‘ନବୀନ ପଟ୍ଟନାୟକ ଜମିଦାର, ଆମେ ହଳିଆ’ – ଏମିତି ଭାଷାରେ ସଭାକୁ ସମ୍ବୋଧିତ କଲେ ବରିଷ୍ଠ ବିଜେଡି ନେତା ଅରୂପ ପଟ୍ଟନାୟକ । ଆଇପିଏସ ଚାକିରୀରୁ ଅବସର ନେବା ପରେ ବିଜେଡିରେ ଯୋଗ ଦେଇ ରାଜନୀତି କ୍ୟାରିଅର ଆରମ୍ଭ କରିଥିବା ଅରୂପ ପଟ୍ଟନାୟକ ଗତକାଲି ଖୋର୍ଦ୍ଧାରେ ଆୟୋଜିତ ବିଜେଡି ପ୍ରତିଷ୍ଠା ଦିବସ ସମାରୋହରେ ଭାଷଣ ଦେଉଥିଲେ । ମାତ୍ର ଭାଷଣ ଦେବା ବେଳେ ପ୍ରଫେସନାଲ ନେତାଙ୍କ ଭଳି ମିଛ ଓ ଅତିରଞ୍ଜିତ କଥା କହି ଲୋକଙ୍କ ମନ ମୋହିବା ବଦଳରେ ବାବୁ ଅରୂପଙ୍କ ମୁହଁରୁ ନିରାଟ ସତକଥା ସବୁ ବାହାରି ଆସିଲା । ବିଜେଡି ନେତା ହେଲେ ବି ଅରୂପ କହିଥିଲେ ସାଧାରଣ ଲୋକଙ୍କ ଅନୁଭବର କଥା । ଥାନାକୁ ଗଲେ କେମିତି ସାଧାରଣ ଲୋକ ହଇରାଣ ହରକତ ହୁଅନ୍ତି, ଆଉ ଡାକ୍ତରଖାନାରେ କେମିତି ଲୋକେ ହନ୍ତସନ୍ତ ହୁଅନ୍ତି, ସାଧାରଣ ଲୋକଙ୍କ ମରମ କଥା ବାହାରି ଆସିଥିଲା ଅରୂପଙ୍କ ମୁହଁରୁ । ଏପର୍ଯ୍ୟନ୍ତ ଓଡିଶାରେ ଭଲ କ୍ୟାନସର ଚିକିତ୍ସା ହେଉ ନଥିବା ନେଇ ମଧ୍ୟ ଟୀପପଣୀ ଦେଇଥିଲେ ସେ । ତେବେ ନବୀନ ବାବୁ ମୁଖ୍ୟମନ୍ତ୍ରୀ ଅଛନ୍ତି ମାନେ ଆଗକୁ ସବୁ କିଛି ଭଲ ହେବ ବୋଲି କହିଥିଲେ । ଅରୂପଙ୍କ ଏମିତି ଭାଷଣ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ବିରୋଧୀ ବି ସମାଲୋଚନା କରିଛନ୍ତି ସରକାରଙ୍କୁ । କିନ୍ତୁ ଅରୂପ ଯାହା କହିଛନ୍ତି, କିଛି ମନ୍ଦ କଥା କହିନାହାଁନ୍ତି । ଦୁଇ ଦଶନ୍ଧିର ସରକାରରେ ପୋଲିସ ଥାନା ଓ ଡାକ୍ତରଖାନାକୁ ଲୋକାଭିମୁଖୀ କରିବା ପାଇଁ ସରକାର ଯେତେ ଯାହା ପଦକ୍ଷେପ ନେଇଥିଲେ ବି ଥାନାକୁ ଗଲେ ଜଣେ ସାଧାରଣ ଲୋକର ଅବସ୍ଥା ଯାହା ହୁଏ, ତାହା କେବଳ ସେ କହିଛନ୍ତି ।

LEAVE A REPLY

Please enter your comment!
Please enter your name here