ଭାରତୀୟ ବାୟୁସେନାର ଦୁଇ ଲଢୁଆ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି । ଫଳରେ ଜଣେ ପାଇଲଟ ମୃତ୍ୟୁବରଣ କରିଛନ୍ତି । ଆଜି ସକାଳେ ଗୋଆଲିଅର ସ୍ଥିତ ମହାରାଜପୁର ବିମାନଘାଟିରୁ ବାୟୁସେନାର ଦୁଇ ଲଢୁଆ ବିମାନ ସୁଖୋଇ-30 ଓ ମିରେଜ-2000 ଯୁଦ୍ଧାଭ୍ୟାସ ଉଡାଣରେ ବାହାରିଥିଲେ । ମାତ୍ର ମଧ୍ୟପ୍ରଦେଶର ମୋରାନ ନିକଟରେ ଦୁଇ ଲଢୁଆ ବିମାନ କ୍ରାସ ହୋଇଥିବା ଦିଲ୍ଲୀ ଡିଫେନ୍ସ ରିଭ୍ୟୁ ଟ୍ବିଟ୍ କରି ସୂଚନା ଦେଇଛି । ଦୁଇ ବିମାନ କ୍ରାସ ଯୋଗୁ ମିରେଜ ବିମାନର ପାଇଲଟ ମୃତ୍ୟୁବରଣ କରିଥିବା ବେଳେ ଅନ୍ୟ ଦୁଇ ପାଇଲଟ ଆହତ ହୋଇଛନ୍ତି । ସୁଖୋଇ ବିମାନରେ ଦୁଇଜଣ ପାଇଲଟ ଥିବା ବେଳେ ମିରେଜରେ ଜଣେ ପାଇଲଟ ଥିଲେ ।
ଦୁଇ ବିମାନ ଭିତରେ କିଭଳି ଦୁର୍ଘଟଣା ହେଲା, ତଦନ୍ତ ପାଇଁ ବାୟୁସେନା ପକ୍ଷରୁ କୋର୍ଟ ଅଫ୍ ଇନକ୍ବାରୀ ଗଠନ କରାଯାଇଛି । ତେବେ ଦୁଇ ବିମାନ ପରସ୍ପର ଭିତରେ ଧକ୍କା ହେବା ଯୋଗୁ ଏହି ଦୁର୍ଘଟଣା ଘଟିଥିବା କୁହାଯାଉଛି ।

LEAVE A REPLY

Please enter your comment!
Please enter your name here