ବ୍ୟଞ୍ଜନ ଦ୍ୱାଦଶୀରେ ପୁରୀ ଗୌର ବିହାରରେ ଭଗବାନଙ୍କୁ ଲାଗିହେଲା ବିବିଧ ପ୍ରକାରର ବ୍ୟଞ୍ଜନ . ଗୋଟିଏ କି ଦୁଇଟି ନୁହେଁ, ଭଳିକି ଭଳି ଛ ଶହ ଏକସ୍ତରି ପ୍ରକାରର ସ୍ୱାଦିଷ୍ଟ ବ୍ୟଞ୍ଜନ ଅର୍ପଣ କରାଗଲା ଭଗବାନ ଶ୍ରୀକୃଷ୍ଣଙ୍କୁ. ପ୍ରତି ବର୍ଷ ବଳିଆପଣ୍ଡା ସ୍ଥିତ ଗୌରବିହାର ବା ମାତା ମଠରେ ମହାପ୍ରଭୁ ଶ୍ରୀକୃଷ୍ଣଙ୍କୁ ଆଜିର ଦିନରେ ଏମିତି ବ୍ୟଞ୍ଜନ ଅର୍ପଣ କରାଯାଇଥାଏ. କଥିତ ଅଛି, ପ୍ରତିବର୍ଷ ମାର୍ଗଶୀର ଶୁକ୍ଳ ଦ୍ୱାଦଶୀ ତିଥିରେ ମାଆ ଯଶୋଦା କହ୍ନେୟା ପାଇଁ ଏମିତି ସ୍ବାଦିଷ୍ଟ ବ୍ୟଞ୍ଜନ ପ୍ରସ୍ତୁତ କରିଥାନ୍ତି. ତେଣୁ ଏହି ପରଂପରାକୁ ଗୌଡ଼ୀୟ ବୈଷ୍ଣବମାନେ ଅତ୍ୟନ୍ତ ଶ୍ରଦ୍ଧାର ସହ ପାଳନ କରି ଆସୁଛନ୍ତି. ବ୍ୟଞ୍ଜନ ଦ୍ବାଦଶୀରେ ସ୍ବାଦିଷ୍ଟ ଖାଦ୍ୟ ପ୍ରସ୍ତୁତ କରିବା ପାଇଁ ଯଥେଷ୍ଟ ସମୟ ଆଗରୁ ଗଞ୍ଜାମ, ଗଜପତି, ପୁରୀ ଓ ପଶ୍ଚିମବଙ୍ଗରୁ ବହୁ ବୈଷ୍ଣବ ଭକ୍ତ ଗୌରବିହାର ପରିସର ରେ ଏକତ୍ରିତ ହୋଇଥାନ୍ତି. ଦେବୀ ଶ୍ରୀରାଧାଙ୍କୁ ସ୍ମରଣ କରି ଏସବୁ ବ୍ୟଞ୍ଜନ ପ୍ରସ୍ତୁତ କରିବା ସହ ଶ୍ରଦ୍ଧାର ସହ ଶ୍ରୀକୃଷ୍ଣଙ୍କୁ ସମର୍ପଣ କରିଥାନ୍ତି . ଚଳିତବର୍ଷ ଛ ଶହ ଏକସ୍ତରୀ ପ୍ରକାରର ବ୍ୟଞ୍ଜନ ପ୍ରସ୍ତୁତ କରାଯାଇଥିବା ବେଳେ ସାଦା ମିଠା, କାନିକା, ଖେଚୁଡ଼ି, ଘିଅନ୍ନ ପରି ସତର ପ୍ରକାର ଅନ୍ନ ଏବଂ ଅଠର ପ୍ରକାରର ଖିରି ପ୍ରସ୍ତୁତ କରାଯାଇଥିଲା. ସେହିପରି ଅଣଷଠି ପ୍ରକାରର ତରକାରୀ ଆଉ ଶହେ ଏକ ଷଠି ପ୍ରକାର ଚଟଣି ମଧ୍ୟ ପରିବେଷଣ କରାଯାଇଥିଲା. ଏହି ବ୍ୟଞ୍ଜନ ପ୍ରସ୍ତୁତ କରିବା ପାଇଁ ତିରିଶରୁ ଅଧିକ ଶ୍ରଦ୍ଧାଳୁ ପରିବା ଅମୁଣିଆହା କରିବା ପରେ କଟାକଟି ଆରମ୍ଭ କରିଥିଲେ. କୋଡିଏଟି ଚୁଲୀରେ ଏସବୁ ବ୍ୟଞ୍ଜନ ପ୍ରସ୍ତୁତ ହେବା ପରେ ଭଗବାନ ଶ୍ରୀକୃଷ୍ଣଙ୍କ ପାଖରେ ଭୋଗ ଲଗାଯାଇଥିଲା

LEAVE A REPLY

Please enter your comment!
Please enter your name here