କୃଷ୍ଣଙ୍କ ଲୀଳାଖେଳାରେ ଉଠୁଛି ପଡୁଛି ଗୋପପୁର । ଯମୁନା କୁଳେ କୃଷ୍ଣ ଓ ପ୍ରେମମୟୀ ରାଧାଙ୍କ ରାସଲୀଳା ଗୋପପୁରବାସୀଙ୍କୁ ଆକର୍ଷିତ କରିଛି । ନଟଖଟିଆ କୃଷ୍ଣ ଯମୁନା ନଦୀରେ ଗାଧୋଉଥିବା ଗୋପାଙ୍ଗ ମାନଙ୍କର ବସ୍ତ୍ର ନେଇକି କଦମ୍ବ ଗଛ ଉପରେ ଚଢିଯାଇଛନ୍ତି । ବସ୍ତ୍ର ଫେରାଇଦେବାକୁ କୃଷ୍ଣଙ୍କ ପାଖରେ ନେହୁରା ହେଉଛନ୍ତି ଗୋପୀ । ସୂର୍ଯ୍ୟଙ୍କୁ ସାକ୍ଷୀ ରଖି ମା ଯଶୋଦାଙ୍କୁ ନ କହିବା ଲାଗି କଥା ଦେବା ପରେ ଗୋପୀମାନଙ୍କ ବସ୍ତ୍ର ଫେରାଇ ଦେଉଛନ୍ତି କୃଷ୍ଣ ମହାପ୍ରଭୁ । ଅମ୍ବାପାଲିର ଜିରାନଦୀ ପାଲଟିଛି ଯମୁନା ନଦୀ । କୃଷ୍ଣଙ୍କ ଲୀଳାଖେଳା ଦେଖିବାକୁ ଲାଗିଥିଲା ହଜାର ହଜାର ଦର୍ଶକଙ୍କ ଭିଡ । ଏପଟେ କୃଷ୍ଣ ବଳଭଦ୍ରଙ୍କୁ ପାଖରେ ପାଇ ଖୁସି ହୋଇଛନ୍ତି ଗୋପପୁର ବାସୀ । ଦୁଇ ଭାଇଙ୍କୁ ପୂଜାର୍ଚ୍ଚନା କରି ମନ ପସନ୍ଦର ଖାଇବାକୁ ଦଉଛନ୍ତି ଗୋପପୁରବାସୀ । ସେପଟେ କୃଷ୍ଣଙ୍କ ନାଁ ଶୁଣି ଛାନିଆ ହୋଇଯାଇଛନ୍ତି ମହାରାଜା କଂସ । କୃଷ୍ଣଙ୍କ ହତ୍ୟା ଷଡଯନ୍ତ୍ର ଲାଗି ପଡୋଶୀ ରାଜ୍ୟର ରାଜାଙ୍କୁ ନିଜ ଦରବାରକୁ ଆମନ୍ତ୍ରଣ କରିଛନ୍ତି କଂସ ମହାରାଜ । ମହାରାଜା କଂସଙ୍କ ରାଜଦରବାରରେ ସବୁ କଥା ଶୁଣିବା ପରେ କୃଷ୍ଣ ବଳରାମଙ୍କୁ ବନ୍ଦି କରିବା ପାଇଁ ଗୋପପୁର ଯାଇଛନ୍ତି ପଡୋଶୀ ରାଜ୍ୟର ପରାକ୍ରମୀ ରାଜାମାନେ । ଏଥିରେ ଖୁସି ହୋଇ ମହାରାଜା କଂସ ନାଚ ଗୀତରେ ମସଗୁଲ ଥିବାବେଳେ ଆବିର୍ଭାବ ହୋଇଛନ୍ତି ନାରଦ ମୁନି । ଗୋପପୁର ପଠେଇଥିବା ସବୁ ପଡୋଶୀ ରାଜା ନିହତ ହୋଇଥିବାର କଥା ଶୁଣି ଚିନ୍ତାରେ ପଡିଯାଇଛନ୍ତି କଂସ ମହାରାଜ । ଶେଷରେ ମଥୁରା ନଗରୀରେ ୪ ଦିନ ଧରି ଧନୁଯାତ୍ରାର ଆୟୋଜନ କରି କୃଷ୍ଣ ବଳରାମଙ୍କୁ ଡାକି ହତ୍ୟା କରିବାର ଷଡଯନ୍ତ୍ର କରୁଛନ୍ତି ମହାରାଜ କଂସ । ବୁଝନ୍ତୁ କି ନବୁଝନ୍ତୁ ବିଶ୍ୱ ପ୍ରସିଦ୍ଧ ଧନୁଯାତ୍ରା ଦେଖିବାକୁ ବିଦେଶୀ ପର୍ଯ୍ୟଟକଙ୍କ ଭିଡ ଜମୁଛି । ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ସହ ଖାଇବା ଏବଂ ଦୋଳିର ମଜା ନେଉଛନ୍ତି ପର୍ଯ୍ୟଟକ ।

LEAVE A REPLY

Please enter your comment!
Please enter your name here