ସାମ୍ବାଦିକରୁ ରାଜଧାନୀ ଭୁବନେଶ୍ବରର ମେୟର । ଭୁବନେଶ୍ବର ମହାନଗର ନିଗମର ପ୍ରଥମ ମହିଳା ମେୟର ସୁଲୋଚନା ଦାସ । ସାମ୍ବାଦିକ ଭାବେ ଦିଲ୍ଲୀ ମିଡ୍ ଡେ ରେ କ୍ୟାରିଅର ଆରମ୍ଭ କରିଥିଲେ ସୁଲୋଚନା । ପରେ ସେ ନୂଆଦିଲ୍ଲୀରେ ବିଜିନେସ ଇଣ୍ଡିଆ ଟେଲିଭିଜନରେ ଆସିଷ୍ଟାଣ୍ଟ ନ୍ୟୁଜ ପ୍ରଡ୍ୟୁସର ଭାବେ କାର୍ଯ୍ୟ କରିଥିଲେ । 1998ରେ ଓଡିଶା ଆସି ଓଟିଭିରେ ଯୋଗ ଦେଇଥିଲେ । 2001ରେ ଓଡିଶାର ପ୍ରଥମ ସାଟେଲାଇଟ ଟିଭି ଚ୍ୟାନେଲ ଇଟିଭି ଓଡିଆ ନ୍ୟୁଜର ବ୍ୟୁରୋହେଡ୍ ଭାବେ ଦାୟିତ୍ବ ଗ୍ରହଣ କରିଥିଲେ । ଦୀର୍ଘବର୍ଷ ଇଟିଭିରେ କାର୍ଯ୍ୟ କରିବା ପରେ ସେ ଏସ୍ ଟିଭିରେ ଯୋଗ ଦେଇଥିଲେ । ଏସ୍ ଟିଭି ପ୍ରସାରଣ ବନ୍ଦ ହୋଇଯିବା ପରେ କଳିଙ୍ଗଟାଇମ୍ସ ନାଁରେ ଏକ ଓ୍ବେବ ପୋର୍ଟାଲ ଆରମ୍ଭ କରିଥିଲେ । 2014ରେ ସୁଲୋଚନା ସାମ୍ବାଦିକତା ଛାଡି ରାଜନୀତିରେ ଯୋଗ ଦେଇଥିଲେ । କଂଗ୍ରେସରୁ ଆରମ୍ଭ କରିଥିଲେ ରାଜନୈତିକ ଜୀବନ । କଂଗ୍ରେସର ମୁଖପାତ୍ର ଭାବେ ବିଭିନ୍ନ ଟିଭି ବିତର୍କରେ ଭାଗ ନେଇ ସେ ଚର୍ଚ୍ଚାକୁ ଆସିଥିଲେ । 2014 ସାଧାରଣ ନିର୍ବାଚନରେ କଂଗ୍ରେସରୁ ବିଧାୟକ ପ୍ରାର୍ଥୀ ହେବା ପାଇଁ ଚାହିଁଥିଲେ ମଧ୍ୟ ଦଳୀୟ ଟିକଟ ମିଳି ନ ଥିଲା । 2017ରେ ସୁଲୋଚନା କଂଗ୍ରେସ ଛାଡି ବିଜେଡିରେ ଯୋଗ ଦେଇଥିଲେ । ଦଳରେ ଜଣେ ଦକ୍ଷ ସଂଗଠକ ଭାବେ କାର୍ଯ୍ୟ କରିଆସୁଥିବା ସୁଲୋଚନାଙ୍କୁ 2019 ନିର୍ବାଚନ ପରେ ରାଜ୍ୟ ଭିନ୍ନକ୍ଷମ କମିଶନର ଭାବେ ନିଯୁକ୍ତି ମିଳିଥିଲା । ରାଜ୍ୟ ଭିନ୍ନକ୍ଷମ କମିଶନର ପଦବୀରୁ ବିଜେଡି ତାଙ୍କୁ ଭୁବନେଶ୍ବର ମହାନଗର ନିଗମ ପାଇଁ ମେୟର ପ୍ରାର୍ଥୀ କରିବା ପରେ ସୁଲୋଚନା ଏବେ ରାଜଧାନୀର ପ୍ରଥମ ମହିଳା ମେୟର ହେବାର ଗୌରବ ଅର୍ଜନ କରିଛନ୍ତି ।

LEAVE A REPLY

Please enter your comment!
Please enter your name here