ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୬୮ ବର୍ଷ ବୟସରେ ପାଦ ଥାପିଛନ୍ତି । ସାରା ଦେଶରୁ ମୋଦିଙ୍କ ପାଖକୁ ଛୁଟିଛି ଶୁଭେଚ୍ଛାର ସୁଅ । ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ଦାମୋଦର ଦାସ ମୋଦିଙ୍କର ଜନ୍ମ ୧୯୫୦ ମସିହା ସେପ୍ଟେମ୍ବର ୧୭ ତାରିଖରେ ଗୁଜରାଟର ଭାଡ୍ ନଗର ଠାରେ ହୋଇଥିଲା । ତାଙ୍କ ମାତା ହିରାବେନ ମୋଦି ଏବଂ ପିତା ଦାମୋଦର ଦାସ ମୂଳଚାନ୍ଦ ମୋଦି ତାଙ୍କୁ ଅତି ସ୍ନେହ କରୁଥିଲେ । ପାଠ ପଢୁଥିବା ବୟସରେ ଭାଡ୍ ନଗର ରେଳ ଷ୍ଟେସନରେ ସେ ପିତାଙ୍କ ଚା’ ଷ୍ଟଲରେ କାମ କରୁଥିଲେ । ୧୯୬୮ରେ ଉଚ୍ଚ ମାଦ୍ୟମିକ ପରୀକ୍ଷା ପାସ କରିଥିଲେ ମୋଦି । ୧୮ ବର୍ଷ ବୟସରେ ସେ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘରେ ଯୋଗଦେଇଥିଲେ । ତେବେ ପ୍ରଧାନମନ୍ତ୍ରୀ ମୋଦି ଆଜି ୬୮ ତମ ଜନ୍ମଦିନକୁ ପାଳନ କରୁଛନ୍ତି । ଜନ୍ମଦିନ ପାଳନ କରିବାକୁ ବାରଣାସୀ ଗସ୍ତ କରିବେ ମୋଦି । ଏହି ଗସ୍ତରେ ପ୍ରଧାନମନ୍ତ୍ରୀ ଅନେକ ପ୍ରକଳ୍ପକୁ ଲୋକାର୍ପଣ ଏବଂ ଶିଳାନ୍ୟାସ କରିବା ସହ ନିଜ ନିର୍ବାଚନମଣ୍ଡଳୀର ଜନତାଙ୍କୁ ୫୫୭.୪୦ କୋଟି ଟଙ୍କାର ବିଭିନ୍ନ ଉପହାର ପ୍ରଦାନ କରିବେ । ମୋଦିଙ୍କର ଏହି ଦୁଇଦିନିଆ ଗସ୍ତ ପାଇଁ ପ୍ରଶାସନ ତରଫରୁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ମୋଦୀଙ୍କୁ ସ୍ୱାଗତ କରିବା ପାଇଁ ରାଜ୍ୟପାଳ ରାମ ନାଇକ ଏବଂ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ବାରଣାସୀ ପହଁଞ୍ଚିବେ । ସଂନ୍ଧ୍ୟା ୫ଟାରେ ମୋଦି କାଶୀ ପହଁଞ୍ଚିବାର କାର୍ଯ୍ୟକ୍ରମ ରହିଛି । ନିଜ ଜନ୍ମଦିନ ଅବସରରେ ମୋଦି ସେଠାରେ ତାଙ୍କ ଜୀବନୀ ଉପରେ ନିର୍ମିତ ଏକ ଫିଲ୍ମ ୫ ହଜାର ପିଲାମାନଙ୍କ ସହ ମିଶି ଦେଖିବାର କାର୍ଯ୍ୟକ୍ରମ ମଧ୍ୟ ରହିଛି ।

ପ୍ରଥମେ ମୋଦି ଡିରିକାରେ କିଛି ସମୟ ରହିବା ପରେ ନରଉର ସ୍ଥିତି ଏକ ପ୍ରାଥମିକ ବିଦ୍ୟାଳୟ ଗସ୍ତ କରିବେ ସେଠାରେ ସେ ବିଦ୍ୟାଳୟକୁ ଅନୁଧ୍ୟାନ କରିବା ସହ ନିକଟରେ ଥିବା ବିଭିନ୍ନ ବିଦ୍ୟାଳୟର ପ୍ରାୟ ୨୦୦ ଛାତ୍ରଛାତ୍ରୀଙ୍କୁ ସମ୍ବୋଧନ କରିବେ । ସେଠାରୁ ଫେରିବା ପରେ କାଶୀ ବିଦ୍ୟାପୀଠର ଛାତ୍ରଙ୍କ ସହ ଆଲୋଚନା କରିବେ ମୋଦି ।
ଆସନ୍ତାକାଲି ମୋଦି ବିଏଚୟୁରେ ଏକ ଜନସଭା କରିବେ । ଏହାପୂର୍ବରୁ ପ୍ରଧାନମନ୍ତ୍ରୀ ଆଇପିଡିଏସ, ଦୀନଦୟାଲ ଗ୍ରାମ ଜ୍ୟୋତି ଯୋଜନା, ନାଗେପୁର ଗ୍ରାମ ପେୟଜଲ ଯୋଜନା, ଅଟଳ ଇକୁ୍ୟବେସନ ସେଣ୍ଟର ଆଦିର ଲୋକାର୍ପଣ ସହ ବିଏଚୟୁରେ ବୈଦିକ ବିଗ୍ୟାନ କେନ୍ଦ୍ର ଏବଂ କିଛି ବିଦୁ୍ୟତ ଉପକେନ୍ଦ୍ରକୁ ଶିଳାନ୍ୟାସ କରିବେ ।
ମୋଦିଙ୍କ ଜନ୍ମଦିନ ଅବସରରେ ଟୁଇଟର ମଧ୍ୟ ମୋଦିଙ୍କୁ ଭିନ୍ନ ଢଙ୍ଗରେ ଶୁଭେଚ୍ଛା ଜଣାଇଛି । ମୋଦିଙ୍କ ଟୁଇଟର ପେଜ୍ ଖୋଲିବା ପରେ ଦେଖାଯାଉଛି ରଙ୍ଗବେରଙ୍ଗର ବେଲୁନ ମୋଦିଙ୍କୁ ବାର୍ଥ ଡେ ୱିଶ୍ କରୁଛନ୍ତି ।

LEAVE A REPLY

Please enter your comment!
Please enter your name here