ପୁରୀରେ ଆୟୋଜିତ ପ୍ରଶିକ୍ଷଣ ଶିବିରରେ ଆସନ୍ତା ନିର୍ବାଚନ ପାଇଁ ରୋଡ୍ ମ୍ୟାପ୍ ପ୍ରସ୍ତୁତ କରିଛି ବିଜେପି । ତିନିଦିନ ଧରି ଚାଲିଥିବା ପ୍ରଶିକ୍ଷଣ ଶିବିରରେ କିପରି ବୁଥ୍ ସ୍ତରରୁ ସଂଙ୍ଗଠନକୁ ସୁଦୃଢ କରାଯିବ, ସେଥିପାଇଁ ପ୍ରସ୍ତୁତି ଆରମ୍ଭ କରିବାକୁ ପରାମର୍ଶ ଦିଆଯାଇଛି । ପୂର୍ବରୁ 2014 ଓ 2019 ନିର୍ବାଚନରେ ଦଳର ଭୋଟହାର ବୃଦ୍ଧି ପାଇଛି । ଏପରିକି ଗତ ନିର୍ବାଚନରେ କଂଗ୍ରେସକୁ ହଟାଇ ଦଳ ବିରୋଧୀ ଦଳ ଆସନରେ ବସିଛି । ପଞ୍ଚାୟତ ନିର୍ବାଚନରେ ମଧ୍ୟ ଦଳ ଯଦିଓ ସଂଖ୍ୟା ଦୃଷ୍ଟିରୁ ଅଧିକ ଆସନ ହାସଲ କରିବାରେ ବିଫଳ ହୋଇଥିଲା, ତଥାପି ଦଳର ଭୋଟ ହାର ବୃଦ୍ଧି ଉତ୍ସାହଜନକ ବୋଲି ଦଳୀୟ ନେତାମାନେ କହିଛନ୍ତି । ଓଡିଶାରେ ଦଳ ଆଗକୁ ବଢୁଛି ଏବଂ ଆସନ୍ତା ନିର୍ବାଚନରେ ବିଜେଡିକୁ ହଟାଇ ଦଳ କିପରି କ୍ଷମତାସୀନ ହେବ, ସେଥିପାଇଁ ରଣନୀତି ପ୍ରସ୍ତୁତ କରିଛି ।
ପ୍ରଶିକ୍ଷଣ ବୈଠକର ତୃତୀୟ ଦିନରେ କେନ୍ଦ୍ରୀୟ ନେତାମାନେ ଦଳୀୟ ନେତାଙ୍କୁ ଆସନ୍ତା ନିର୍ବାଚନ ଜିତିବା ପାଇଁ ଏବେଠୁ କାର୍ଯ୍ୟ ଆରମ୍ଭ କରିବା ଉପରେ ଗୁରୁତ୍ବ ଦେଇଛନ୍ତି । ଦଳୀୟ ରଣନୀତିକୁ ଅନୁସରଣ କରିବାକୁ ଏବଂ ସମସ୍ତ ନେତା ଏକଜୁଟ ହୋଇ କାର୍ଯ୍ୟ କରିବାକୁ ପରାମର୍ଶ ଦିଆଯାଇଛି ।
ଗତ 22 ବର୍ଷ ଧରି ଗୋଟିଏ ଦଳର ସରକାର ଥିବାରୁ ଲୋକଙ୍କ ଅସନ୍ତୋଷକୁ ଭୋଟରେ ପରିଣତ କରିବା ଉପରେ ବିଜେପି ଫୋକସ କରିଛି । ଆସନ୍ତା 29 ଓ 30 ତାରିଖରେ ଦଳର ଜାତୀୟ ସଭାପତି ଜେ. ପି. ନଡ୍ଡା ଓଡିଶା ଆସିବାର କାର୍ଯ୍ୟକ୍ରମ ରହିଛି ।

LEAVE A REPLY

Please enter your comment!
Please enter your name here