ନିର୍ବାଚନ ଯେତିକି ପାଖଉଛି ବିଭିନ୍ନ ରାଜନୈତିକ ଦଳ ନିଜ ନିଜର ପ୍ରଚାର ଅଭିଯାନକୁ ଜୋରଦାର କରିବାକୁ ଲାଗିପଡିଲେଣି । ଗତ ୨ଦିନ ତଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜୟପୁରରେ ଭାରତୀୟ ଜନତା ପାର୍ଟି ପାଇଁ ପ୍ରଚାରକୁ ଓହ୍ଲାଇଥିବା ବେଳେ ସୋମବାର ଅମିତ ଶାହା ଗଜପତି ଜିଲ୍ଲା ପାରଳାଖେମୁଣ୍ଡିରେ ପ୍ରଚାର କାର୍ଯ୍ୟକ୍ରମରେ ଯୋଗଦେଇଥିଲେ । ସ୍ଥାନୀୟ କାଶୀନଗରରେ ସେ ଦଳୀୟ କର୍ମୀଙ୍କୁ ବିଜୟର ମନ୍ତ୍ର ଦେବା ସହ ବିଜେପି ପାଇଁ ଭୋଟ ଭିକ୍ଷା କରିଥିଲେ । ନିଜ ଭାଷଣ ଆରମ୍ଭରୁ ଶାହା କଂଗ୍ରେସ ଏବଂ ବିଜେଡିକୁ ଟାର୍ଗେଟ କରିଥିଲେ । ଆଜିର ଦିନରେ ଭାଷାଭିତିରେ ଦେଶର ପ୍ରଥମ ରାଜ୍ୟ ଭାବେ ଓଡିଶା ନିର୍ମାଣ ହୋଇଥିଲା । କିନ୍ତୁ ୧୯ ବର୍ଷ ଓଡିଶା ପାଇଁ ଦୁର୍ଭାଗ୍ୟର ବିଷୟ । ଏଠାକାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନ ପଢି ଓଡିଆ କହିପାରୁନାହାନ୍ତି । ୧୯ ବର୍ଷ ଶାସନ କଲେ ନବୀନ କିନ୍ତୁ ବିକାଶ ପାଇଁ କିଛି ହୋଇନାହିଁ । କିନ୍ତୁ ଏହି ନିର୍ବାଚନ ଦେଶ ଏବଂ ଓଡିଶାର ଭାଗ୍ୟ ନିର୍ଧାରଣ କରିବ । ନବୀନଙ୍କ ସରକାରଙ୍କୁ ଫିଙ୍ଗିବାକୁ ହେବ ଏବଂ ଅଧିକ ଆସନରେ ପଦ୍ମ ଫୁଟାଇ ଲୋକସଭାରେ ପଠାଇବାକୁ ହେବ । ଓଡିଶାରେ ରୋଜଗାର ନପାଇ ଯୁବକମାନେ ବାହାରକୁ ଯାଉଛନ୍ତି । ବିଜେପି ସରକାର ଆସିଲେ ଓଡିଆ ଯୁବକ ବାହାରକୁ ଯିବେ ନାହିଁ ।
ଶାହା ଆହୁରି କହିଛନ୍ତି ଯେ, ହସ୍ପିଟାଲରେ ଡାକ୍ତର ନାହାନ୍ତି, ୨୪ ଘଣ୍ଟା ବିଜୁଳି ନାହିଁ, ଗ୍ରାମରେ ରାସ୍ତା ନାହିଁ । ରାହୁଲ ଗାନ୍ଧି ଓଡିଶାକୁ ଆସୁଛନ୍ତି । ୧୦ ବର୍ଷ ସରକାରରେ ଥିଲେ କିନ୍ତୁ କଂଗ୍ରେସ ସରକାର ଓଡିଶାକୁ ୮୦ହଜାର କୋଟି ଦେଇଥିଲା । ହେଲେ ମୋଦୀ ସରକାର ୫ବର୍ଷରେ ୫ଲକ୍ଷ ୫୬ହଜାର ୫୬୫କୋଟି ଟଙ୍କା ଦେଇଛନ୍ତି । କେନ୍ଦ୍ରରୁ ଟଙ୍କା ଆସୁଛି କିନ୍ତୁ ତଳସ୍ତରରେ ପହଁଞ୍ଚିପାରୁନି । କାରଣ ନବୀନଙ୍କ ଅଫିସର ଏହାକୁ ବାଟମାରଣା କରୁଛନ୍ତି । ଏହି ବ୍ୟବସ୍ଥା ବଦଳିବା ଦରକାର । ଦେଶ ଏବଂ ରାଜ୍ୟରେ ଡବଲ ଇଂଜିନର ବ୍ୟବସ୍ଥା କରିବା ଦରକାରା ।

ବିଜେପି ଅଧ୍ୟକ୍ଷ ଆହୁରି କହିଛନ୍ତି ଯେ, ରାହୁଲ ଗାନ୍ଧି ହିନ୍ଦୁଙ୍କୁ ନେଇ ଆତଙ୍କବାଦୀ କହୁଛନ୍ତି । କଂଗ୍ରେସ ଭୋଟବ୍ୟାଙ୍କ ପାଇଁ ହିନ୍ଦୁ ସମୁଦାୟକୁ ନିନ୍ଦା କରୁଛି । ଏହାସହ ଦେଶର ସୁରକ୍ଷା ସହ କଂଗ୍ରେସ ସାଲିସ କରିଛି । ପୁଲୱାମାକୁ ନେଇ ଭାରତ ପାକ୍ ଘରେ ପଶି ଆକ୍ରମଣ କଲା କିନ୍ତୁ କଂଗ୍ରେସ ଏବଂ ଅନ୍ୟ ବିରୋଧୀ ପାକିସ୍ତାନ ସହ କଥା ମିଳାଇ ପ୍ରମାଣ ମାଗୁଛନ୍ତି । ବିଜେପିକୁ ଗୋଟିଏ ସୁଯୋଗ ଦିଆଯାଉ । ୫ ବର୍ଷରେ ଦେଶରେ ଏକ ନମ୍ବର ରାଜ୍ୟ ହେବ ଓଡିଶା ।

LEAVE A REPLY

Please enter your comment!
Please enter your name here