ସୁପର ସାଇକ୍ଲନରେ ପରିଣତ ହୋଇଛି ସାମୁଦ୍ରିକ ବାତ୍ୟା ଅମ୍ଫାନ୍ । ସୋମବାର ଦିନ ଭେରି ସିଭିଅର ସାଇକ୍ଲନିକ ଷ୍ଟର୍ମର ରୂପ ନେବ ବୋଲି ପୂର୍ବରୁ ଆକଳନ କରାଯାଇଥିଲେ ହେଁ ବାତ୍ୟା ଉଗ୍ର ରୂପ ଧାରଣ କରିଛି । ସୁପର ସାଇକ୍ଲନ ବା ମହାବାତ୍ୟାରେ ପରିଣତ ହେବା ପରେ ଅମ୍ଫାନ ପ୍ରଭାବରେ ପବନର ବେଗ ଘଣ୍ଟା ପ୍ରତି 275 କିଲୋମିଟର ରହିବ ବୋଲି କୁହାଯାଇଛି । ତେବେ ମହାବାତ୍ୟାରେ ପରିଣତ ହେବା ପରେ ସମୁଦ୍ର ଭିତରେ ଅତି ଭୟଙ୍କର ରୂପ ଧାରଣ କରିଛି ଅମ୍ଫାନ । ଅମ୍ଫାନର ଉଗ୍ରତା ଆସନ୍ତାକାଲି କମିଯିବ ଏବଂ ସ୍ଥଳଭାଗ ଛୁଇଁବା ବେଳକୁ ସୁପର ସାଇକ୍ଲନର ପ୍ରଭାବ ନ ଥିବ ବୋଲି ପାଣିପାଗ ବିଜ୍ଞାନୀ ପୂର୍ବାନୁମାନ କରିଛନ୍ତି । ତେବେ ଅମ୍ଫାନ ମହାବାତ୍ୟା ରୂପ ଧାରଣ କରିବା ପରେ ପୁରୀ, ଖୋର୍ଦ୍ଦା, ଗଞ୍ଜାମ ଓ ଗଜପତି ଜିଲ୍ଲାରେ ମଧ୍ୟ ବର୍ଷା ହେବାର ସମ୍ଭାବନା ରହିଛି । ପୂର୍ବରୁ ଜଗତସିଂହପୁର, କେନ୍ଦ୍ରାପଡା, ଭଦ୍ରକ ଓ ବାଲେଶ୍ବର ଜିଲ୍ଲା ଫୋକସରେ ରହିଥିବା ବେଳେ ଏବେ ଉପକୂଳବର୍ତ୍ତୀ ଜିଲ୍ଲାଗୁଡିକରେ ଆଲର୍ଟ ରହିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଆଜି ରାତିରୁ ରାଜ୍ୟର ଉପକୂଳବର୍ତ୍ତୀ ଜିଲ୍ଲାଗୁଡିକର କିଛି ଅଞ୍ଚଳରେ ବର୍ଷା ଆରମ୍ଭ ହୋଇଯିବ ଏବଂ 19 ତାରିଖରେ ପବନର ବେଗ ବୃଦ୍ଧି ପାଇବ ବୋଲି କୁହାଯାଇଛି । ଅମ୍ଫାନ ମହାବାତ୍ୟାରେ ପରିଣତ ହେବା ପରେ ତଳିଆ ଅଂଚଳରୁ ଲୋକଙ୍କୁ ସ୍ଥାନାନ୍ତର କରିବା ପାଇଁ ପ୍ରଶାସନ ପ୍ରସ୍ତୁତି ଆରମ୍ଭ କରିଛି ।

LEAVE A REPLY

Please enter your comment!
Please enter your name here