ସାଧାରଣ ନିର୍ବାଚନ ଯେତିକି ପାଖଉଛି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ଓଡିଶା କଥା ସେତିକି ମନେ ପଡୁଛି । ୧୦ ଦିନ ତଳେ ଓଡିଶା ଆସି ମୋଦି ୧୪ ହଜାର ୫ଶହ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଠାରୁ ଲୋକାର୍ପଣ ପର୍ବ ସାରିକି ଗଲେ । ଆଜି ମୟୁରଭଞ୍ଜ ଗସ୍ତରେ ଆସି ପ୍ରାୟ ସାଢେ ହଜାର କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କରିଛନ୍ତି । ଏହି ଅବସରରେ ମୋଦି ତାଙ୍କ ଭାଷଣରେ ବିକାଶର କଥା ଯେତିକି କହି ନାହାଁନ୍ତି, ବିଭିନ୍ନ କ୍ଷେତ୍ରରେ ରାଜ୍ୟ ସରକାରଙ୍କ ବିଫଳତାର ପ୍ରଚାର ସେତିକି କରିଛନ୍ତି । ପିପିଲି ପିଡୀତାଙ୍କ ଠାରୁୁ ଆରମ୍ଭ କରି ଚାଷୀ ପର୍ଯ୍ୟନ୍ତ ପ୍ରସଙ୍ଗ ଉଠାଇ ମୋଦି ରାଜ୍ୟର ନବୀନ ସରକାରକୁ କଟୁ ସମାଲୋଚନା କରିଛନ୍ତି । ସ୍ଲୋଗାନ ଦେଇଛନ୍ତି, ପୂର୍ବୋଦୟରୁ ହେବ ଭାରତର ବିକାଶ ଏବଂ ଓଡିଶା ଏ କ୍ଷେତ୍ରରେ ପ୍ରମୁଖ ଭୂମିକା ନିର୍ବାହ କରିବ । ପ୍ରଧାନମନ୍ତ୍ରୀ ଶିଳାନ୍ୟାସ କରିଥିବା ବିଭିନ୍ନ ପ୍ରକଳ୍ପ ମଧ୍ୟରେ ରହିଛି ଜାତୀୟ ରାଜପଥକୁ ପ୍ରଶସ୍ତ କରିବା, ଫ୍ଲାଏ ଓଭର, ସେତୁ , ସର୍ଭିସ ରୋଡ, ପାସପୋର୍ଟ ସେବା କେନ୍ଦ୍ର, ଗ୍ୟାସ ପାଇପ ଲାଇନ ପ୍ରଭୃତି । ପ୍ରଶ୍ନ ଉଠୁଛି ଏ ସମସ୍ତ କାର୍ଯ୍ୟ କ୍ଷେତ୍ରରେ ଓଡିଶା ଅନ୍ୟ ରାଜ୍ୟ ତୁଳନାରେ ବହୁ ପଛରେ ପଡି ନଥିଲା କି? ପର୍ଯ୍ୟାୟକ୍ରମେ ଏସବୁ କାର୍ଯ୍ୟ ଚାଲିଥିବାବେଳେ ନିର୍ବାଚନକୁ ଆଖି ଆଗରେ ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏଭଳି ମାରାଥନ ଶିଳାନ୍ୟାସ କାର୍ଯ୍ୟକ୍ରମ ଆରମ୍ଭ କରିଦେଇଛନ୍ତି । ପାଞ୍ଚ ବର୍ଷ ତଳୁ ଦେଶର ବିକାଶ ପାଇଁ ପ୍ରତିଶୃତି ଦେଇ ମୋଦିଙ୍କ ନେତୃତ୍ୱରେ ବିଜେପି କେନ୍ଦ୍ରରେ ସରକାର ଗଠନ କରିଛି । ମାତ୍ର ପାଞ୍ଚ ବର୍ଷ ସରି ସରି ଆସୁଥିବାବେଳେ ମୋଦିଙ୍କର ଘନ ଘନ ଓଡିଶା ଗସ୍ତ ଏବଂ ଉଦଘାଟନ ଓ ଶିଳାନ୍ୟାସ ପର୍ବରୁ ରାଜନୀତିର ଗନ୍ଧ ବାହାରୁନି କି?

LEAVE A REPLY

Please enter your comment!
Please enter your name here