ବିଭିନ୍ନ ସମୟରେ ସଡ଼କ ଦୁର୍ଘଟଣା ଓ ବିନା ହେଲମେଟ ଦୁର୍ଘଟଣାରେ ମୃତ୍ୟୁକୁ ରୋକିବା ସହ ଟ୍ରାଫିକ୍ ନିୟମକୁ କଡ଼ାକଡ଼ି କରିବା ପାଇଁ ପୁଲିସ ଏବଂ ପେଟ୍ରୋଲପମ୍ପ ମାଲିକ ସଂଘର ମିଳିତ ସହଯୋଗରେ ୨୦୧୬ ମସିହା ଅଗଷ୍ଟ ୧୬ ତାରିଖରେ ଆରମ୍ଭ ହୋଇଥିଲା ‘ନୋ ହେଲମେଟ , ନୋ ପେଟ୍ରୋଲ’ ଅଭିଯାନ । ପ୍ରଥମେ କିଛିମାସ ଏହି ନିୟମ୍ ବେଶ୍ ତତ୍ପରତାର ସହ ପାଳନ ପରେ ସମ୍ପ୍ରତି ଯଥା ପୂର୍ବଂ ତଥା ପରଂ ସ୍ଥିତିରେ ଏହି ନିୟମ ପହଁଞ୍ଚିଥିବା ଲକ୍ଷ୍ୟ କରାଯାଇଛି । ପେଟ୍ରୋଲପମ୍ପ ମାଲିକ ସମେତ କର୍ମଚାରୀ ଏବଂ ଟ୍ରାଫିକ୍ ପୋଲିସ୍ ମଧ୍ୟରେ ପୂର୍ବରୁ ଥିବା ତତ୍ପରତା କ୍ରମଶଃ ଶୀଥିଳ ହେବା ସହିତ ଏହି ନିୟମ କଡ଼ାକଡ଼ି ପାଇଁ ବିଶେଷ ଆଗ୍ରହ ନଥିବା ଦେଖିବାକୁ ମିଳିଛି । ଜିଲ୍ଲା ପ୍ରଶାସନର ନିର୍ଦ୍ଦେଶ ଅନୁସାରେ ଲୋକଙ୍କୁ ସଚେତନ କରିବା ପାଇଁ ପେଟ୍ରୋଲପମ୍ପ ଗୁଡ଼ିକରେ ଲଗାଯାଇଥିବା ‘ନୋ ହେଲମେଟ୍ ନୋ ପେଟ୍ରୋଲ’ ସମ୍ପର୍କୀତ ବ୍ୟାନର ମଧ୍ୟ ଆଉ ଦେଖିବାକୁ ମିଳୁନାହିଁ ।  ପେଟ୍ରୋଲପମ୍ପର କର୍ମଚାରୀମାନେ ବିନା ହେଲମେଟ ଆସୁଥିବା ବାଇକ୍ ଆରୋହୀମାନଙ୍କୁ ଫେରାଇଦେବା ପରିବର୍ତ୍ତେ ଖୁସିହୋଇ ପେଟ୍ରୋଲ ଦେଉଥିବା ଦେଖିବାକୁ ମିଳୁଛି । ପୂର୍ବଭଳି ଟ୍ରାଫିକ୍ ଥାନା ପୋଲିସ୍ ହେଲମେଟ ବ୍ୟବହାର ଆଇନକୁ କଡ଼ାକଡ଼ି ଭାବେ ଲାଗୁୁ କରିବା ଏବଂ ଏ ଦିଗରେ ଜନସାଧାରଣଙ୍କୁ ଯଥେଷ୍ଟ ସଚେତନତା ସୃଷ୍ଟି ଉପରେ ଗୁରୁତ୍ୱ ଦେଉନାହାଁନ୍ତି । ତେବେ ଜିଲ୍ଲା ପୋଲିସର ନିଷ୍କ୍ରିୟତାରୁ ଫାଇଦା ନେବା ସହ ନିଜର ବ୍ୟବସାୟ ବୃଦ୍ଧି ପାଇଁ ସହର ପେଟ୍ରୋଲପମ୍ପ ଗୁଡ଼ିକରେ ‘ନୋ ହେଲମେଟ୍ ନୋ ପେଟ୍ରୋଲ’ ନିୟମକୁ ଅଣଦେଖା କରାଯାଉଥିବା ବିଭିନ୍ନ ମହଲରୁ ଆରୋପ ହୋଇଛି । ଏ ସମ୍ପର୍କରେ ଟ୍ରାଫିକ ଥାନା ସବଇନ୍ସପେକ୍ଟର ପ୍ରଶାନ୍ତ କୁମାର ରଣସିଂହଙ୍କୁ ପଚାରିବାରୁ ଉକ୍ତ ସମ୍ପର୍କରେ କୌଣସି ନିର୍ଦ୍ଦିଷ୍ଟ ନିୟମ ବା ଦଣ୍ଡବିଧାନ ବ୍ୟବସ୍ଥା ନଥିବା କାରଣରୁ ଦୃଢ଼ କାର୍ଯ୍ୟାନୁଷ୍ଠାନ ହୋଇପାରୁ ନାହିଁ ବୋଲି ସେ ଯୁକ୍ତି ବାଢ଼ିଥିଲେ । ଏଥିସହ ଟ୍ରାଫିକ୍ ଥାନାରେ ଷ୍ଟାଫ୍ ଅଭାବ କାରଣରୁ ପ୍ରତି ପେଟ୍ରୋଲପମ୍ପରେ ଟ୍ରାଫିକ ପୋଲିସ୍ ଦେବା ସମ୍ଭବପର ହୋଇପାରୁ ନାହିଁ । ଫଳରେ ପେଟ୍ରୋଲପମ୍ପ ମାଲିକ ଗୁଡ଼ିକ ସହଯୋଗୀତାର ହାତ ବଢ଼ାଉନାହାଁନ୍ତି ବୋଲି ଶ୍ରୀ ରଣସିଂହ କହିଛନ୍ତି ।

LEAVE A REPLY

Please enter your comment!
Please enter your name here