ଛତିଶଗଡ କାଙ୍କେର ଜିଲ୍ଲାର ବିନାଗୁଣ୍ଡା ନିକଟସ୍ଥ ଏକ ଜଙ୍ଗଲରେ କମ୍ବିଂ ଅପରେସନ ଚାଲିଥିବା ବେଳେ ଡିଆରଜି ଓ ବିଏସଏଫ ସହ ମାଓବାଦୀ ମୁହାଁମୁହିଁ ହୋଇଥିଲେ । ଜଙ୍ଗଲ ଭିତରେ ପ୍ରାୟ 50 ଜଣ ମାଓବାଦୀ ଥିବା ଆଶଙ୍କା କରାଯାଉଛି । ବିଏସଏଫ ବାହିନୀକୁ ଦେଖିବା ପରେ ମାଓବାଦୀ ଯବାନଙ୍କ ଉପରକୁ ଆକ୍ରମଣ ଆରମ୍ଭ କରିଦେଇଥିଲେ । ଉଭୟଙ୍କ ମଧ୍ୟରେ କିଛି ସମୟ ପାଇଁ ଗୁଳିଗୋଳା ବିନିମୟ ହେବା ହୋଇଥିଲା । ଯବାନଙ୍କ ଏନକାଉଣ୍ଟରରେ 29 ଜଣ ମାଓବାଦୀ ନିହତ ହୋଇଛନ୍ତି । ନିହତ ମାଓବାଦୀଙ୍କ ମଧ୍ୟରେ ମୋଷ୍ଟ ଓ୍ବାଣ୍ଟେଡ ମାଓବାଦୀ କମାଣ୍ଡର ଶଙ୍କର ରାଓ ପ୍ରାଣ ହରାଇଛି । ଶଙ୍କର ରାଓକୁ ଧରାଇଦେଲେ 25 ଲକ୍ଷ ଟଙ୍କା ପୁରସ୍କାର ଦେବାକୁ ଘୋଷଣା ହୋଇଥିଲା । ତେବେ 29 ଜଣ ମାଓବାଦୀ ପ୍ରାଣ ହରାଇଥିବା ବେଳେ ସେମାନଙ୍କ ନିକଟରୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଜବତ ହୋଇଛି । ଜବତ ଅସ୍ତ୍ରଶସ୍ତ୍ର ମଧ୍ୟରେ ଏକେ 47, ଇନସାସ ରାଇଫଲ ରହିଛି । ଅନ୍ୟପକ୍ଷରେ ଏନକାଉଣ୍ଟର ବେଳେ ତିନିଜଣ ଯବାନ ଆହତ ହୋଇଛନ୍ତି । ଦୁଇ ବିଏସଏଫ ଯବାନଙ୍କ ସ୍ବାସ୍ଥ୍ୟବସ୍ଥା ସ୍ଥିର ରହିଥିବା ବେଳେ ଜଣେ ଡିଆରଜି ଯବାନଙ୍କ ଅବସ୍ଥା ସଂକଟାପନ୍ନ ରହିଥିବା କୁହାଯାଇଛି । ନିର୍ବାଚନ ପୂର୍ବରୁ ମାଓବାଦୀଙ୍କ ବିରୋଧରେ ଯବାନଙ୍କ ବଡଧରଣର ଆକ୍ରମଣ ଯବାନଙ୍କ ମୋନବଳ ବଢେଇଛି । ଏବେ ବି ଜଙ୍ଗଲରେ ସର୍ଚ୍ଚ ଅପରେସନ ଜାରି ରହିଥିବାରୁ ମୃତାହତ ମାଓବାଦୀଙ୍କ ଆହୁରି ବୃଦ୍ଧି ପାଇବ ବୋଲି ଆଶଙ୍କା କରାଯାଉଛି ।

LEAVE A REPLY

Please enter your comment!
Please enter your name here