ଭୁବନେଶ୍ବର ମେୟର ପଦ ପାଇଁ ବିଜେପି ପ୍ରାର୍ଥୀ କରିଥିଲା ସୁନୀତି ମୁଣ୍ଡଙ୍କୁ । ସୁନୀତିଙ୍କୁ ପ୍ରାର୍ଥୀ କରିବା ଦିନ ଠାରୁ ଦଳ ଭିତରେ ଫାଟ ଜଳ ଜଳ ଦିଶୁଥିଲା । ବିଜେପି ସାଂସଦ ଅପରାଜିତା ଷଡଙ୍ଗୀଙ୍କୁ ବାଦ୍ ଦେଲେ ଦଳର ଆଉ କେହି ଭେଟେରାନ ନେତା ସୁନୀତିଙ୍କ ପ୍ରଚାରରେ ସାମିଲ ହୋଇ ନ ଥିଲେ । ଦଳରେ ବହୁ ପ୍ରଭାବଶାଳୀ ନାରୀ ନେତ୍ରୀ ଥିବା ବେଳେ ବିଜେପି ଜଣେ ଅନାମଧେୟ ମହିଳାଙ୍କୁ ଆଣି ମେୟର ପ୍ରାର୍ଥୀ କରିବା ସମସ୍ତଙ୍କୁ ଆଚମ୍ବିତ କରିଥିଲା । ରାଜ୍ୟ ବିଜେପିରେ ଦୁଇ ବରିଷ୍ଠ ନେତା କୁହାଯାଉଥିବା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ସାଂସଦ ଅପରାଜିତା ଷଡଙ୍ଗୀଙ୍କ ମଧ୍ୟରେ ଥିବା ବିବାଦ ସମସ୍ତଙ୍କୁ ଜଣା । ଯାହାର ପରିଣାମ ଦଳକୁ ଭୋଗ କରିବାକୁ ପଡିଲା । ଭୁବନେଶ୍ବର ମହାନଗରରେ ବିଜେପି ଯେମିତି ଟକ୍କର ଦେବା କଥା, ତାହା ହୋଇପାରି ନ ଥିଲା । ଫଳରେ କେବଳ ମେୟର ପ୍ରାର୍ଥୀଙ୍କ ଶୋଚନୀୟ ପରାଜୟ ନୁହେଁ, କର୍ପୋରେଟର ପ୍ରାର୍ଥୀଙ୍କୁ ମଧ୍ୟ ପରାଜୟ ବରଣ କରିବାକୁ ପଡିଲା । କେବଳ ଭୁବନେଶ୍ବର ନୁହେଁ, କଟକରେ ମଧ୍ୟ ଦଳକୁ ଶୋଚନୀୟ ପରାଜୟ ବରଣ କରିବାକୁ ପଡିଛି । ଅନେକ ସ୍ଥାନରେ ପ୍ରାର୍ଥୀ ଚୟନରେ ତ୍ରୁଟି, ଦଳ ଭିତରେ ଗୋଷ୍ଠୀ ବିବାଦ, ଏବଂ ନିର୍ବାଚନକୁ ଅସଂଗଠିତ ଭାବେ ଲଢିବାର ପରିଣାମ ଦଳକୁ ଭୋଗିବାକୁ ପଡିଛି ।

LEAVE A REPLY

Please enter your comment!
Please enter your name here