ପାରାଦୀପରେ ବ୍ଲାକରୋଜ୍ ଜାହାଜ ବୁଡିବାର 9 ବର୍ଷ ପରେ ଏହି ଘଟଣାର ସିବିଆଇ ତଦନ୍ତ କରିବ । ବ୍ଲାକରୋଜ ଜାହାଜ ବୁଡି ଘଟଣା ଏବେ ବି ରହସ୍ୟାବୃତ୍ତ ହୋଇ ରହିଥିବା ବେଳେ ସିବିଆଇ ତଦନ୍ତ ପରେ ଏହା ଉପରୁ ପରଦା ଉଠିବ ବୋଲି ଆଶା କରାଯାଉଛି । ବ୍ଲାକରୋଜ ଜାହାଜରେ ଆସୁଥିବା ଲୁହାପଥର କାହାର, ଜାହାଜର ମାଲିକ କିଏ, କେଉଁ ବ୍ୟାବସାୟିକ ସଂସ୍ଥା ଏହା ସହ ସଂପୃକ୍ତ ଥିଲା, ସେସଂପର୍କରେ କିଛି ବି ତଥ୍ୟ ପ୍ରକାଶ ପାଇନାହିଁ । 2009 ସେପ୍ଟେମ୍ବର 9 ତାରିଖରେ ପ୍ରାୟ 23 ହଜାର 5ଶହ ମେଟ୍ରିକଟନ ଲୁହାପଥର ବୋଝେଇ ହୋଇଥିବା ବ୍ଲାକରୋଜ ଜାହାଜ ପାରାଦୀପ ଉପକୂଳରୁ 5 କିଲୋମିଟର ଦୂରରେ ସମୁଦ୍ର ମଧ୍ୟରେ ବୁଡି ଯାଇଥିଲା । ଜାହାଜ ବୁଡିବା ଯୋଗୁ ସେଥରୁ ତୈଳ ନିର୍ଗତ ହୋଇ ପରିବେଶ ପ୍ରଦୁଷଣ ହୋଇଥିଲେ ମଧ୍ୟ ଜାହାଜ ବୁଡିବା ଘଟଣାରେ ସରକାର ଚୁପ ରହିଥିଲେ । ସେତେବେଳେ ନା ରାଜ୍ୟ ସରକାର ଏ ବାବଦରେ ତଦନ୍ତ ପାଇଁ  କେନ୍ଦ୍ରକୁ କହିଥିଲେ କି କେନ୍ଦ୍ର ସରକାରଙ୍କ ଜାହାଜ ମନ୍ତ୍ରାଳୟ ବି କିଛି ପଦକ୍ଷେପ ନେଇ ନଥିଲେ । 2016 ଜୁଲାଇ 29ରେ ପାରାଦୀପ ପୋର୍ଟ ଟ୍ରଷ୍ଟର ଦୁଇଜଣ ଟ୍ରଷ୍ଟି ପ୍ରତାପ କୁମାର ମିଶ୍ର ଓ ଭୁବନ ମୋହନ ଜେନା ପାରାଦୀପ ପୋର୍ଟ ଟ୍ରଷ୍ଟ ଅଧ୍ୟକ୍ଷଙ୍କୁ ଏହାର ସିବିଆଇ ତଦନ୍ତ କରିବାକୁ ଚିଠି ଲେଖିଥିଲେ ମଧ୍ୟ କିଛି ପଦକ୍ଷେପ ନିଆଯାଇ ନଥିଲା । ଗତ ଜାନୁଆରୀରେ ଟ୍ରଷ୍ଟି ପ୍ରତାପ କୁମାର ମିଶ୍ର ପୁଣିଥରେ କେନ୍ଦ୍ର ପେଟ୍ରୋଲିଅମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଚିଠି ଲେଖି ବ୍ଲାକରୋଜ ବୁଡି ଘଟଣାର ସିବିଆଇ ତଦନ୍ତ କରିବାକୁ ଅନୁରୋଧ କରିଥିଲେ । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କେନ୍ଦ୍ର ଜାହାଜ ଚଳାଚଳ ମନ୍ତ୍ରୀଙ୍କୁ ଚିଠି ଲେଖି ଏହାର ତଦନ୍ତ କରିବାକୁ କହିବା ପରେ ମନ୍ତ୍ରାଳୟ ସିବିଆଇକୁ ଚିଠି ଲେଖିଛନ୍ତି । ତେଣୁ ଆଶା କରାଯାଉଛି ସିବିଆଇ ତଦନ୍ତ ହେଲେ ବ୍ଲାକରୋଜ ବୁଡି ଘଟଣାର ଗୁମର ଖୋଲିବ ।

LEAVE A REPLY

Please enter your comment!
Please enter your name here