ଅଧାରେ ସରିଗଲା ନାଟକ ।

ନାଟକର କ୍ଲାଇମାକ୍ସ ଏମିତି ହେବ କେହି କେବେ ଭାବି ନ ଥିଲେ । ନାଟକ ଦେଖୁଥିବା ଲୋକେ ଅନେକ ନାଟକ ଦେଖିଥିବେ, ମାତ୍ର ଏମିତି ନାଟକ କେବେ ବି ଦେଖି ନ ଥିବେ । ନାଟକର ହିରୋ ଭଲ ପାଉଥିଲା ଜଣେ ଯୁବତୀଙ୍କୁ । ଏଇଥିପାଇଁ ଭଲ ପାଉଥିଲା, କାରଣ ସେହି ଯ଼ୁବତୀଙ୍କୁ କେହି ଭଲ ପାଉ ନ ଥିଲେ । ସେ ଯାହାକୁ ବାହା ହୋଇଥିଲା, ସେ ବି ମୁହଁ ଫେରାଇ ନେଇଥିଲା । ରାତି ପାହିଲେ ନିର୍ଯାତନାର ଶୀକାର ହେଉଥିଲା । ସ୍ବାମୀ ମାଡପିଟ୍ କରୁଥିଲା । ଏମିତି କି ଭୋକ ଓପାସରେ ରହିବାକୁ ହେଉଥିଲା ସେହି ଯ଼ୁବତୀଙ୍କୁ । ଦୁଃଖ ସହିପାରିଲାନି ନାଟକର ହିରୋ । କେମିତି ବା ସହିପାରିଥାନ୍ତା । ସେଥିପାଇଁ ତ ସେ ନାଟକର ହିରୋ । ଅସହାୟା ଯୁବତୀଙ୍କୁ ସାହାଯ୍ୟର ହାତ ବଢାଇଲା । ଆଉ ସାହାଯ୍ୟ ଓ ସହଯୋଗର ସଂପର୍କ କେତେବେଳେ ହୃଦୟକୁ ଦଖଲ କରି ନେଇଥିଲା, ଜାଣିପାରି ନ ଥିଲା ନାଟକର ହିରୋ । ଦିନ ଗଡୁଥିଲା, ତା ସହିତ ସଂପର୍କ ବି ନିବୀଡରୁ ନିବୀଡତର ହେଉଥିଲା । ଭଲ ପାଇବାର ରଙ୍ଗରେ ଜୀବନ ନାଟକର ହିରୋ – ହିରୋଇନ ପାଲଟି ଯାଇଥିଲେ ସେମାନେ ।

ନାଟକରେ ନୂଆ ମୋଡ ଆସିଲା । ହିରୋ ଠାରୁ ଟଙ୍କା ଓ ଦେହସୁଖ ପାଇବା ପରେ ମୁହଁ ଫେରାଇନେଲା ହିରୋଇନ୍ । ହୁଏତ ଆଉ କାହା ପ୍ରେମରେ ପଡିଗଲା ସେ । ନିଜ ଘର, ପରିବାର ଓ ସମାଜର ଛି ଛାକରକୁ ପଛ କରି ସେ ଯାହାକୁ ଏତେ ଭଲ ପାଉଥିଲା, ସେ ଯେତେବେଳେ ମୁହଁ ଫେରାଇ ନେଲା, ସେତେବେଳେ ଦୁଃଖ ଓ ଯନ୍ତ୍ରଣାରେ ଅତିଷ୍ଠ ନାଟକର ହିରୋ ସବୁଦିନ ପାଇଁ ଏ ଦୁନିଆରୁ ବିଦାୟ ନେବାକୁ ନିଷ୍ପତ୍ତି ନେଲା । ହିରୋର ମୃତ୍ୟୁ ସହ ଅଧାରେ ସରିଗଲା ନାଟକ ।

ଜଗତସିଂହପୁରର ଯୁବ ମଞ୍ଚ ଅଭିନେତା ସ୍ମୃତି ରଂଜନଙ୍କୁ ଆଜି ସମସ୍ତେ ଝୁରୁଥିଲେ । ଜଗତସିଂହପୁର ଏସବିଏମ କଲେଜ ନାଟ୍ୟସଂସଦ ପରିବାର ପକ୍ଷରୁ ଆଜି ଆୟୋଜିତ ହୋଇଥିଲା ସ୍ମୃତିଙ୍କ ପାଇଁ ସ୍ମୃତି ସଭା । ଏସଭିଏମ କଲେଜରେ ପାଠ ପଢୁଥିବା ବେଳେ ଅନେକ ନାଟକରେ ଅଭିନୟ କରିଛନ୍ତି ସ୍ମୃତି । ମାତ୍ର ଜୀବନ ନାଟକ ସରିବା ପୂର୍ବରୁ ସେ ଏମିତି ଅଧାରେ ସମସ୍ତଙ୍କୁ ଛାଡି ଚାଲିଯିବେ କେହି ବିଶ୍ବାସ କରିପାରୁନାହାଁନ୍ତି । ନାଟ୍ୟସଂସଦ ପରିବାରର ଗୁରୁ ଶ୍ରୀ ସାରଦା ପ୍ରସନ୍ନ ରଣାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ସ୍ମୃତିସଭାରେ ଏସଭିଏମ କଲେଜର ପୁରାତନ ଛାତ୍ରଛାତ୍ରୀ ଓ ସ୍ମୃତିଙ୍କ ସହପାଠୀମାନେ ଯୋଗଦେଇ ସ୍ମୃତିଚାରଣ କରିଥିଲେ । ନାଟକକୁ ଭଲ ପାଉଥିବା ସ୍ମୃତି ଜଗତସିଂହପୁର ଜିଲ୍ଲା ଛାତ୍ର କଂଗ୍ରେସର ସାଧାରଣ ସଂପାଦକ ଭାବେ କାର୍ଯ୍ୟ କରୁଥିଲେ ।

LEAVE A REPLY

Please enter your comment!
Please enter your name here