ମାଡି ଆସୁଛି ଆଉ ଏକ ବିପଦ । ବଙ୍ଗୋପସାଗରରେ ବଳ ଗୋଟାଉଛି ପୁଣି ଏକ ବାତ୍ୟା । କରୋନା ସମୟରେ ଏବେ ଓଡିଶାବାସୀଙ୍କୁ ଘାରିଛି ବାତ୍ୟା ଭୟ । ୧୬ ସୁଦ୍ଧା ଝଡ ବାତ୍ୟାର ରୂପ ନେଇପାରେ ଲଘୁଚାପ । ଏହାର ପ୍ରଭାବରେ ରାଜ୍ୟରେ ବହୁସ୍ଥାନରେ ୧୮ ତାରିଖରୁ ସ୍ୱଳ୍ପରୁ ମଧ୍ୟମ ଏବଂ ୧୯ରୁ ପ୍ରବଳରୁ ଅତି ପ୍ରବଳ ବର୍ଷାର ସମ୍ଭାବନା ରହିଛି । ପାଣିପାଗ ବିଭାଗର ପୂର୍ବାନୁମାନ ଅନୁସାରେ, ୧୭ ତାରିଖରେ ରାଜ୍ୟର ଉପକୂଳବର୍ତ୍ତୀ ଅଞ୍ଚଳ ମାଲକାନଗିରି, କୋରାପୁଟ , ରାୟଗଡା, କନ୍ଧମାଳ , କେନ୍ଦୁଝର, ମୟୂରଭଞ୍ଜ ଓ ବୌଦ୍ଧ ଜିଲ୍ଲାରେ ଘଡଘଡି ସହିତ ବର୍ଷା ହେବାର ସମ୍ଭାବନା ରହିଛି । ୧୮ ତାରିଖରେ ଗଜପତି, ଗଞ୍ଜାମ, ପୁରୀ, ଜଗତସିଂହପୁରଏବଂକେନ୍ଦ୍ରାପଡା ଜିଲ୍ଲାରେ ପ୍ରବଳ ବର୍ଷା ହେବ । ରାଜ୍ୟର ଦକ୍ଷିଣ ଉପକୂଳବର୍ତ୍ତୀ ଅଞ୍ଚଳରେ ଘଣ୍ଟାପ୍ରତି ୪୦ରୁ ୬୦ କିଲୋମିଟର ବେଗରେ ପବନ ବହିବ । ୧୯ ତାରିଖରେ ଓଡିଶା ପଶ୍ଚିମବଙ୍ଗ ଉପକୂଳରେ ୬୦ରୁ ୭୦ କିଲୋମିଟର ବେଗରେ ପବନ ବହିବ । ଓଡିଶା ଉପରେ ବାତ୍ୟାର କିଭଳି ରହିବ ପ୍ରଭାବ, ତାକୁ ନେଇ ଆଶଙ୍କା ବଢୁଥିବାବେଳେ ସରକାର ସଜାଗ ଅଛନ୍ତି ବୋଲି କହିଛନ୍ତି ଏସଆରସି । ତେବେ ଓଡିଶା ଉପରେ ବାତ୍ୟାର ପ୍ରଭାବ ଏଯାଏ ସ୍ପଷ୍ଟ ହୋଇନି । ତଥାପି ୪ ଜିଲ୍ଲାକୁ ଆଲର୍ଟ କରାଯାଇଛି । ଏପର‌୍ୟ୍ୟନ୍ତ ସାମୁଦ୍ରିକ ବାତ୍ୟା ଅମ୍ଫାନ୍ କେଉଁଠି ଲ୍ୟାଣ୍ଡଫଲ କରିବ, ତାହା ସ୍ପଷ୍ଟ ହୋଇ ନଥିଲେ ହେଁ ଆଣ୍ଡାମାନ. ପଶ୍ଚିମବଙ୍ଗ, ଓଡିଶା ପ୍ରତି ବିପଦ ଥିବା ଆଶଙ୍କା କରାଯାଉଛି । ଆଜିଠୁ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ମଧ୍ୟକୁ ଯିବାକୁ ବାରଣ କରାଯାଇଛି । ଅନ୍ୟପକ୍ଷରେ ରାଜ୍ୟ ସରକାର ସମ୍ଭାବ୍ୟ ବାତ୍ୟା ମୁକାବିଲା ପାଇଁ ଜିଲ୍ଲା ପ୍ରଶାସନଗୁଡିକୁ ସଜାଗ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି । ସ୍ବତନ୍ତ୍ର ରିଲିଫ କମିଶନର ବାତ୍ୟା ପ୍ରସ୍ତୁତି ନେଇ ସମୀକ୍ଷା କରିବା ସହ ବିଭିନ୍ନ ସ୍ଥାନରେ ଥିବା ସେଲଟର ହୋମଗୁଡିକୁ ପ୍ରସ୍ତୁତ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି । ତେବେ ବାତ୍ୟାର ପ୍ରଭାବରେ ଉତ୍ତର ଓଡିଶା ବେଶୀ ପ୍ରଭାବିତ ହୋଇପାରେ ବୋଲି ଆଶଙ୍କା କରାଯାଉଛି ।

ଗତ ୧୦ ବର୍ଷ ଭିତରେ ଛୋଟ ବଡ ୫ ଟି ବାତ୍ୟାର ସମ୍ମୁଖୀନ ହୋଇଛି ଓଡିଶା । ୨୦୧୩ରେ ଫାଇଲିନ୍‌, ୨୦୧୪ରେ ହୁଡହୁଡ, ୨୦୧୮ରେ ତିିତଲିି, ୨୦୧୯ରେ ବୁଲବୁଲ ଏବଂ ଫନି । ଗତବର୍ଷ ମେ ୩ରେ ବାତ୍ୟା ଫନି ପୁରୀ ବାଲୁଖଣ୍ଡରେ ଲ୍ୟାଣ୍ଡଫଲ୍ କରିବା ସହ ଓଡିଶା ଉପକୂଳରେ ଧ୍ବଂସର ତାଣ୍ଡବଲୀଳା ରଚିଥିଲା

LEAVE A REPLY

Please enter your comment!
Please enter your name here