ନିର୍ବାଚନ ଯେତେ ପାଖେଇ ପାଖେଇ ଆସୁଛି । ରାଜ୍ୟ ରାଜନୀତି ସେତିକି ସରଗରମ ହେଉଛି । ଏବେ ରାଜନେତାଙ୍କ ମୁଖ୍ୟ ଅସ୍ତ୍ର ପାଲଟିଛନ୍ତି ଚାଷୀ । ଗୋଟିଏ ପଟେ ଦିଲ୍ଲୀରେ ବିଜୁ ଜନତା ଦଳ ଆନ୍ଦୋଳନ କରୁଥିବାବେଳେ ରାଜ୍ୟ ରାଜଧାନୀରେ ଗର୍ଜୁଛି ବିଜେପି । ବିଜେପି କରୁଛି ‘ଜବାବ ମାଗୁଛି ଓଡିଶା’ କାର୍ଯ୍ୟକ୍ରମ । କୃଷକଙ୍କ ଅଧିକାରକୁ ନେଇ ବିଜେପି ଆନ୍ଦୋଳନକୁ ଓହ୍ଲାଇବା ସହ ସଚିବାଳୟ ଘେରାଉ କରିଛି । ନିର୍ଦ୍ଧାରିତ ମୂଲ୍ୟ ଦେଇ ଧାନ ମଣ୍ଡିରୁ ସରକାର ଧାନ କିଣି ପାରୁ ନାହାଁନ୍ତି ବୋଲି ବିଜେପି ଅଭିଯୋଗ କରିଛି । ଧାନର ସହାୟକ ମୂଲ୍ୟ ବୃଦ୍ଧିକୁ ନେଇ ବିଜେପି କୃଷକ ମୋର୍ଚ୍ଚା ଆନ୍ଦୋଳନ କରୁଛି । ଗତବର୍ଷ ମୁଖ୍ୟମନ୍ତ୍ରୀ ଚାଷୀମାନଙ୍କୁ ଧାନ କ୍ୱିଂଟାଲ ପିଛା ୧୦୦ ଟଙ୍କା ବୋନସ ଦେବାକୁ ଘୋଷଣା କରିଥିବାବେଳେ ଏ ପର୍ଯ୍ୟନ୍ତ ତାହା କାର୍ଯ୍ୟକାରୀ ହୋଇ ନ ଥିବା, ନଭେମ୍ବର ୫ ସୁଦ୍ଧା ମଣ୍ଡି ଖୋଲାଯିବାର ରହିଥିବାବେଳେ ଏ ପର୍ଯ୍ୟନ୍ତ ଖୋଲି ନ ଥିବା ଦଳ ଅଭିଯୋଗ କରିଛି । ତେବେ ପରିସ୍ଥିତିକୁ ନଜରରେ ରଖି ରାଜ୍ୟ ସଚିବାଳୟରେ ବ୍ୟାପକ ପୁଲିସ ଫୋର୍ସ ମୁତୟନ କରାଯାଇଥିବା ବେଳେ ସୁରକ୍ଷା ବଳୟକୁ ଭାଙ୍ଗି ବିକ୍ଷୋଭକାରୀ ସଚିବାଳୟକୁ ଧସେଇ ପଶିବାକୁ ଉଦ୍ୟମ କରିଛନ୍ତି । ଏହି ପରିପେକ୍ଷୀରେ ଉଭୟ ବିକ୍ଷୋଭକାରୀ ଏବଂ ପୁଲିସ ମଧ୍ୟରେ ଧସ୍ତାଧସ୍ତି ପରିସ୍ଥିତି ସୃଷ୍ଟି ହୋଇଛି । ଫଳରେ ବ୍ୟାପକ ଉତ୍ତେଜନା ଦେଖାଦେଇଛି ।

LEAVE A REPLY

Please enter your comment!
Please enter your name here