ମାନବ, ବିଜ୍ଞାନ ଓ ପ୍ରକୃତି ମଧ୍ୟରେ ଯେଉଁ ଏକାତ୍ମତା ରହିବା କଥା, ତାହା ରହୁନାହିଁ । ସେମାନଙ୍କ ଭିତରେ ଯେଉଁ ସମନ୍ୱୟ ରହିବା କଥା, ଆମେ ତାକୁ ନଷ୍ଟ କରୁଛୁ । ଯାହାର ପରିଣାମ ହେଉଛି ପର୍ଯ୍ୟାବରଣ ସମସ୍ୟା । ଏହାକୁ ଏଡାଇବାକୁ ହେଲେ ସମଗ୍ର ବିଶ୍ୱକୁ ଶୃଙ୍ଖଳା ଆଧାରରେ ଚାଲିବାକୁ ହେବ । ସନ୍ ରାଇଜ୍ ଟେକ୍ନୋଲୋଜିକୁ ଗ୍ରହଣ କରିବାକୁ ହେବ । ଦଶମ ଓଡିଶା ପରିବେଶ କଂଗ୍ରେସକୁ ଉଦଘାଟନ କରି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଏହା କହିଛନ୍ତି । ଭୁବନେଶ୍ୱର ସ୍ଥିତ ପ୍ରାକୃତିକ ଇତିହାସ ଆଂଚଳିକ ସଂଗ୍ରାହଳୟ ପରିସରରେ ଆୟୋଜିତ ଦଶମ ଓଡିଶା ପରିବେଶ କଂଗ୍ରେସର ଥିମ୍ ରହିଛି, ପରିବେଶ ଓ ଖଣି । ଏହାକୁ ପ୍ରଦୀପ ପ୍ରଜ୍ଜଳନ କରି ଉଦଘାଟନ କରିଛନ୍ତି ଓଡିଶାର ମାନ୍ୟବର ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ । ସାଂପ୍ରତିକ ପରିସ୍ଥିତିରେ ଖଣି ଜନିତ ପରିବେଶ ପ୍ରଦୂଷଣ ବଢି ଚାଲିଥିବାରୁ ଏହାର ସମାଧାନ ପାଇଁ ଆଲୋଚନାର ପ୍ରାସଙ୍ଗିକତା ରହିଛି ବୋଲି ସେ କହିଛନ୍ତି । ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ପାରସ୍ପରିକ ସଦଭାବନା ରକ୍ଷା ଉପରେ ଗୁରୁତ୍ୱ ଦେଇ କହିଥିଲେ, ଏଥିପାଇଁ ସମଗ୍ର ବିଶ୍ୱକୁ ଏକ ହେବାକୁ ହେବ । ସମଗ୍ର ବ୍ରହ୍ମାଣ୍ଡ ଶୃଙ୍ଖଳା ଆଧାରରେ ଚାଲିବା ଦରକାର, ମାତ୍ର ମଣିଷ ସବୁ ଶୃଙ୍ଖଳାକୁ ଭଙ୍ଗ କରୁଥିବାରୁ ଏହାର ପରିଣାମ ଆମ ସମସ୍ତଙ୍କୁ ଭୋଗ କରିବାକୁ ପଡୁଛି । ଜଳ, ଆକାଶ, ବାୟୁ, ଅଗ୍ନି ଓ ପୃଥିବୀ, ଏହି ପାଂଚ ତତ୍ୱ ମଧ୍ୟରେ ସଦଭାବନା ନ ରହିଲେ ପର୍ଯ୍ୟାବରଣ ଦୂଷିତ ହେବା ନିଶ୍ଚିତ । ପଶୁ, ପକ୍ଷୀ, ବୃକ୍ଷଲତା, ଜୀବଜଗତ ସମସ୍ତେ ସଦଭାବନା ଆଧାରରେ ବଂଚିଛନ୍ତି । ମାତ୍ର ମଣିଷ ସେମାନଙ୍କ ସଦଭାବନାକୁ ବି ଭଙ୍ଗ କରୁଛି । ପରିବେଶ ପ୍ରଦୂଷଣ ଭଳି ସମସ୍ୟାର ସମାଧାନ ପାଇଁ କେବଳ ଓଡିଶା, କି ଭାରତ, କି ଆମେରିକା ନୁହେଁ, ସମସ୍ତଙ୍କ ମଧ୍ୟରେ ଏକାତ୍ମତା ରହିବା ଦରକାର ବୋଲି ସେ କହିଛନ୍ତି । ସେଥିପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସବୁବେଳେ ସନରାଇଜ୍ ଟେକ୍ନୋଲୋଜି ଉପରେ ଗୁରୁତ୍ୱ ଦେଇ ଆସୁଛନ୍ତି ବୋଲି ପ୍ରକାଶ କରି ରାଜ୍ୟପାଳ କହିଲେ, ସୂର୍ଯ୍ୟଙ୍କ ପ୍ରଥମ କିରଣ ଓ ଚନ୍ଦ୍ର ଶୀତଳତା ଭିତରେ ସମନ୍ୱୟ ରହିବା ଉଚିତ । ଓଇଆରସିର ପୂର୍ବତନ ଅଧ୍ୟକ୍ଷ ଶ୍ରୀ ଡି. କେ. ରୟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଦଘାଟନୀ ସମାରୋହରେ ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ଶ୍ରୀ ଦେବୀ ପ୍ରସାଦ ମିଶ୍ର ସମ୍ମାନୀତ ଅତିଥି ଭାବେ ଯୋଗ ଦେଇଥିଲେ । ଶ୍ରୀ ମିଶ୍ର କହିଲେ, ଓଡିଶାରେ ଖଣି ଜନିତ ପ୍ରଦୂଷଣ ରୋକିବା ପାଇଁ ସରକାର ଗୁରୁତ୍ୱ ଦେଇ ଆସୁଛନ୍ତି ଏବଂ ଯେଉଁ ଖଣି ଶିଳ୍ପ ପ୍ରଦୂଷଣ ମାତ୍ରା ହ୍ରାସ ପାଇଁ ଟ୍ରିଟମେଂଟ ପ୍ଲାଂଟ କରୁନାହାନ୍ତି, ସେମାନଙ୍କ ବିରୋଧରେ ପରିବେଶ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ କାର୍ଯ୍ୟାନୁଷ୍ଠାନ ନେବା ଆବଶ୍ୟକ । ରାଜ୍ୟ ଓ ଜାତୀୟସ୍ତରରେ ଜିଡିପି ବୃଦ୍ଧିରେ ଖଣିଜ ଶିଳ୍ପର ବଡ ଅବଦାନ ରହିଛି । ତେଣୁ ଖଣି ଜନିତ ପ୍ରଦୂଷଣ ହ୍ରାସ ପାଇଁ ବୈଜ୍ଞାନିକ ପଦ୍ଧତିରେ ଖଣି ଉତୋଳନ ଉପରେ ସେ ଗୁରୁତ୍ୱ ଦେଇଥିଲେ । ଉଦଘାଟନୀ ସମାରୋହରେ ଓଇସିର ସଂଗଠନ ସଂପାଦକ ଶ୍ରୀ ସୁଦର୍ଶନ ଦାସ ସ୍ୱାଗତ ସମ୍ଭାଷଣ ପ୍ରଦାନ କରିବା ସହ ଖଣି ଓ ପରିବେଶ ପ୍ରସଙ୍ଗର ପ୍ରାସଙ୍ଗିକତା ସଂପର୍କରେ ସୂଚନା ଦେଇଥିଲେ । କେରଳ ସିଇଡି ଇଣ୍ଡିଆର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡକ୍ଟର ବାବୁ ଅମ୍ବାଟ ପରିବେଶ କଂଗ୍ରେସ ପ୍ରତିବର୍ଷ ପରିବେଶ ସଚେତନତା ପାଇଁ ନେଉଥିବା ପଦକ୍ଷେପ ସଂପର୍କରେ ସୂଚନା ଦେଇଥିଲେ । ଆରଏମଏନଏଚର ଭାରପ୍ରାପ୍ତ ନିର୍ଦ୍ଦେଶକ ଡକ୍ଟର ଗୌରବ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଓ ବିଧାୟକ ଦେବୀ ପ୍ରସାଦ ମିଶ୍ରଙ୍କୁ ଉତରୀୟ ଓ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରିଥିଲେ । ଏହି ଅବସରରେ ରାଜ୍ୟପାଳ କନଫରେନ୍ସ ପ୍ରସିଡିଂ ଉନ୍ମୋଚନ କରିଥିଲେ । ଦ୍ୱିତୀୟ ଅଧିବେସନରେ ପରିବେଶ କଂଗ୍ରେସର ଥିମ୍କୁ ନେଇ ଆଲୋଚନା ହୋଇଥିଲା । ପୂର୍ବତନ ରାଷ୍ଟ୍ରଦୂତ ଅବସର ବେଉରିଆଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଅଧିବେସନରେ ଅବସରପ୍ରାପ୍ତ ଆଇଏଏସ ଡକ୍ଟର ଅରବିନ୍ଦ ବେହେରା, ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ପଦ୍ମଜା ମିଶ୍ର, ଦକ୍ଷିଣ ଓଡିଶା ବିକାଶ ପରିଷଦ ସଭାପତି ଭୃଗୁ ବକ୍ସିପାତ୍ର, ଆଇଏମଏମଟି ଭୁବନେଶ୍ୱରର ବରିଷ୍ଠ ବୈଜ୍ଞାନିକ ସନ୍ତୋଷ ମିଶ୍ର ଓ ଓଇସି ଉପାଧ୍ୟକ୍ଷ ଡକ୍ଟର ବି.ବି. ସାମନ୍ତ ଯୋଗଦେଇ ପରିବେଶ ଓ ଖଣି ପ୍ରସଙ୍ଗର ପ୍ରାସଙ୍ଗିକତା ଉପରେ ମତବ୍ୟକ୍ତ କରିଥିଲେ । ମଧ୍ୟାହ୍ନ ବିରତି ପରେ ଆରମ୍ଭ ହୋଇଥିଲା ପ୍ରଥମ ବୈଷୟିକ ଅଧିବେସନ । ଏଥିରେ ଓଡିଶାର ଖଣି ଓ ଖଣିଜ ସଂପଦ ପ୍ରସଙ୍ଗ ଉପରେ ଆଲୋଚନା ହୋଇଥିଲା । ଅବସରପ୍ରାପ୍ତ ଆଇଏଫଏସ ବିନୋଦ କୁମାରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଅଧିବେସନରେ ସିଓାଇଏସଡି ଅଧ୍ୟକ୍ଷ ପି. କେ. ସାହୁ, ଦିଗଦର୍ଶକ ଚାରୁଦତ ପାଣିଗ୍ରାହୀ, ଓଡିଶା ପରିବେଶ ସୋସାଇଟୀର ଜୟକୃଷ୍ଣ ପାଣିଗ୍ରାହୀ, ୟୁରୋପିଆନ ୟୁନିଭରସିଟି, ଇଟାଲୀର ଅର୍ପିତା କୋଡିଭେରି, କେମିକାଲ ଇଂଜିନିୟର ଡି. ପି. ମିଶ୍ର, ସମାଜସେବୀ ତଥା ଗବେଷକ ମାନସ ଜେନା, ଅର୍ଥନୀତି ଅଧ୍ୟାପକ ଡକ୍ଟର ମିନତୀ ସାହୁ ଯୋଗ ଦେଇ ଓଡିଶାରେ ଗଚ୍ଛିତଥିବା ଖଣିଜ ସଂପଦ ଏବଂ ତାର ସଦୁପେଯାଗ ସଂପର୍କରେ ମତବ୍ୟକ୍ତ କରିଥିଲେ । ଦ୍ୱିତୀୟ ବୈଷୟିକ ଅଧିବେସନର ବିଷୟ ରହିଥିଲା, ଖଣି ଓ ପରିବେଶଗତ ପରିଚାଳନା । ପୂର୍ବତନ ଅର୍ଥମନ୍ତ୍ରୀ ପଂଚାନନ କାନୁନଗୋଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଅଧିବେସନରେ କ୍ରୋମାଇଟ ଖଣିର ପରିବେଶଗତ ପ୍ରଭାବ ଏବଂ ସୁକିନ୍ଦା କ୍ରୋମାଇଟ ଖଣିରେ ପରିବେଶଗତ ପ୍ରତିକାର ସଂପର୍କରେ ଡକ୍ଟର ହରପ୍ରିୟା ମିଶ୍ର ବକ୍ତବ୍ୟ ରଖିଥିଲେ । ସେହିପରି ଓଡିଶା ବନ୍ୟଜନ୍ତୁ ବିଭାଗର ସୁଧନ୍ୱ ଦାଶ ପଶୁପକ୍ଷୀଙ୍କ ଆବାସସ୍ଥଳୀକୁ ଖଣି କିପରି ପ୍ରଭାବିତ କରୁଛି, ସେସଂପର୍କରେ ତଥ୍ୟ ଉପସ୍ଥାପନ କରିଥିଲେ । କେନ୍ଦୁଝର ନାଗରିକ ଫୋରମ ସଭାପତି କିରଣ କୁମାର ସାହୁ କେନ୍ଦୁଝର ଜିଲ୍ଲାରେ ପରିବେଶ କିଭଳି ବିପର୍ଯ୍ୟସ୍ତ ହୋଇଛି, ସେସଂପର୍କରେ ବକ୍ତବ୍ୟ ପ୍ରଦାନ କରିଥିଲେ । ପୂର୍ବତନ ଅର୍ଥମନ୍ତ୍ରୀ ପଂଚାନନ କାନୁନଗୋ କହିଥିଲେ, ଏବେ ପରିବେଶକୁ ବଂଚାଇବାର ସମୟ ଆସିଛି ଏବଂ ଆମ ସମସ୍ତଙ୍କୁ ଏକାଠି ହୋଇ ଏ ଦିଗରେ ପଦକ୍ଷେପ ନେବାକୁ ପଡିବ । ତୃତୀୟ ବୈଷୟିକ ଅଧିବେସନରେ ଖଣି ଓ ପରିବେଶଗତ ପରିଚାଳନା ଉପରେ ବକ୍ତାମାନେ ସେମାନଙ୍କ ମତ ରଖିଥିଲେ । ରାଜ୍ୟ ପରିବେଶ ବିଭାଗର ପୂର୍ବତନ ନିର୍ଦ୍ଦେଶକ ଭାଗିରଥୀ ବେହେରା ଖଣିର ପରିବେଶଗତ ପ୍ରଭାବ ସଂପର୍କରେ ଆଲୋଚନା କରିଥିଲେ । ନାଇଜର ଅଧ୍ୟାପକ ପ୍ରଣୟ କୁମାର ସ୍ୱାଇଁ ହାତୀ ସଂରକ୍ଷଣକୁ ଖଣି କିପରି ପ୍ରଭାବିତ କରୁଛି, ସେସଂପର୍କରେ ବକ୍ତବ୍ୟ ଦେଇଥିଲେ ।

LEAVE A REPLY

Please enter your comment!
Please enter your name here