ମତଦାନ ହୋଇଛି। ତେବେ ଦିତ୍ୱୀୟ ପର୍ଯ୍ୟାୟ ପ୍ରଚାର ପରେ ଆଜି ଇଭିଏମ ମେସିନରେ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ, ବିରୋଧୀ ଦଳ ନେତା ନରସିଂହ ମିଶ୍ର ଏବଂ ବିଜେପି ବିଧାୟକ ଦଳ ନେତା କନକ ବର୍ଦ୍ଧନ ସିଂହଦେଓଙ୍କ ସମେତ ବହୁ ଟାଣୁଆ ନେତାଙ୍କ ଭାଗ୍ୟ ଇଭିଏମରେ କଏଦ ହୋଇଛି । ଆଜି ରାଜ୍ୟର ୫ ଲୋକସଭା ନିର୍ବାଚନ ମଣ୍ଡଳୀ ବରଗଡ, ସୁନ୍ଦରଗଡ, ବଲାଙ୍ଗିର, କନ୍ଧମାଳ, ଆସିକାରେ ହୋଇଥିଲା ମତଦାନ । ଏସବୁ ଲୋକସଭା ମଣ୍ଡଳୀ ଅନ୍ତର୍ଗତ ୩୫ଟି ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ବି ଭୋଟ ଗ୍ରହଣ କରାଯାଇଥିଲା । ସକାଳ ୫ଟା ୩୦ରେ ମକପୋଲ ହୋଇଥିବା ବେଳେ ୭ଟା ସମୟରେ ସବୁ ବୁଥରେ ମତଦାନ ଆରମ୍ଭ ହୋଇଥିଲା । ତେବେ ଦୁଇଟି ନିର୍ବାଚନମଣ୍ଡଳୀର  ୪ ଟି ବୁଥରେ ଇଭିଏମ ତ୍ରୁଟି ନେଇ ଲୋକମାନେ ଅଭିଯୋଗ କରିବା ପରେ ମତଦାନ ବାଧାପ୍ରାପ୍ତ  ହୋଇଥିଲା  ।  ତେବେ ସାନି ନିର୍ବାଚନ କରାଯିବା ନେଇ ସୁଚନା ଦେଇଛନ୍ତି ନିର୍ବାଚନ କମିଶନ । ସୁନ୍ଦରଗଡ ବିଧାନସଭାର ୨୧୩ ନମ୍ବର, ବଣାଇ ବିଧାନସଭାର ୧୨୯ ନମ୍ବର, ଏବଂ ଦଶପଲ୍ଲା ବିଧାନସଭାର ୨୧୦ ଓ ୨୨୨ ନମ୍ବର ବୁଥରେ ତ୍ରୁଟି ଲକ୍ଷ କରାଯାଇଥିଲା  । ମେସିନ ନୁହେଁ, ନିର୍ବାଚନ କର୍ମଚାରୀଙ୍କ ତ୍ରୁଟି ଥିବା କହିଛନ୍ତି ସିଇଓ । ଏମପି ଜାଗାରେ ଏମଏଲଏ ମେସିନ ଲଗାଇ ଦିଆଯାଇଥିଲା । ପ୍ରଚାର କସରତ ସରିବା ପରେ ଏବେ ନେତାଙ୍କ ଭାଗ୍ୟ ଭୋଟରଙ୍କ ହାତରେ । ଭୋଟର ନିଜ ଆଙ୍ଗୁଳି ଟିପରେ ଯେଉଁ ନିଷ୍ପତ୍ତି ଶୁଣାଇବେ ତା ଉପରେ ଆସନ୍ତା ୫ ବର୍ଷ ପାଇଁ ନିର୍ଭର କରିବ ରାଜନେତାଙ୍କ ଭାଗ୍ୟ ।

LEAVE A REPLY

Please enter your comment!
Please enter your name here