ସ୍ମାର୍ଟସିଟି ଭୁବନେଶ୍ବର ପାଇଁ ଆସୁଛି ଶହ ଶହ କୋଟି ଟଙ୍କା । ସ୍ମାର୍ଟସିଟିକୁ ନେଇ ଖୁବ୍ ତୁମ୍ବିତୋଫାନ ବି କରୁଛନ୍ତି ସରକାର, ମେୟର ଓ ସରକାରୀ ଦଳର ଛାମୁଆ ନେତାମାନେ । କିନ୍ତୁ ଉପରକୁ ଚିକ୍କଣଚାକ୍କଣ କରୁଥିବା ଭୁବନେଶ୍ବର ମହାନଗର ନିଗମ ଓ ରାଜ୍ୟ ସରକାରଙ୍କ ନଗର ଉନ୍ନୟନ ବିଭାଗର ବଡବାବୁମାନଙ୍କ କାମ କେମିତି, ତାହା ଜଣାପଡିଗଲା ଦିନକ ବର୍ଷାରେ । କୋଉଠି ବସ୍, କାର୍ ଭାସିଲା ତ ଆଉ କୋଉଠି ଘର ଭିତରୁ ଲୋକଙ୍କୁ ଉଦ୍ଧାର କରିବା ପାଇଁ ଓଡ୍ରାଫ ଟିମକୁ ଲାଗିବାକୁ ପଡିଲା । ଭୁବନେଶ୍ବର ସହର ବିଶ୍ବର ନାମିଦାମୀ ଟପ୍ ସ୍ମାର୍ଟସିଟି ତାଲିକାରେ କେମିତି ସ୍ଥାନ ପାଇଲା, ଏଇ ଛୋଟିଆ ବର୍ଷା ବିତ୍ପାତରୁ ଜଣାପଡିଯାଉଛି । କାଗଜପତ୍ରରେ ସ୍ମାର୍ଟସିଟି କରିଦେଲେ କଣ ସ୍ମାର୍ଟସିଟି ହୋଇଯିବ ନା ଖାଲି କେତେଟା ମୁଖ୍ୟ ମୁଖ୍ୟ ରାସ୍ତାକୁ ଚଉଡା କରି ଏଲଇଡି ଲାଇଟ ଲଗାଇଦେଲେ ସହର ସ୍ମାର୍ଟ ହୋଇଯିବ । ସହର ତଳି ଅଞ୍ଚଳ କଥା ଛାଡନ୍ତୁ, ସହରର ମୁଖ୍ୟ ମୁଖ୍ୟ ରାସ୍ତା ବି ଅସରାଏ ପାଣିରେ ବୁଡି ଯାଉଛି । ସିଆରପି ଛକ, କମିଶନରେଟ ପୋଲିସ ସାମନା ରାସ୍ତା, ଆଚାର୍ଯ୍ୟ ବିହାର, କଟକ ରୋଡ, ଇସ୍କନ ରାସ୍ତା ସବୁଠି ପାଣି ଲହଡି ଭାଙ୍ଗୁଛି । ମାତ୍ର ରାସ୍ତା କଡରେ ଦି ଦିଥର ଡ୍ରେନ କରି ମହାନଗର ନିଗମ ବାବୁମାନେ ମାଲେମାଲ ହୋଇଯାଉଛନ୍ତି । ସେଥିରେ ପାଣି ନିଷ୍କାସିତ ହେଉ କି ରାସ୍ତାରେ ଲହଡି ଭାଙ୍ଗୁ, ସେଥିରେ ତାଙ୍କର ଯାଏଆସେ କେତେ । ଏମିତି ଏମିତି ମେୟର ଅନନ୍ତ ନାରାୟଣ ଜେନାଙ୍କର ତ ତିନିଟର୍ମ ହୋଇଗଲାଣି । ବର୍ଷା ଦିନ ପଳାଇଲେ ଲୋକେ ପୁଣି ସବୁକଥା ଭୁଲି ଯିବେନି ।

LEAVE A REPLY

Please enter your comment!
Please enter your name here