ରାୟଗଡା ଆଦିବାସୀ ନେତା ଭାଗୀରଥି ମାଣ୍ଡାଙ୍ଗି ହତ୍ୟା ମାମଲା । ସିବିଆଇ ତଦନ୍ତ ଦାବି କଲେ ଆଦିବାସୀ ମହାସଂଘ । ଏନେଇ ଶତାଧିକ ଆଦିବାସୀ ଏକ ରାଲିରେ ଯାଇ ଏସପିଙ୍କ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଦାବି ପତ୍ର ପ୍ରଦାନ କରିଛନ୍ତି । ଗତ ୨୦୧୦ ଡିସେମ୍ବର ୧ ତାରିଖ ଦିନ ଆଦିବାସୀ ନେତା ଭାଗିରଥୀ ମାଣ୍ଡାଙ୍ଗି ମଝିଘରିଆଣୀ ମନ୍ଦିରରୁ ନିଖୋଜ ହୋଇଥିଲେ । ପରେ ଡିସେମ୍ବର ୧୬ ତାରିଖ ଦିନ ଆନ୍ଧପ୍ରଦେଶର ଏକ ଡ୍ୟାମରୁ ଭାଗୀରଥିଙ୍କ ଅର୍ଦ୍ଧଦଗ୍ଧ ମୃତ ଦେହ ଉଦ୍ଧାର ହୋଇଥିଲା । ଭାଗୀରଥିଙ୍କ ହତ୍ୟା ଅଭିଯୋଗ ନେଇ ରାୟଗଡା ଅଞ୍ଚଳରେ ପ୍ରବଳ ଉତ୍ତେଜନା ଦେଖାଦେଇଥିଲା । ପରେ ସରକାର ବାଧ୍ୟ ହୋଇ ଏହି ମାମଲାକୁ କ୍ରାଇମବ୍ରାଞ୍ଚକୁ ହସ୍ତାନ୍ତର କରିଥିଲେ । ହେଲେ ଘଟଣାକୁ ୯ ବର୍ଷ ବିତି ଯାଇଥିଲେ ମଧ୍ୟଅପରାଧୀ ଏଯାଏଁ ଧରାପଡିନାହାଁନ୍ତି । ତେଣୁ ମାମଲାକୁ ସିବିଆଇକୁ ହସ୍ତାନ୍ତର କରିବା ପାଇଁ ଦାବି କରିଛି ଆଦିବାସୀ ମହାସଂଘ । ଦାବି ପୂରଣ ନହେଲେ ଆଗାମୀ ଦିନରେ ପୁଣି ଥରେ ରାଜରାସ୍ତାକୁ ଓହ୍ଲାଇବାକୁ ଚେତାବନୀ ଦେଇଛି ସଂଘ ।