କାଠମାଣ୍ଡୁ: ଅଗଷ୍ଟ ୨୬ ତାରିଖରେ ନେପାଳରେ ଆସିଥିବା ଭୟଙ୍କର ବନ୍ୟା ପରେ ନିଖୋଜ ହୋଇଯାଇଥିବା ଭାରତୀୟ ନାଗରିକଙ୍କ ପରିବାରବର୍ଗଙ୍କୁ ଭାରତୀୟ ଦୂତାବାସ ଏକ ପରାମର୍ଶ ଜାରି କରିଛି । ନେପାଳ କର୍ତ୍ତୃପକ୍ଷଙ୍କ ଦ୍ୱାରା ପ୍ରକାଶିତ ନିଖୋଜ ଭାରତୀୟଙ୍କ ତାଲିକାକୁ ଯାଞ୍ଚ କରିବାକୁ ଏବଂ ଏହି ସମ୍ବନ୍ଧୀୟ କୌଣସି ଆପତ୍ତି କିମ୍ବା ମତାମତ ଥିଲେ ଡିସେମ୍ବର ୨ ତାରିଖ ସୁଦ୍ଧା ଜଣାଇବାକୁ କୁହାଯାଇଛି । ନେପାଳର ନ୍ୟାସନାଲ୍ ଡିଜାଷ୍ଟର ରିସ୍କ ରିଡକ୍ସନ୍ ଆଣ୍ଡ ମ୍ୟାନେଜମେଣ୍ଟ ଅଥରିଟି (NDRRMA) ୨୧୩ ଜଣ ନିଖୋଜ ଭାରତୀୟଙ୍କ ଏକ ତାଲିକା ପ୍ରକାଶ କରିଛନ୍ତି । ଏହି ପ୍ରକ୍ରିୟା ମାଧ୍ୟମରେ ସେମାନଙ୍କୁ ମୃତ ବୋଲି ଧରିନିଆଯିବ ଏବଂ ଆନୁଷ୍ଠାନିକ ଭାବେ ମୃତ ଘୋଷଣା କରାଯିବ । ଏହି ବିପର୍ଯ୍ୟୟ ପରେ ୧,୪୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ନିଶ୍ଚିତ ହୋଇଥିବା ବେଳେ ବିଦେଶୀ ନାଗରିକଙ୍କ ସମେତ ୫,୦୦୦ରୁ ଅଧିକ ଲୋକ ଏବେ ମଧ୍ୟ ନିଖୋଜ ଅଛନ୍ତି । ନେପାଳ ସରକାର ନିର୍ଦ୍ଧାରିତ ଆଇନଗତ ପ୍ରକ୍ରିୟା ସମ୍ପୂର୍ଣ୍ଣ କରିବା ପରେ, ନିଖୋଜ ଥିବା ବ୍ୟକ୍ତିମାନଙ୍କୁ ଆନୁଷ୍ଠାନିକ ଭାବେ ମୃତ ଘୋଷଣା କରିବାକୁ ନିଷ୍ପତ୍ତି ନେଇଛନ୍ତି । NDRRMA ନିଖୋଜ ଭାରତୀୟ ନାଗରିକଙ୍କ ତାଲିକା ସର୍ବସାଧାରଣରେ ପ୍ରକାଶ କରିଛି । ‘ମତାମତ କିମ୍ବା ସଂଶୋଧନ ଲୋଡ଼ିବା ପ୍ରକ୍ରିୟା ଶେଷ ହେବା ପରେ, ନେପାଳ ସରକାର ତାଲିକାକୁ ଚୂଡ଼ାନ୍ତ କରିବେ ଏବଂ ଆନୁଷ୍ଠାନିକ ଭାବେ ମୃତ୍ୟୁ ଘୋଷଣାନାମା ଜାରି କରିବେ’ ବୋଲି ଦୂତାବାସ ପକ୍ଷରୁ କୁହାଯାଇଛି । ଏହା ପରେ, ନେପାଳର ସମ୍ପୃକ୍ତ ସ୍ଥାନୀୟ କର୍ତ୍ତୃପକ୍ଷଙ୍କ ଠାରୁ ଉକ୍ତ ବ୍ୟକ୍ତିମାନଙ୍କ ପାଇଁ ମୃତ୍ୟୁ ପ୍ରମାଣପତ୍ର ସଂଗ୍ରହ କରିବା ପ୍ରକ୍ରିୟା ଦୂତାବାସ ଆରମ୍ଭ କରିବ ବୋଲି ଏଥିରେ ଉଲ୍ଲେଖ କରାଯାଇଛି ।












