ସେଲଟର ହୋମ୍, ଅସହାୟ ଝିଅଙ୍କ ପାଇଁ ଆଶ୍ରୟସ୍ଥଳି. ମାତ୍ର ଆଶ୍ରୟସ୍ଥଳୀରେ ବି ସୁରକ୍ଷିତ ନୁହେଁ ଅସହାୟ ଝିଅଟି. ଅସହାୟତାର ସୁଯୋଗ ନେବାକୁ ଯେମିତି ଅନେଇ ବସିଛନ୍ତି ସମାଜର ରାକ୍ଷସମାନେ. ଆମେ କହୁଛୁ ଢେଙ୍କାନାଳ ଜିଲ୍ଲା ସଦର ଥାନା ଅନ୍ତର୍ଗତ ବେଲଟିକିରିସ୍ଥିତ ସେଲଟର୍ ହୋମ୍ ‘ଗୁଡ୍‌ ନିୟୁଜ୍‌ ଇଣ୍ଡିଆ ଡ୍ରିମ୍ସ ସେଣ୍ଟର’ରେ ଶିଶୁ, କିଶୋରୀଙ୍କ ଉପରେ ହେଉଥିବା ନିର୍ଯାତନାର କଥା. ନିର୍ଯାତନା ସଂପର୍କରେ ଜଣାପଡିବା ପରେ ଏବେ ଆରମ୍ଭ ହୋଇଛି ଖୋଳତାଡ. ଶିଶୁ ମଙ୍ଗଳ କମିଟି ସେଠାରେ ପହଞ୍ଚି ଚଢାଉ କରିଛି ଏବଂ କେୟାରଟେକର ସିମାଞ୍ଚଳ ନାଏକଙ୍କୁ ଗିରଫ କରିଛି. ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ସେଲଟର୍ ହୋମ୍ ବିପକ୍ଷରେ ଥାନାରେ ଅଭିଯୋଗ କରିବା ପରେ ପୋଲିସ କାର୍ଯ୍ୟାନୁଷ୍ଠାନ ହୋଇଛି. ଅନ୍ତେବାସିନୀ କରିଥିବା ଅଭିଯୋଗ ଅନୁଯାଯୀ, ସେମାନଙ୍କ ପ୍ରତି କେୟାରଟେକର ସିମାଞ୍ଚଳ ଓ ସଂସ୍ଥାର ମୁଖ୍ୟ ଫେଜ ରହମାନ ଶାରୀରିକ ଓ ମାନସିକ ନିର୍ଯାତନା ଦେଇଥାନ୍ତି. ଏମିତିକି ସେମାନଙ୍କ ସମ୍ବେଦନଶୀଳ ଅଙ୍ଗକୁ ଛୁଇଁଥିବା ଅଭିଯୋଗ ହୋଇଛି. ମାତ୍ର ପ୍ରଶ୍ନ ଉଠୁଛି, ଏତେଦିନ ଧରି ଚାଲିଥିବା ଏହି ସେଲଟର ହୋମକୁ ସରକାରୀ ବ୍ୟବସ୍ଥାରେ କେମିତି ମନିଟରିଂ କରାଯାଉଥିଲା ଯ଼େ, ନିର୍ଯାତନା ସଂପର୍କରେ କେହି ଟେର୍ ପାଉନଥିଲେ. ଘଟଣା ପଦାକୁ ଆସିବା ପରେ ମହିଳା ଓ ଶିଶୁ କଲ୍ୟାଣ ବିଭାଗ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ ସେଲଟର ହୋମ ବେଆଇନ ଭାବେ ଚାଲିଥିଲା ବୋଲି କହିଛନ୍ତି.

 

LEAVE A REPLY

Please enter your comment!
Please enter your name here