ଧାରା ଶ୍ରାବଣ ବଦଳରେ ନିଦାଘ ଖରା । ବର୍ଷାକୁ ଚାହିଁ ଚାହିଁ ଚାଷୀ ଆଖିରୁ ପାଣି ଶୁଖିଲାଣି । ହେଲେ ବର୍ଷାର ଦେଖାନାହିଁ । ଯେଉଁ ସମୟରେ ସବୁଜ କ୍ଷେତକୁ ଦେଖି ମନ କୁରୁଳି ଉଠିବା କଥା ସେହି ସମୟରେ ଫସଲର ଏ ଚେହେରା ଦେଖି ବିମୁଖ ଚାଷୀ । ଏ ଦୃଶ୍ୟ ରାୟଗଡା ଜିଲ୍ଲାର । ବର୍ଷା ଅଭାବରୁ କେଉଁଠି ଜମି ଫାଟି ଆଁ କଲାଣି ତ ଆଉ କେଉଁଠି ଟାଣ ଖରାରେ ପାଚି ଲାଲ୍ ପଡିଗଲାଣି ତଳି । ମୌସୁମୀର ଲୁଚକାଳି ଖେଳ ଚାଷିଙ୍କ ମୁଣ୍ଡବିନ୍ଧାର କାରଣ ପାଲଟିଛି । ଚଳିତ ବର୍ଷ ରାୟଗଡା ଜିଲ୍ଲାରେ ବର୍ଷା ଅଭାବରୁ ଚାଷ ଜମି ମୁକୁଳା ହୋଇ ପଡିବା ଫଳରେ ଚାଷୀ ହନ୍ତସନ୍ତ ହୋଇପଡିଲେଣି । କିଛି ଚାଷି ଇନ୍ଦ୍ରଦେବତାଙ୍କୁ ସନ୍ତୁଷ୍ଟ କରିବା ପାଇଁ ପୂଜାର୍ଚ୍ଚନା ମଧ୍ୟ ଆରମ୍ଭ କରିଦେଲେଣି । ଅନ୍ୟପଟେ ସରକାରୀ ବିହନ ଚାଷିଙ୍କ ପାଖରେ ପଂହଚିପାରୁନଥିବା ବେଳେ ବିହନର ବ୍ୟାପକ କଳାବଜାରୀ ହେଉଥିବା ଅଭିଯୋଗ ହୋଇଛି । ଏବେ ସମସ୍ତଙ୍କ ମୁହଁରେ ଗୋଟିଏ କଥା, କେବେ ଆସିବ ବର୍ଷା ଆଉ କେବେ ଆରମ୍ଭ ହେବ ଚାଷ କାର୍ଯ୍ୟ । ତାକୁ ନେଇ ଏବେ ରାୟଗଡା ଚାଷିଭାଇ ଚିନ୍ତାରେ ପଡିଯାଇଛନ୍ତି । ଜଳସେଚିତ ଚାଷ ଜମିରେ ଚାଷ କାର୍ଯ୍ୟ ଆରମ୍ଭ ହୋଇଯାଇଥିବା ବେଳେ ଅଣଜଳସେଚିତ ଜମିରେ ଚାଷ କାର୍ଯ୍ୟ ଆରମ୍ଭ ହୋଇନି । ଏପଟେ ୨୦ କିଲୋ ବିହନକୁ ୩୬୦ ଟଙ୍କାରେ ସରକାର ଧାର୍ଯ୍ୟ କରିଥିବା ବେଳେ ବଜାରରେ ବ୍ୟବସାୟୀ ମାନେ ଚଢା ଦରରେ ବିକ୍ରି କରୁଛନ୍ତି । ବର୍ତମାନ ସୁଦ୍ଧା ୧୧,୫୦୦ କ୍ୱିଣ୍ଟାଲ ବିହନ ଜିଲ୍ଲାର ୧୧ଟି ବ୍ଲକକୁ ପଠାଯାଇଥିବା କୃଷି ବିଭାଗ କହୁଥିବା ବେଳେ, ଜିଲ୍ଲା ପ୍ରଶାସନ କହିଛି ବିହନର କଳାବଜାରି ଉପରେ ରୋକ ଲଗାଯିବ ।

LEAVE A REPLY

Please enter your comment!
Please enter your name here