ଫଳ ବାହାରିବା ପୂର୍ବରୁ ଭାଗ୍ୟ ଓ ଭବିଷ୍ୟତକୁ ନେଇ କଳ୍ପନାଜଳ୍ପନା । କିଏ ଜିତିବ, କିଏ ହାରିବ, ତାକୁ ନେଇ ଚାଲିଛି ଅଙ୍କକଷା । ରାଜ୍ୟ ରାଜନୀତିରେ ଦବଦବା ରଖିଥିବା କିଛି ଟାଣୁଆ ନେତାଙ୍କ ଭାଗ୍ୟକୁ ନେଇ ଉଠିଛି ପ୍ରଶ୍ନବାଚୀ । ଏକଜିଟ ପୋଲ ରିପୋର୍ଟରେ ଏଥରକ କିଛି ପ୍ରଭାବଶାଳୀ ନେତାଙ୍କୁ ପରାଜୟର ମୁହଁ ଦେଖିବାକୁ ପଡିବ ।

ଏଥରକ ନିର୍ବାଚନରେ ବିଜୁ ଜନତା ଦଳର ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ  ନବୀନ ପଟ୍ଟନାୟକ ଦୁଇଟି ଆସନରେ ନିର୍ବାଚନ ଲଢିଛନ୍ତି । ତାଙ୍କର ପାରଂପରିକ ଆସନ ହିଞ୍ଜିଳି ସହିତ ପଶ୍ଚିମ ଓଡିଶାର ବିଜେପୁରରୁ ପ୍ରତିଦ୍ୱନ୍ଦିତା କରିଛନ୍ତି । ଏକଜିଟ ପୋଲ ରିପୋର୍ଟ ଅନୁଯାୟୀ, ନବୀନ ଦୁଇଟି ଯାକ ଆସନରୁ ବିଜୟ ଲାଭ କରିବେ । ତେବେ ହିଜିଂଳୀରେ ବିଜେପିର ପୀତାମ୍ବର ଆଚାର୍ଯ୍ୟ ଏବଂ ବିଜେପୁରରେ କଂଗ୍ରେସର ରିପୁନାଥ  ସେଠିଙ୍କୁ ସେ ବହୁ ଭୋଟରେ ମାତ ଦେବେ ବୋଲି ଭୋଟରଙ୍କ ବୁଥ୍ ବାହୁଡା ମତ କହୁଛି । ସେହିପରି ବିରୋଧୀଦଳ ନେତା ନରସିଂହ ମିଶ୍ରଙ୍କ ଭାଗ୍ୟ ମଧ୍ୟ ଏଥରକ ସୂତା ଖିଅରେ ଝୁଲୁଥିବା ଜଣାପଡୁଛି ।  ବିଜେଡି ପ୍ରାର୍ଥୀ ଯୁବନେତା ଅର୍କେଶ ନାରାୟଣ ସିଂହଦେଓଙ୍କ ବିଜୟ ସମ୍ଭାବନା ରହିଛି ବୋଲି ଏକଜିଟ୍ ପୋଲ କହୁଛି ।

ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଏଥରକ ଦୁଇଟି ଆସନରୁ ପ୍ରତିଦ୍ୱନ୍ଦିତା କରିଥିଲେ ମଧ୍ୟ ଦୁଇଟିଯାକ ବିଧାନସଭା କ୍ଷେତ୍ରରୁ ସେ ପରାସ୍ତ ହେବେ ବୋଲି ରିପୋର୍ଟ କହୁଛି । ଭଣ୍ଡାରିପୋଖରି ନିର୍ବାଚନ ମଣ୍ଡଳୀରେ ବିଜୁ ଜନତା ଦଳର ପ୍ରଫୁଲ ସାମଲ ଏବଂ ଘସିପୁରାରେ ଗଣଶିକ୍ଷା ମନ୍ତ୍ରୀ ବଦ୍ରିନାରାୟଣ ପାତ୍ରଙ୍କ ସହ ସେ ପ୍ରତିଦ୍ୱନ୍ଦିତା କରୁଛନ୍ତି ।

ବିଜେପି ରାଜ୍ୟ ସଭାପତି ବସନ୍ତ ପଣ୍ଡାଙ୍କ  ସ୍ଥିତି ସୃଦୃଢ ଥିବା ଭଳି ଲାଗୁଛି । ତେବେ କଳାହାଣ୍ଡି ସଂସଦୀୟ କ୍ଷେତ୍ରରୁ ନିର୍ବାଚନ ଲଢୁଥିବା ବସନ୍ତଙ୍କ ନିକଟତମ ପ୍ରତିଦ୍ୱନ୍ଦୀ ଭାବେ ବିଜେଡିରୁ ପୁଷ୍ପେନ୍ଦ୍ର ସିଂହଦେଓ ଏବଂ କଂଗ୍ରେସର ଭକ୍ତଚରଣ ଦାସ ଥିବାରୁ ନିର୍ବାଚନ ଫଳ ନେଇ ସନ୍ଦିହାନ ରହିଛି ।

ସେହିପରି କେନ୍ଦ୍ରାପଡାରେ ନିର୍ବାଚନ ଲଢିଥିବା ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡାଙ୍କ ହାର୍ ଜିତ୍ କୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ବୈଜୟନ୍ତଙ୍କ ବିଜୟ ଓ ପରାଜୟ ଉଭୟ ବିଜେଡି ଓ ବିଜେପି ପାଇଂ ସମ୍ମାନର ପ୍ରଶ୍ନ ହୋଇରହିଛି ।

ପୂର୍ବତନ ପିସିସି ସଭାପତି ପ୍ରସାଦ ହରିଚନ୍ଦନଙ୍କ ପାଇଁ ମଧ୍ୟ ଏଥର ନିର୍ବାଚନରେ ବାଜିମାରିବା ସହଜସାଧ୍ୟ ହେବ ନାହିଁ । ପୁରୀର ସତ୍ୟବାଦୀ ବିଧାନସଭା କ୍ଷେତ୍ରରୁ ଭାଗ୍ୟ ପରୀକ୍ଷା କରୁଥିବା ପ୍ରସାଦଙ୍କୁ  ତାଙ୍କ ନିକଟତମ ପ୍ରତିଦ୍ୱନ୍ଦୀ ବିଜେଡିର ଉମାକାନ୍ତ ସାମନ୍ତରାୟ କଡା ଟକ୍କର ଦେଇଥିବା ଚର୍ଚ୍ଚା ହେଉଛି । ।

ସେହିପରି ବିଜେଡିରୁ ବହିଷ୍କୃତ ହେବା ପରେ ବିଜେପିରେ ଯୋଗ ଦେଇ ଚର୍ଚ୍ଚାରେ ଥିବା ଦାମୋଦର ରାଉତଙ୍କ ପାଇଁ ଏଥରକ ଫଳ ସନ୍ଦିହାନ ସୃଷ୍ଟି କରିଛି । ରାଜ୍ୟ ରାଜନୀତିର ଫଳାଫଳ ନେଇ ଆକଳନ କରୁଥିବା ଦାମବାବୁ ନିଜ ଫଳାଫଳ ନେଇ ଏଥରକ କନଫିଡେଣ୍ଟ ନାହାନ୍ତି । ତାଙ୍କ ବିରୋଧରେ ବିଜେଡିରୁ କଡା ମୁକାବିଲା ଦେଇଛନ୍ତି  ରଘୁନନ୍ଦନ ।

ତେବେ କିଛି ଘଣ୍ଟା ପରେ ନିର୍ବାଚନ ଫଳ କହିବ, କିଏ ଜିତୁଛି, ଆଉ କିଏ ହାରୁଛି ।

LEAVE A REPLY

Please enter your comment!
Please enter your name here