ମୟୁରଭଂଜ ଜିଲ୍ଲା ରରୁଆଁ ଥାନା ଅନ୍ତର୍ଗତ ସିଙ୍ଗଡା ଜଙ୍ଗଲରେ ଦେଖିବାଜୁ ମିଳିଛି ଏକ ଅଭାବନୀୟ ଦୃଶ୍ୟ | ଜଙ୍ଗଲ ମଧ୍ୟରୁ ଉଦ୍ଧାର ହୋଇଛି ଏକ ଶିଶୁ କନ୍ୟା | ଶିଶୁଟି ୩ କିମ୍ବା ୪ ଦିନରେ ହୋଇଥିବା ଅନୁମାନ କରାଯାଇଛି | କେହି ଶିଶୁକନ୍ୟାକୁ ଫିଙ୍ଗି ଦେଇ ଚାଲି ଯାଇଥିଲା ବେଳେ ସ୍ଥାନୀୟ ଲୋକେ ଛୁଆର କାନ୍ଦଶୁଣି ଶିଶୁକନ୍ୟାଟିକୁ ଉଦ୍ଧାର କରି ନିକଟସ୍ଥ ଉପଖଣ୍ଡ ଡାକ୍ତରଖାନା କରଞ୍ଜିଆରେ ଭର୍ତ୍ତି କରିଥିଲେ | ତେବେ ଏଠାରେ ଶିଶୁକନ୍ୟାଟିକୁ ତୁରନ୍ତ ପ୍ରାଥମିକ ଚିକିତ୍ସା ଯୋଗାଇ ଦେବା ସହିତ ପରୀକ୍ଷା କରି ଶିଶୁଟିର ସ୍ୱାସ୍ଥ୍ୟ ସ୍ୱାଭାବିକ ରହିଥିବା ଡାକ୍ତରଖାନା ସୂତ୍ରରୁ ମିଳିଥିବା ସୂଚନାରୁ ଜଣାପଡିଛି । ତେବେ ଶିଶୁକନ୍ୟାଟିକୁ କିଏ କାହିଁକି ଅଲୋଡା କରି ଫିଙ୍ଗିଦେଲା ତଦନ୍ତ ସାପେକ୍ଷ | ସେହିପରି ଶିଶୁକନ୍ୟାଟିର ଜନ୍ମ ଡାକ୍ତରଖାନା, ନର୍ସିଂହୋମ କିମ୍ବା ଘରେ ହୋଇଛି ତାହା ପ୍ରଥମେ ଚିହ୍ନଟ କରାଯିବା ଆବଶ୍ୟକ ହୋଇଥିବା ବେଳେ ରରୁଆଁ ଥାନା ପୋଲିସ ପାଇଁ ଏବେ ଏହି ସମ୍ବେଦନଶୀଳ ଘଟଣା ଆହ୍ବାନ ପାଲଟିଛି | ଅନ୍ୟପଟେ ଜଣେ ମାଆ ଜନ୍ମ ଦେଇଥିବା ନିଜର ୩/୪ଦିନର ଶିଶୁକନ୍ୟାଟିକୁ କୋଉ ପରିସ୍ଥିତିରେ ଓ କାହିଁକି ଜଙ୍ଗଲରେ ଫିଙ୍ଗିଲା ନା ପରିବାରର ବାଧ୍ୟବାଦ୍ଧକତା ଯୋଗୁଁ ଘଟିଛି ତାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ଯୋର ଧରିଛି | ତେବେ ଘଟଣା ଯାହାବି ହେଉନା କାହିଁକି ଏହା ପଛରେ ଥିବା ସମସ୍ତଙ୍କୁ ଲୋକଲୋଚନକୁ ଅଣାଯିବା ସହ ଉଚିତ ଦଣ୍ତବିଧାନ କରାଯିବାକୁ ସାଧାରଣରେ ଦାବି ହେଉଛି ।
ମୟୂରଭଞ୍ଜ -ଘାସିରାମ ବେହେରା

LEAVE A REPLY

Please enter your comment!
Please enter your name here