ଦିନେ ପିଲାଙ୍କ ପାଠପଢିବା ପାଇଁ ସ୍କୁଲଘର ତିଆରି କରିବାକୁ ନିଜ ଘର ଭାଙ୍ଗି ଇଟା ଦେଇଥିଲେ । ଏବେ ନିଜେ ମୁଣ୍ଡ ଗୁଞ୍ଜିବା ପାଇଁ ଘର ଖଣ୍ଡେ ନାହିଁ । ଦିନେ ଗରିବ ଲୋକଙ୍କ ସେବାକୁ ଜୀବନର ବ୍ରତ କରିଥିଲେ, ଏବେ ଅର୍ଥାଭାବରୁ ଚିକିତ୍ସା କରିପାରୁନାହାଁନ୍ତି । ଦିନେ ନିଜ ଭାଷଣରେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କୁ ମୁଗ୍ଧ କରିଦେଇଥିଲେ, ଏବେ କିନ୍ତୁ କଥା କହିବାକୁ ବଳ ନାହିଁ । ବୟସର ଅପରାହ୍ନରେ ପହଞ୍ଚିଥିବା ଏ ବ୍ୟକ୍ତିଙ୍କ ଘର ଦେଖିଲେ ଆପଣ ଭାବୁଥିବେ, ଏ କୌଣସି ବିପିଏଲ ଭୁକ୍ତ ବ୍ୟକ୍ତିଙ୍କ ଘର । ମାତ୍ର ଆପଣ ଜାଣିଲେ ଆଶ୍ଚର୍ଯ଼୍ୟ ହୋଇଯିବେ, ଏ ବ୍ୟକ୍ତି ହେଉଛନ୍ତି ଅବିଭକ୍ତ ଫୁଲବାଣୀ ନିର୍ବାଚନମଣ୍ଡଳୀର ପୂର୍ବତନ ବିଧାୟକ ପ୍ରହଲ୍ଲାଦ ବେହେରା । ବିଜୁବାବୁଙ୍କ ଡ୍ରାଇଭର ଥିବା ପ୍ରହଲ୍ଲାଦଙ୍କୁ ଥରେ କୌଣସି ଏକ ସଭାରେ ଭାଷଣ ଦେବାକୁ ବିଜୁବାବୁ କହିଲେ । ଆଉ ପ୍ରହଲ୍ଲାଦ ସଭାରେ ଭାଷଣ ବି ଦେଲେ । ବାସ୍, ଖୁସି ହୋଇଗଲେ ବିଜୁବାବୁ । 1977ରେ ଫୁଲବାଣୀ ସଂରକ୍ଷିତ ବିଧାନସଭା ଆସନରୁ ପ୍ରହଲ୍ଲାଦଙ୍କୁ ଟିକେଟ ଦେଲେ ବିଜୁ । ଜନତା ପାର୍ଟି ଟିକେଟରେ ପ୍ରହଲ୍ଲାଦ ନିର୍ବାଚନ ଜିତି ବିଧାୟକ ହୋଇଗଲେ । ମାତ୍ର ଦୁଇବର୍ଷ ପାଇଁ ବିଧାୟକ ଥିବା ପ୍ରହଲ୍ଲାଦ ନିଜ ନିର୍ବାଚନମଣ୍ଡଳୀର ବିକାଶ ପାଇଁ ଅନେକ କିଛି କାମ କରିଥିଲେ, ଯାହାକୁ ଏବେ ବି ଲୋକେ ମନେ ପକାଉଛନ୍ତି । ମାତ୍ର ବିଜୁଙ୍କ ଆଶୀର୍ବାଦରେ ଡ୍ରାଇଭରରୁ ବିଧାୟକ ହୋଇଥିବା ପ୍ରହଲ୍ଲାଦ ଏବେ ସମସ୍ତଙ୍କ ପାଇଁ ଅଲୋଡା ହୋଇଯାଇଛନ୍ତି ।ଗତ ତିନିବର୍ଷ ଧରି ପାରାଲିସିସରେ ଆକ୍ରାନ୍ତ ହୋଇଛନ୍ତି ପ୍ରହଲ୍ଲାଦ । ଅର୍ଥାଭାବରୁ ବାପାଙ୍କ ଚିକିତ୍ସା କରାଇବାରେ ସମର୍ଥ ହୋଇପାରିନାହାନ୍ତି ତାଙ୍କ ପୁଅ ରୁଦ୍ର ପ୍ରତାପ । ଭାଷଣରେ ବିଜୁ ପଟ୍ଟନାୟକଙ୍କୁ କରିଥିବା ପ୍ରହଲ୍ଲାଦ ଏବେ ପୁରାପୁରି ନିରବ ହୋଇଯାଇଛନ୍ତି । ନୁଆଣିଆ ଚାଳଛପର ଘରେ ବିଛଣାରେ ପଡି ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି ପୂର୍ବତନ ବିଧାୟକ ପ୍ରହଲ୍ଲାଦ ବେହେରା । ଜଣେ ପୂର୍ବତନ ବିଧାୟକଙ୍କ ଏଭଳି ଦୟନୀୟ ଅବସ୍ଥା ପ୍ରଶାସନିକ ବିଧି ବ୍ୟବସ୍ଥା ପ୍ରତି ଉପହାସ ନୁହେଁ କି ..

LEAVE A REPLY

Please enter your comment!
Please enter your name here