ସ୍ୱାମୀଙ୍କ ମୃତୁ୍ୟ ପରେ ଶିଶୁକନ୍ୟାକୁ ଜନ୍ମ ଦେବାରୁ ସମାଜ କଲା ବାସନ୍ଦ । ଗାଁଲୋକ କଥା ହେବା ବନ୍ଦ କରିଦେଲେ । ଘରଲୋକ ବି ମୁହଁ ଆଡେଇ ଦେଲେ । ମୁଣ୍ଡ ଗୁଞ୍ଜିବାକୁ ଜାଗା ଖଣ୍ଡେ ବି ମିଳିଲାନି । କିଛିଦିନ ସ୍ୱାଧାର ଗୃହରେ ଆଶ୍ରୟ ନେବା ପରେ ପୁଣି ଗାଁକୁ ଫେରିଲେ ରଇବାରୀ । ହେଲେ ଗାଁ ଲୋକେ କଣ ତାକୁ ଗ୍ରହଣ କଲେ? ନା, ରଇବାରୀକୁ କେହି ବି ଗ୍ରହଣ କଲେନି । ନା ଘରଲୋକ, ନା ଗାଁ ଲୋକ । ବିଧବା ଯନ୍ତ୍ରଣାଠୁ ବଳିଗଲା ସାମାଜିକ ତାଡନା । କେନ୍ଦୁଝର ସଦର ବ୍ଲକ ଅନ୍ତର୍ଗତ ବରଦାପାଳ ପଞ୍ଚାୟତ ଚୁଡାକୁଟା ସାହି । ଏହି ଗାଁର ମହାନ୍ତି ମୁଣ୍ଡାଙ୍କ ସ୍ତ୍ରୀ ରଇବାରୀ ଚାରିବର୍ଷ ତଳେ ବିଧବା ହୋଇଗଲେ । କୌଣସି କାରଣରୁ ୪ ବର୍ଷ ତଳେ ସେ ବିଷ ପିଇ ଆତ୍ମହତ୍ୟା କରିବା ପରେ ବେସାହାରା ହୋଇପଡିଥିଲେ ରଇବାରୀ ।  କାମଧନ୍ଦା କରି ଦୁଇ ପୁଅଙ୍କୁ ବଡ କରିବାର ସ୍ୱପ୍ନ ଦେଖୁଥିଲେ ସେ । ମାତ୍ର ସ୍ୱାମିଙ୍କ ମୃତୁ୍ୟ ପରେ ରଇବାରି ଏକ ଶିଶୁ କନ୍ୟାକୁ ଜନ୍ମ ଦେବା ଘଟଣା ତାଙ୍କ ଜୀବନକୁ ଅନ୍ଧକାର କରିଦେଇଥିଲା । ରଇବାରିଙ୍କ ଉପରେ ଗାଁ ଲୋକେ ଅତ୍ୟାଚାର କରିବା ଆରମ୍ଭ କରିଦେଲେ । ଗାଁରୁ ବାସନ୍ଦ କରିଦିଆଗଲା । କିଛିଦିନ ସ୍ୱାଧାର ଗୃହରେ ରହିବା ପରେ ଗତ ନଭେମ୍ବର ମାସରେ ପୁଣି ଗାଁକୁ ଫେରିଥିଲେ ସେ । ଭାବିଥିଲେ ଗାଁରେ ଦିଅରଙ୍କ ପାଖରେ ରହି ମୁଲ ଲାଗି ଦୁଇ ପୁଅ ଝିଅକୁ ପାଳିପୋଷି ବଡମଣିଷ କରିବେ । କିନ୍ତୁ ତାଙ୍କ ଭାବନା ଭୁଲ ପ୍ରମାଣିତ ହୋଇପଡିଥିଲା । ଗାଁକୁ ଗଲାବେଳକୁ ସେଠାରେ ଘର ବୋଲି କିଛି ନଥିଲା । ଗାଁ ଲୋକେ ତାଙ୍କ ସହ କଥାହେବା ବନ୍ଦ କରି ଦେଇଥିଲେ ।  ପରିବାର ଲୋକେ ମୁହଁମୋଡି ଚାଲିଗଲେ । ପ୍ରାୟ ମାସେକାଳ ପଡୋଶିଙ୍କ ନଡାଗଦାରେ ମୁଣ୍ଡ ଗୁଞ୍ଜିଲେ ରଇବାରି । ମାସେ ପରେ ଗତ ୬ ମାସ ହେବ ସେ ରହୁଛନ୍ତି ଗୋଟିଏ ଛୋଟିଆ ପାଇଖାନା ଘରେ ।  ସରକାରଙ୍କ ତରଫରୁ ଦିଆଯାଉଥିବା ବିଧବା ଭତ୍ତା କାର୍ଡ ଓ ରେସନ କାର୍ଡ ଦିଅରଙ୍କୁ ଦେଇ ଦେଇଛନ୍ତି । ସେଥିରୁ ମିଳୁଥିବା ଚାଉଳ ଏବଂ ବିଧବା ଭତ୍ତାରେ ଚଳୁଛି  ରଇବାରୀଙ୍କ ସଂସାର । କେତେବେଳେ ଖାଉଛନ୍ତି ତ ଆଉ କେତେବେଳେ ଉପାସ । ତେବେ ଗତ ୬ମାସ ହେଲାଣି ସାମାଜିକ ତାଡନା ଭିତରେ ଗୋଟିଏ ପାଇଖାନା ଭିତରେ କାଳ କାଟୁଥିବା ରଇବାରୀଙ୍କ ଦୁଃଖ କଣ ଘୁଞ୍ଚିବନି ?

LEAVE A REPLY

Please enter your comment!
Please enter your name here