ସମସ୍ତ ନିଃସହାୟ ଓ ଅବହେଳିତ ବୃଦ୍ଧ ପିତାମାତା ନିଜ ସନ୍ତାନମାନଙ୍କ ଠାରୁ ସମସ୍ତ ପ୍ରକାର ଭରଣପୋଷଣ ପାଇବା ପାଇଁ ହିନ୍ଦୁ ପୋଷ୍ୟ ଓ ଭରଣ ପୋଷଣ ଆଇନ ୧୯୫୬ ରହିଛି. ମାତ୍ର ଦୁର୍ଭାଗ୍ୟର କଥା ଯେ, ଏହାର ପ୍ରଚାର ପ୍ରସାର ଅଭାବରୁ ସମସ୍ତେ ଏହି ଆଇନ ବିଷୟରେ ଅବଗତ ନାହାନ୍ତି. ଫଳରେ ନିଜ ଜନ୍ମ କଲା ପିତାମାତାଙ୍କୁ ସେହି ସନ୍ତାନମାନେ ବହୁତ କଷ୍ଟ ଓ ନିର୍ୟାତନା ଦେଉଛନ୍ତି. ୨୦୦୯ ମସିହାରୁ ଲାଗୁ ହୋଇଥିବା ଏହି ଆଇନ ସଂପର୍କରେ ସମସ୍ତେ ଜ୍ଞାତ ନାହାନ୍ତି. ଏହାର ଫାଇଦା ନେଇ ସେମାନେ ପିତାମାତାଙ୍କୁ ଘର ବଦଳରେ ବୃଦ୍ଧାଶ୍ରମରେ ନେଇ ରଖୁଛନ୍ତି. ଯଦି ଏହାର ବ୍ୟାପକ ରୂପେ ପ୍ରଚାର ହୁଅନ୍ତା ତାହଲେ ବୃଦ୍ଧଲୋକ ଏହା ବିଷୟରେ ଜାଣିପାରନ୍ତେ. ବର୍ତ୍ତମାନ, ଏଥିପାଇଁ ପ୍ରତ୍ୟେକ ଉପଖଣ୍ଡସ୍ତରରେ ମେଣ୍ଟେନାନ୍ସ ବିଚାରସଭା ଗଠନ କରାଯାଇଛି. ଯେଉଁଥିରେ ଉପ-ଜିଲ୍ଲାପାଳ ପରିଚାଳନା ଅଧିକାରୀ ରହିବେ ଏବଂ ଅବହେଳିତ ହେଉଥିବା ବୃଦ୍ଧ ପିତାମାତା ତାଙ୍କ ନିକଟରେ ଅଭିଯୋଗ କରିପାରିବେ. ଆବଶ୍ୟକ ପଡିଲେ ଟ୍ରିବ୍ୟୁନାଲ ନିଜ ତରଫରୁ ମଧ୍ୟ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିପାରିବେ. ତେବେ ଅଭିଯୋଗ ପାଇଲା ପରେ ଟ୍ରିବ୍ୟୁନାଲ ଆବେଦନକାରୀଙ୍କୁ ମଧ୍ୟବର୍ତ୍ତୀକାଳୀନ ଭରଣପୋଷଣ ମଞ୍ଜୁର କରିବା ସହ ବିଚାର କରିବା ପରେ ମାସିକ ୧୦ ହଜାର ଟଙ୍କା ପର୍ୟ୍ୟନ୍ତ ଭରଣପୋଷଣ ମଞ୍ଜୁର ମଧ୍ୟ କରିପାରିବେ. ଏପରିକି ନିଃସନ୍ତାନ ଦମ୍ପତ୍ତି ମଧ୍ୟ ସେମାନଙ୍କ ସମ୍ପତ୍ତିର ଉତ୍ତରାଧିକାରୀଙ୍କ ନାଁରେ ଅଭିଯୋଗ କରିପାରିବେ. ମାତ୍ର ଆଶ୍ଚର୍ୟ୍ୟର କଥା ହେଉଛି, ଏହି ଆଇନର ବ୍ୟାପକ ପ୍ରଚାର ପ୍ରସାର ପାଇଁ ଜିଲ୍ଲାପାଳମାନେ ସଚେତନତା ମୂଳକ କାର୍ୟ୍ୟକ୍ରମ କରିବା କଥା. କିନ୍ତୁ ଲୋକଙ୍କୁ ଏ ସଂପର୍କରେ ସଚେତନ କରାଯାଉ ନଥିବାରୁ ସେମାନେ ବିଭିନ୍ନ ସମୟରେ ହଇରାଣ ହରକତ ହେଉଛନ୍ତି ବୋଲି ବରିଷ୍ଠ ଆଇନଜୀବୀ ତଥା ବାଙ୍କୀ ବୟୋଜ୍ୟେଷ୍ଠ ନାଗରିକ ସଂଘ ସଭାପତି ବିରଞ୍ଚି ଦାସ କହିଛନ୍ତି.

LEAVE A REPLY

Please enter your comment!
Please enter your name here