ଗୋଟିଏ ଆମ୍ବର ଦାମ୍ ସର୍ବାଧିକ କେତେ ହୋଇପାରେ ? ଆମ୍ବ କିଲୋ ଦୁଇଶହ କି ତିନିଶହ ଟଙ୍କା ହୋଇପାରେ । ମାତ୍ର ଝାଡଖଣ୍ଡ ଜାମସେଦପୁରରେ ରହୁଥିବା ଜଣେ ଏଗାର ବର୍ଷର ଝିଅ ଗୋଟିଏ ଆମ୍ବକୁ ଦଶ ହଜାର ଟଙ୍କା ହିସାବରେ ଗୋଟିଏ ଡଜନ ଆମ୍ବକୁ ଏକଲକ୍ଷ କୋଡିଏ ହଜାର ଟଙ୍କାରେ ବିକ୍ରି କରି ଚର୍ଚ୍ଚାକୁ ଆସିଛନ୍ତି । ଏହି କୁନି ଝିଅର ନାଁ ତୁଲସୀ କୁମାରୀ । ସେ ପଞ୍ଚମ ଶ୍ରେଣୀରେ ପାଠ ପଢେ । ମାତ୍ର କୋଭିଡ କଟକଣା ଭିତରେ ସ୍କୁଲ ବନ୍ଦ ହୋଇଯାଇଥିବା ବେଳେ ତାର ପାଠପଢା ମଧ୍ୟ ବନ୍ଦ ହୋଇଯାଇଥିଲା । କାରଣ ସ୍ମାର୍ଟ ଫୋନ କିଣି ଅନଲାଇନରେ ପାଠ ପଢିବାକୁ ତା ବାପାମାଆଙ୍କ ପାଖରେ ସମ୍ବଳ ନ ଥିଲା । ରାସ୍ତାକଡରେ ଆମ୍ବ ବିକି ଯାହା ଟଙ୍କା ମିଳୁଥିଲା, ସେଥିରେ ପରିବାରର ଗୁଜୁରାଣ ମେଣ୍ଟୁଥିଲା । ଏ ସଂପର୍କରେ ତୁଲସୀର ଷ୍ଟୋରୀ ଏଏନଆଇରେ ପ୍ରସାରିତ ହେବା ପରେ ମୁମ୍ବାଇର ଜଣେ ବ୍ୟବସାୟୀ ଆମେୟା ହେଟେ ଗରିବ ଝିଅ ତୁଲସୀର ପାଠପଢା ପାଇଁ ଚିନ୍ତା କଲେ । ସେ ତୁଲସୀ ନିକଟରୁ 1 ଲକ୍ଷ 20 ହଜାର ଟଙ୍କାରେ ଗୋଟିଏ ଡଜନ ଆମ୍ବ କିଣିଥିଲେ । ଏବେ ତୁଲସୀ ସ୍ମାର୍ଟ ଫୋନ କିଣି ପାଠପଢି ପାରୁଥିବାରୁ ବୋଶ୍ ଖୁସି ଅଛି ।

LEAVE A REPLY

Please enter your comment!
Please enter your name here