ପୁରୀରେ ଧାଡି ଦର୍ଶନକୁ ବିରୋଧ କରି ରାଜସ୍ୱ ମନ୍ତ୍ରୀ ମହେଶ୍ୱରଙ୍କ ଘରେ ଭଙ୍ଗାରୁଜା ଘଟଣାରେ ୫ଜଣ ପୋଲିସ କର୍ମଚାରୀଙ୍କୁ ନିଲମ୍ବନ କରାଯାଇଛି । କର୍ତ୍ତବ୍ୟରେ ଅବହେଳା ପାଇଁ ୫ ପୋଲିସ ନିଲମ୍ବିତ ହୋଇଛନ୍ତି । ୫ ପୋଲିସ କର୍ମଚାରୀଙ୍କୁ ନିଲମ୍ବନ କରିଛନ୍ତି ପୁରୀ ଏସପି ସାର୍ଥକ ଷଡଙ୍ଗୀ । ଏମାନଙ୍କ ମଧ୍ୟରେ ୪ କନେଷ୍ଟବଳ ଓ ଜଣେ ହାବିଲଦାର ଅଛନ୍ତି ।

         ପୁରୀ ହିଂସାକାଣ୍ଡ ଘଟଣାରେ ପୋଲିସ ୨୩ ଜଣଙ୍କୁ ଗିରଫ କରିଥିବା ବେଳେ କିଛି ସେବାୟତ ଓ ରାଜନେତାଙ୍କ ନାଁରେ ବି ମାମଲା ରୁଜୁ କରିଛି । ଗତ ୩ ତାରିଖରେ ପୁରୀ ବନ୍ଦ ପାଳନ ବେଳେ ହୋଇଥିବା ହିଂସାକାଣ୍ଡ ଘଟଣାରେ ପୋଲିସ କିଛି ନେତାଙ୍କ ବିରୋଧରେ ସଙ୍ଗୀନ ମାମଲା ରୁଜୁ କରିଛି । ସିସିଟିଭି ଫୁଟେଜ ଏବଂ ଅନ୍ୟାନ୍ୟ ସୂତ୍ରରୁ ଖବର ନେବାପରେ ପୋଲିସ ଗିରଫଦାରୀ ଅଭିଯାନକୁ ଜୋରଦାର କରିଛି । ସେମାନଙ୍କ ମଧ୍ୟରେ ଅଛନ୍ତି ଶ୍ରୀଜଗନ୍ନାଥ ସେନାର ଆବାହକ ପ୍ରିୟଦର୍ଶନ ପଟ୍ଟନାୟକ, ବରିଷ୍ଠ ଦଇତାପତି ତଥା ନଗର କଂଗ୍ରେସ ସଭାପତି ବିନାୟକ ଦାସ ମହାପାତ୍ର, ସେବାୟତ ତଥା ବିଜେପି ସମର୍ଥିତ କର୍ମୀ ସୋମନାଥ ଖୁଣ୍ଟିଆ, ସେବାୟତ ଦାମୋଦର ଦାସ ମହାପାତ୍ର, ସେବାୟତ ତଥା ବିଜେପି କର୍ମୀ ଭବାନୀ ଦାସ ମହାପାତ୍ର, ସେବାୟତ ଦାମୋଦର ମହାସୁଆର , ଗୋପାଳ ପଣ୍ଡା ଏବଂ ଆଇନଜୀବୀ ପ୍ରସନ୍ନ ଦାଶ । ସେହିପରି ଘଟଣା ଦିନ ପ୍ରଶାସନ ଡାକିଥିବା ସମସ୍ତ ଶାନ୍ତି କମିଟି ସଦସ୍ୟଙ୍କ ବିରୋଧରେ ମଧ୍ୟ ମାମଲା ରୁଜୁ ହୋଇଛି । ସିଂହଦ୍ୱାର , ବଡଦାଣ୍ଡ ଓ ମନ୍ଦିର ଅଫିସ ଭଙ୍ଗାରୁଜା ଘଟଣାକୁ ନେଇ ସିଂହଦ୍ୱାର ଥାନା କେସ ନଂ୭୮/୧୮, କେସ ନଂ୮୨/୧୮, କେସ ନଂ୮୩/୧୮ ଓ କେସ ନଂ ୮୬/୧୮ରେ ଏହି ସବୁ ମାମଲା ରଜୁ କରାଯାଇଛି । ଦଫା ୧୪୩, ୧୪୪, ୩୫୩, ୧୪୭, ୧୪୮,୧୨୦ ବି-୧, ୩୪୧, ୨୪୯,୩୨୩,୩୨୫,୫୦୬,୩୦୭,୩୩୨,୩୦୫,୧୪୯ ଆଇପିସିରେ ଉପରୋକ୍ତ ବ୍ୟକ୍ତିମାନଙ୍କ ନାମରେ ମାମଲା ରୁଜୁ କରାଯାଇଛି । ସୁଚନା ଅନୁସାରେ ଏହି ଘଟଣାରେ ଏବେ ସୁଧା ୨୩ ଜଣଙ୍କୁ ଗିରଫ କରିଛି ପୁରୀ ପୋଲିସ ।

LEAVE A REPLY

Please enter your comment!
Please enter your name here