ଭୁବନେଶ୍ୱର: ଭାରତ ସରକାରଙ୍କ ଦ୍ୱାରା ସେନା ବାହିନୀରେ ଯୋଗ ଦେବା ନିମନ୍ତେ ପ୍ରଚଳିତ ଅଗ୍ନିବୀର ଯୋଜନା ଅନୁସାରେ ଜଳ, ସ୍ଥଳ ଓ ଆକାଶ ବାହିନୀର ବିଭିନ୍ନ ତାଲିମ କେନ୍ଦ୍ରରେ ସଫଳତାର ସହିତ ଅଗ୍ନିବୀର ଜବାନ ତାଲିମ ଗ୍ରହଣ କରିବା ସହିତ ନିଜ କର୍ମ ଭୂମିରେ ଯୋଗ ଦେଉଛନ୍ତି | ପୋଣ୍ଡା (ଗୋଆ )ସ୍ଥିତ ସିଗନାଲ କର୍ପସର ମିଲିଟାରୀ କ୍ୟାମ୍ପରୁ ୮ମ ବ୍ୟାଚରେ ତାଲିମ ଗ୍ରହଣ କରିଥିବା ୭୨୬ ଜଣ ଅଗ୍ନିବୀରଙ୍କ ପ୍ରେଷ୍ଟିଜିୟସ ପାସିଙ୍ଗ ଆଉଟ ପ୍ୟାରେଡ ବୁଧବାର ଅନୁଷ୍ଠିତ ହୋଇଯାଇଛି | ଏଥିମଧ୍ୟରୁ ଓଡ଼ିଶାର ପ୍ରବୀଣ କୁମାର ସାହୁ (କଟକ ), ଦେବାଶିଷ ଜେନା (ନୟାଗଡ଼ ), ମାନସ କୁମାର ସାହୁ (ନୟାଗଡ଼ ), ପ୍ରଶାନ୍ତ ବାରିକ (ଭଦ୍ରକ )ଓ ରିତେଶ କୁମାର ଜେନା (ପୁରୀ ) ୫ ଓଡ଼ିଆ ଅଗ୍ନିବୀର ସାମିଲ ଥିବା ଜଣାଯାଇଛି | ଅଗ୍ନିବୀରମାନେ ୧୦ ସପ୍ତାହର ମୌଳିକ ସାମାରିକ ତାଲିମ ଏବଂ ୧୪ ସପ୍ତାହର ସଘନ ଉନ୍ନତ ସାମାରିକ ତାଲିମ ଗ୍ରହଣ କରିଥିଲେ | ଭାରତୀୟ ସେନାରେ ସେମାନଙ୍କ ଯାତ୍ରା ଆରମ୍ଭ ସହିତ ସେମାନଙ୍କ ପରିବାର ଏବଂ ସମଗ୍ର ଦେଶ ପାଇଁ ମହାନ ଗର୍ଵ ଓ ଗୌରବର ମୁହୂର୍ତ| ୬ ବୈଷୟିକ ତାଲିମ ରେଜିମେଣ୍ଟ କାମାଣ୍ଡିଙ୍ଗ ଅଫିସର କର୍ଣ୍ଣଲ ଶାନ୍ତନୁ କୌଶିକ ପରେଡ ସମୀକ୍ଷା କରିବା ସହିତ ଅଗ୍ନିବୀରଙ୍କୁ ଅଭିନନ୍ଦନ ଜଣାଇବା ସହିତ ଭାରତୀୟ ସେନାର କର୍ତ୍ତବ୍ୟ, ସମ୍ମାନ ଓ ମୂଳ ମୂଲ୍ୟବୋଧକୁ ବଜାୟ ରଖିବାକୁ ପରାମର୍ଶ ଦେଇଥିଲେ | ଓଡ଼ିଆ ଅଫିସର ମେଜର ରାକେଶ ପାଣି, ମେଜର ଜଗବୀର, ମେଜର ରାମାଜୟମ ଏମ ଏବଂ ସୁବେଦାର ମେଜର ମହେନ୍ଦ୍ର ସିଂ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ |

LEAVE A REPLY

Please enter your comment!
Please enter your name here